ଭୁୁବନେଶ୍ୱର: ନୂଆବର୍ଷର ପ୍ରଥମ ବ୍ୟୁରୋକ୍ରାଟ୍ ଅଦଳବଦଳ । ରାଜସ୍ୱ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରୁଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଏବଂ ପରିବହନ କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଦାୟିତ୍ୱ ଭାବେ ତାଙ୍କୁ ମିଳିଛି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ।
କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ସେସୁ ସିଇଓ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନର ସିଏମଡ଼ି ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି ।
ରାଉରକେଲା ମହାନଗର ନିଗମ କମିଶନର ୟେଦୁଲା ବିଜୟଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଥିବା ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛନ୍ତି । ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ର ସିଇଓ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।