ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ରୁ ୬ ଜେଇଇ(ମେନ୍) ଏବଂ ସେପ୍ଟେମ୍ବର ୧୩ ରେ ନିର୍ଦ୍ଧାରିତ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶାଙ୍କଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଏ ମର୍ମରେ ଚିଠି ଲେଖିଛନ୍ତି । ବର୍ତ୍ତମାନର ଗମ୍ଭୀର କୋଭିଡ୍ ପରିସ୍ଥିତିରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା କରାଇବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗମାନଗମନ ଦୃଷ୍ଟିରୁ ବିପଦ । ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ଓଡ଼ିଶାରୁ ନିଟ୍ ରେ ୫୦ ହଜାରରୁ ଅଧିକ ଏବଂ ଜେଇଇ(ମେନ୍) ରେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ରାଜ୍ୟର ୭ଟି ସହରରେ ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ କରାଯାଇଛି । ମାତ୍ର ବର୍ତ୍ତମାନର ମହାମାରୀ କୋଭିଡ୍ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ପରୀକ୍ଷାକେନ୍ଦ୍ରରେ ଆସି ପରୀକ୍ଷା ଦେବା ନିରାପଦ ନୁହେଁ । ସେହିଭଳି ବିଭିନ୍ନ ଅଞ୍ଚଳରେ ଲକଡାଉନ୍/ସଟଡାଉନ୍ ଲାଗୁ ହେଉଥିବାରୁ ଦୂରଦୂରାନ୍ତରରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଆସିବା ସମ୍ଭବପର ନୁହେଁ ।
ଭୌଗୋଳିକ ଦୃଷ୍ଟିକୋଣରୁ ଆଦିବାସୀବହୁଳ ଓଡ଼ିଶାର ଅନେକ ଅଞ୍ଚଳ ଦୁର୍ଗମ ଏବଂ ଗମାନଗମନର ସୁବିଧା ନାହିଁ । ଧାର୍ଯ୍ୟ ପରୀକ୍ଷାକେନ୍ଦ୍ରଠାରୁ ଏହି ଅଞ୍ଚଳଗୁଡ଼ିକର ଦୂରତ୍ୱ ଅଧିକ । ତେଣୁ ଏହି ଅଞ୍ଚଳଗୁଡ଼ିକରୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କୋଭିଡ ପରିସ୍ଥିତି ଅଧିକ ସମସ୍ୟା ସୃଷ୍ଟି କରୁଥିବାରୁ ପରୀକ୍ଷା ନ ଘୁଞ୍ଚାଇଲେ ଅଧିକାଂଶ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ।
ଏଥିସହ, ସବୁବେଳେ ଏଭଳି ପରୀକ୍ଷା ପାଇଁ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହାହେଲେ ଛାତ୍ରଛାତ୍ରୀମାନେ ସହଜରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ପରେ ଘରକୁ ଫେରି ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।