ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜୀବନର ୭୧ଟି ପାହାଚରେ ପଦାର୍ପଣ କରିଛନ୍ତି ନବୀନ ଓରଫ୍ ପପୁ । ବିଜୁ ଓ ଜ୍ଞାନ ପଟ୍ଟନାୟକଙ୍କର ଏହି ଗେହ୍ଲା ପୁଅ ପପୁଙ୍କର କୌଣସିଥିରେ ଅଭାବ ନ ଥିଲେ ମଧ୍ୟ ଯୌବନକୁ ଏକା ଏକା କାଟି ସାରିଛନ୍ତି । ବାଦ୍ଧ୍ୱର୍କ୍ୟ ଛୁଇିଁବା ପୂର୍ବରୁ କ୍ଷମତାର ଶୀର୍ଷତାକୁ ଚାଲିଯାଇଥିବା ନବୀନଙ୍କୁ ଘେରି ରହିଛି ବ୍ୟସ୍ତତା । ପରିବାର ଲୋଡିନାହାନ୍ତି ସେ । ଏମିତିକା ଜୀବନ ସହ ପ୍ରାୟ ୨୦ ବର୍ଷ ଟାଣିହୋଇଗଲେଣି ସେ । ଶାସନଭାରର ବୋଝ ଭିତରେ ହୁଏତ ସମୟ ବିତିଯାଉଛି ହେଲେ ହୃଦୟର ନିଃସଙ୍ଗତା ତାଙ୍କୁ ଛାଡ଼ିପାରିନାହିଁ ଏହା ବାସ୍ତବ ସତ୍ୟ । ଏବେ ସାଙ୍ଗକୁ ଯୋଡି ହୋଇଛି ବାର୍ଦ୍ଧକ୍ୟର ନିଃସଙ୍ଗତା । ଏହା ଯେ କେତେ କଷ୍ଟକର ତାହା ଅନୁଭବୀ ଜାଣିପାରୁଥିବେ । ତେବେ ଏହି ନିଃସଙ୍ଗତା ଦୂର ପାଇଁ ନବୀନ ସାଥୀ କରିଛନ୍ତି ରକ୍ସି ଓ ବ୍ରୁନ୍କୁ । ଦୁହିଁଙ୍କ ଭିତରୁ ସାଉଁଟିଛନ୍ତି ସନ୍ତାନର ସ୍ନେହକୁ । ଆଜି ୭୧ ବର୍ଷରେ ନବୀନଙ୍କର ନିଃସଙ୍ଗତାର ସାଥୀ ହୋଇଛନ୍ତି ରକ୍ସି ଓ ବ୍ରୁନ୍ ।
ରକ୍ସି ଓ ବ୍ରୁନ୍ ମଣିଷ ନ ହେଲେ ମଧ୍ୟ ମଣିଷଠାରୁ ଅଧିକ ପ୍ରିୟ ହୋଇଯାଇଛନ୍ତି ନବୀନଙ୍କର । ନବୀନ ନିବାସରେ ଅଧା ସମୟ ତାଙ୍କର କଟିଯାଉଛି ରକ୍ସି ଓ ବ୍ରୁନ୍ ସହ । ପୁଅ ଝିଅଙ୍କ ଭଳି ଦୁହିଁଙ୍କୁ କୋଳରେ ବସାଉଛନ୍ତି । ଗେହ୍ଲ କରୁଛନ୍ତି । ଖାଇବା, ପିଇବା ଭଲ ମନ୍ଦ ପଚାରି ବୁଝୁଛନ୍ତି । ସେମାନଙ୍କ ଯତ୍ନରେ କୌଣସି ଅବହେଳାକୁ ସଯ୍ୟ କରୁନାହାନ୍ତି ପାୱାରଫୁଲ୍ ନବୀନ । ଦୁହିଁଙ୍କ ଦେହରେ ଧୂଳି ମଳି ଲାଗିବାକୁ ଦେଉନାହାନ୍ତି । ନିଜର ଯତ୍ନ ଅପେକ୍ଷା ରକ୍ସି ଓ ବ୍ରୁନ୍ ଙ୍କ ଯତ୍ନ ତାଙ୍କ ପାଇଁ ଅଧିକ ପ୍ରାଥମିକତା ହୋଇଛି । ଦୁହିଁଙ୍କ ଦେଖାଶୁଣା କରିବା ପାଇଁ ପାଳି କରି ୨୪ ଘଣ୍ଟିଆ ଡ୍ୟୁଟି ଦେଇଛନ୍ତି କର୍ମଚାରୀଙ୍କୁ ।
ରକ୍ସି ଓ ବ୍ରୁନ୍ ଦୁଷ୍ଟାମୀକୁ କିଏ ନାଲି ଆଖି ଦେଖାଇଲେ ନବୀନ ତାଙ୍କୁ ନାଲି ଆଖି ଦେଖାଉଛନ୍ତି । ଖାଲି ସେତିକି ନୁହେଁ, ନବୀନ ନିବାସ ଯାଉଥିବା ତାଙ୍କ ଅତିଥି, ସହଯୋଗୀ ମନ୍ତ୍ରୀ, ନେତା କି ବ୍ୟୁରୋକ୍ରାଟ୍ ରକ୍ସି ଓ ବ୍ରୁନ୍ଙ୍କୁ ଗେହ୍ଲରେ ସାଉଁଳି ଦେଲେ ବି ସମ୍ଭାଳି ପାରୁନାହାନ୍ତି ନବୀନ । ଏହି ଗେହ୍ଲ ତାଙ୍କୁ ଛାଟ ପରି ମନେ ହେଉଛି । ବୁଝାଉଛନ୍ତି ରକ୍ସି ଓ ବ୍ରୁନ୍ ବିଷୟରେ । ସେମାନଙ୍କ ଗୌରବାନ୍ୱିତ ଜାତି ଇତିହାସ ବର୍ଣ୍ଣନା କରୁଛନ୍ତି । ଦୁହିଁଙ୍କୁ ଲକ୍ଷ୍ୟ କରି ନବୀନଙ୍କ ସାମନାରେ ଯଦି କାହା ପାଟିରୁ “ଡଗ୍’’ ଶବ୍ଦ ବାହାରିଯାଉଛି ତାଙ୍କ ଅବସ୍ଥା ସରିଲା ଜାଣ । ନବୀନ ଗର୍ଜନ କରୁଛନ୍ତି । ଏମିତି ଅବସ୍ଥାର ସାମନା କରିଥିବା କିଛି ନେତା ଓ ଅଫିସର ସେମାନଙ୍କ ସିସିଆର୍ ନେଇ ନବୀନ ନିବାସରୁ ଆତଙ୍କରେ ଫେରୁଛନ୍ତି ।
ରକ୍ସି ଓ ବ୍ରୁନ୍ ପାଇଁ ନିଜର ନିଃସଙ୍ଗତାକୁ ଭୁଲିଯାଇଛନ୍ତି ନବୀନ । ଖୋଦ୍ ନବୀନ ନିବାସର କିଛି କର୍ମଚାରୀ ଓ ନିକଟତମ ମହଲ ଏହି ଅନୁଭବ ପାଇଛନ୍ତି । ସ୍ୱଭାବରେ କମ୍ କଥା କହୁଥିବା ଓ ମଣିଷଙ୍କ ସହ ମିଳାମିଶି କରି ପାରୁ ନ ଥିବା ନବୀନଙ୍କର ରକ୍ସି ଓ ବ୍ରୁନ୍ ତାଙ୍କ ଜୀବନ । ଭଗବାନ କରନ୍ତୁ ନବୀନ ଦୀର୍ଘଜୀବୀ ହୁଅନ୍ତୁ ଏବଂ ବୟସର ଅପରାହ୍ନରେ ଏହି ଦୁହିଁଙ୍କ ସାନ୍ନିଧ୍ୟ ପାଉଥାଆନ୍ତୁ । ଏହା ଯେ ସମଗ୍ର ଓଡ଼ିଆଜାତି ପାଇଁ ମଙ୍ଗଳମୟ ହେବ ତାହା ବିଶ୍ୱାସ କରିବାରେ ଭୁଲ୍ ନାହିଁ ।