ଭୁବନେଶ୍ୱର: ‘ନିଉଜ୍ ନୁହେଁ, ଓଟିଭି ପେଡ୍ ନିଉଜ୍ କରୁଛି । ସରକାର ଓ ବିଜେଡ଼ି ବିରୋଧରେ ଭିତ୍ତିହୀନ, ଉଦ୍ଦେଶ୍ୟପ୍ରଣୋଦିତ ପ୍ରଚାର ଚଳାଇଛି । ବିଜେଡ଼ି ବିରୋଧରେ ରାଗ ସୁଝାଇବାକୁ ସାଜିଛି ବିଜେପିର ମାଉଥପିସ୍ । ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଏବେ ଏହି ଓଟିଭି ଲାଗିପଡ଼ିଛି । ବିଜେପୁର ଉପନିର୍ବାଚନ ସମ୍ବନ୍ଧୀୟ ବ୍ରେକିଂ ଖବର, ସ୍କ୍ରଲ୍, ପାନେଲ୍ ଡିସକସନ୍, ଡିବେଟ୍, ଜନମଂଚ, ସ୍ପେଶାଲ୍ ପ୍ରୋଗ୍ରାମ୍ ସବୁ ଏକପାଖିଆ ଭାବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରଚାର ପାଇଁ ଉଦ୍ଦିଷ୍ଟ ରହୁଛି । ଏହାର ତଦନ୍ତ କରାଯାଇ ଏହି ଖର୍ଚ୍ଚକୁ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ପକାଯାଉ ।’
ଓଟିଭି ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ଦଳର ଉପସଭାପତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ସାଂସଦ/ମୁଖପାତ୍ର ପ୍ରତାପ ଦେବ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି । ପରେ ପାର୍ଟି ଅଫିସରେ ଉଭୟ ପ୍ରେସ୍ ମିଟ୍ କରି ଓଟିଭି ଉପରେ ବର୍ଷିଥିଲେ । ବିଜେପି ସପକ୍ଷରେ ଓଟିଭି ପେଡ୍ ନିଉଜ୍ କରିବା ପଛରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନକୁ ଅବତାରଣା କରିଥିଲେ ।
ଇମଫା ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓଟିଭିର ପ୍ରମୋଟର ସାଂସ୍ଥା ଓରଟେଲ୍ କମ୍ୟୁନିକେସନ୍ ର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ଏହାର ପରିଚାଳନା ନିର୍ଦ୍ଦେଶକ ସାଙ୍ଗକୁ ଓଟିଭିର ନିର୍ଦ୍ଦେଶକ ଅଛନ୍ତି । ଉଭୟଙ୍କର ଓରଟେଲ୍ ରେ ୨.୮୦୧ ପ୍ରତିଶତ ସେୟାର ରହିଛି । ଦଳବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତ ବିଜେଡ଼ିରୁ ନିଲମ୍ବିତ ହେବା ପରେ ପତି-ପତ୍ନୀ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଟିଭିକୁ ଆୟୁଧ କରି ସରକାର ଓ ବିଜେଡ଼ି ବିରୋଧରେ ଲାଗିପଡ଼ିଛନ୍ତି । ସାଧାରଣରେ ବିଜେଡ଼ି ଓ ସରକାରଙ୍କୁ ବଦନାମ କରିବା ପାଇଁ ହୀନ କ୍ୟାମ୍ପେନ୍ ଚଳାଇଛନ୍ତି ।
ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ପାଇଁ ଓଟିଭି ସାମ୍ବାଦିକତା ନୀତିନିୟମକୁ ଜଳାଂଜଳି ଦେଇଛି । ଓଡ଼ିଶାବାସୀ ଓଟିଭିର ଏହି ହୀନ ପ୍ରଚାରକୁ ଜାଣିସାରିଲେଣି ବୋଲି ଶ୍ରୀ ପାତ୍ର ଓ ଶ୍ରୀ ଦେବ କହିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ଆବେଦନରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି ।
ସେପଟେ ଓଟିଭି ପକ୍ଷରୁ ବିଜେଡ଼ି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଓଟିଭି କଦାପି ପେଡ଼ ନିଉଜ ପରିବେଷଣ କରେ ନାହିଁ ବୋଲି କୁହାଯାଇଛି । ରାଜନୈତିକ ଲଢ଼େଇରେ ଓଟିଭି ଭଳି ପ୍ରତିଷ୍ଠିତ ଚାନେଲକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସଫେଇ ଦିଆଯାଇଛି ।