ଭୁୁବନେଶ୍ୱର: ଆସିଛି ନୂଆବର୍ଷ । ନୂଆ ଆଶା, ଖୁସିରେ ଝୁମିଛନ୍ତି ଲୋକେ । ପୁରୁଣା ବର୍ଷକୁ ବିଦାୟ ଜଣାଇ ନୂଆ ବର୍ଷକୁ ସ୍ୱାଗତ କରିବାର ଅଭୁଲା ମୁହୁର୍ତ୍ତକୁ ଲୋକେ ମନଭରି ଉପଭୋଗ କରିଛନ୍ତି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରର ହୋଟେଲ, କ୍ଲବ୍ ଆଦିରେ ଜିରୋ ନାଇଟ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା । ଆଜି ନୂଆବର୍ଷର ତମାମ ଦିନକୁ ମଧ୍ୟ ଲୋକେ ଜାକଜମକରେ ପାଳିଛନ୍ତି ।
ସବୁଆଡ଼େ ଉତ୍ସବ, ଉତ୍ସାହର ମାହୋଲ୍ । ସହରଠାରୁ ଗାଁ ଗଣ୍ଡା ସବୁଠି ଜମିଛି ଭୋଜିଭାତ, ନାଚଗୀତର ଆସର । ଛୋଟବଡ଼ ଭେଦଭାବ ଭୁଲିଯାଇଛି ମଣିଷ । ନୂଆବର୍ଷ ଜୀବନରେ ଖୁସି ଭରିଦେଉ ବୋଲି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟରାତ୍ରରୁ ଜନସମୁଦ୍ର ପାଲଟିଥିଲା ପୁରୀ । ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ ଭିତରେ ଥିଲେ ମନ୍ତ୍ରୀ, ପ୍ରଶାସକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା । ମହାପ୍ରଭୁଙ୍କଠାରୁ ଆର୍ଶିବାଦ ପାଇବା ପାଇଁ ସମସ୍ତେ ବ୍ୟାକୁଳ ଥିଲେ । ନୂଆବର୍ଷର ପ୍ରଥମ ସୂର୍ଯେ୍ୟାଦୟ ଦେଖିବାକୁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏକାମ୍ରକ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ମଧ୍ୟ ଅସମ୍ଭବ ଭିଡ଼ ହୋଇଥିଲା । ରାଜ୍ୟର ବିଭିନ୍ନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିବାକୁ ଲୋକମାନେ ଧାଡ଼ି ଲଗାଇଥିଲେ ।
ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ନୂଆବର୍ଷର ମଉଜ କରିବାକୁ ଲୋକଙ୍କର ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା । ଭୋଜିଭାତର ଆସର ସହ ପରିବାର ସହ ଖୁସିମଜାରେ କାଟିଥିଲେ । ସହରଠାରୁ ଗାଁ ସବୁଠି ଭୋଜି, ନାଚଗୀତର ଆସର ଦେଖିବାକୁ ମିଳିଥିଲା ।
ନୂଆବର୍ଷରେ ସରକାରୀ ଛୁଟି ନ ଥିଲା । ଅଫିସ୍ ଖୋଲା ଥିଲେ ମଧ୍ୟ ସରକାରୀ କାର୍ଯ୍ୟ ଧୀମା ରହିଥିଲା । ସହକର୍ମୀଙ୍କ ମେଳରେ ନୂଆବର୍ଷ ମଉଜରେ ମାତିଥିଲେ ଅଫିସର ଓ କର୍ମଚାରୀ । ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର କୁହାଯାଉଥିବା ଲୋକସେବା ଭବନରେ ନୂଆବର୍ଷର ଧୂମ୍ ଦେଖିବାକୁ ମିଳିଥିଲା ।
ସକାଳ ୧୦ଟାରେ ଅଫିସ୍ ଖୋଲିଲା କ୍ଷଣି ଲୋକସେବା ଭବନ କରିଡ଼ରରେ ଗହଳିଚହଳି ଲାଗିଯାଇଥିଲା । ସବୁ ବିଭାଗର ଅଫିସର ଓ କର୍ମଚାରୀମାନେ ଦଳ ଦଳ ହୋଇ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଉଥିଲେ । ଭିଣୋଇଙ୍କ ମୃତ୍ୟୁରେ ଶୋକାଭିଭୂତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ପାଳୁ ନ ଥିବାରୁ ଅଫିସ୍ ଆସି ନ ଥିଲେ । ତେଣୁ ସବୁବର୍ଷ ଭଳି ଏଥର ତୃତୀୟ ମହଲାରେ ସେଭଳି ଗହଳି ହୋଇ ନ ଥିଲା ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମନ୍ଦିର ଦର୍ଶନରୁ ନୂଆବର୍ଷ ଆରମ୍ଭ କରିଥିବା ବେଳେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନୀଳଗିରିସ୍ଥିତ ନିଜ ଚାଳିଆ ଘରେ ପୂଜାପାଠ କରି ନୂଆବର୍ଷ ଆରମ୍ଭ କରିଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅଧିକାଂଶ ମନ୍ତ୍ରୀ, ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ସକାଳୁ ସକାଳୁ ଶ୍ରୀମନ୍ଦିର ଦର୍ଶନ କରିଥିଲେ ।