ଭୁବନେଶ୍ୱର: ହୋଟେଲ ପଲ୍ ହାଇଟସ୍ ମାଲିକ ସତପାଲ୍ ସିଂଙ୍କ ପରିବାର ନିଆଁରେ ପୋଡ଼ି ଛାରଖାର ହୋଇଯାଇଛି । ସତପାଲ୍ ଙ୍କ ସାନପୁଅ ଗଗନ୍ ପାଲକ ସିଂ, ବୋହୁ ଭାବନା ସିଂ, ନାତି ରୁବିର ସିଂ, ନାତୁଣୀ ସୋହାବି ସିଂ ଏବଂ ଘରର କେୟାର ଟେକର୍ ଖୁସି ଦାସ ନିଆଁରେ ଜଳି ଯାଇଛନ୍ତି । ସତପାଲ୍ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର୍ ପ୍ରାୟ ୪ଟା ବେଳେ ଲକ୍ଷ୍ମୀସାଗରସ୍ଥିତ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ସତପାଲ୍ ଙ୍କ ବାସଭବନରେ ଅଗ୍ନିକାଣ୍ଡ ଯୋଗୁଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଗ୍ନିକାଣ୍ଡ କେମିତି ହେଲା ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇପାରିନି । ଆଖି ଆଗରେ ଏହି ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ୫ ଜଣ ସଦସ୍ୟ ନିଆଁରେ ପୋଡ଼ି ମରିଯିବା ଘଟଣା ସମଗ୍ର ରାଜଧାନୀବାସୀଙ୍କୁ ସ୍ତବଧ୍ କରିଦେଇଛି ।
ପଡ଼ୋଶୀଙ୍କ କହିବାନୁଯାୟୀ, ଭୋର୍ ପାଖାପାଖି ୪ଟା ବେଳେ ସତପାଲ୍ ଙ୍କ ଘରୁ ହୁତୁ ହୁତୁ ହୋଇ ନିଆଁ ଓ ଧୂଆଁ ଉଠୁଥିଲା । କିଛି ପଡ଼ୋଶୀ ସେହି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁରେ ପଶିପାରି ନ ଥିଲେ । ତୁରନ୍ତ ଦମକଳବାହିନୀକୁ ସେମାନେ ଖବର ଦେଇଥିଲେ । ଦମକଳବାହିନୀ କର୍ମଚାରୀମାନେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିବା ପରେ ବେଡରୁମ୍ ଭିତରୁ ସତପାଲ୍ ଙ୍କ ପୁଅ ଗଗନ୍, ବୋହୁ ଭାବନା ସିଂଙ୍କୁ ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ୟ ବେଡ଼ରୁମ୍ ରୁ ନାତି, ନାତୁଣୀ ଓ କେୟାର ଟେକରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।
ସକାଳୁ ସକାଳୁ ରାଜଧାନୀରେ ଏହା ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା । ଏହି ମର୍ମନ୍ତୁଦ ହୃଦୟ ବିଦାରକ ଦୃଶ୍ୟ ଦେଖଣାହାରୀଙ୍କୁ କନ୍ଦାଇ ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ କୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ସର୍ଟ ସର୍କିଟ୍ ଯୋଗୁଁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପୁଲିସ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ।