– ନଗର ଉନ୍ନୟନ ବିଭାଗର ୬୬ କର୍ମଚାରୀ କାଲି ଗଲେ, ୨୧ ରେ ଫେରିବେ
– ଯୁଗ୍ମ ସଚିବ ସପରିବାର ଗଲେ ବାଙ୍ଗାଲୋର
ଭୁବନେଶ୍ୱର: ବାତ୍ୟା ପରେ ଏବେ ରାଜ୍ୟରେ ବନ୍ୟା ସଙ୍କଟ । ଅଧିକାଂଶ ଜାଗା ବନ୍ୟା ପାଣିରେ ଉବୁଟୁବୁ ହେଉଛି । ଲୋକେ ନିଜର ଧନ ଜୀବନ ବଂଚାଇବା ପାଇଁ ଡହଳ ବିକଳ ହେଉଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ସମୀକ୍ଷା ପରେ ସମୀକ୍ଷା କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ଅନୁଧ୍ୟାନ କରୁଛନ୍ତି । ଉଦ୍ଧାର,ରିଲିଫ୍, ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପୂଜାଛୁଟି ବାତିଲ କରାଯାଇଛି । ମାତ୍ର ଏତିକିବେଳେ ସବୁଠାରୁ ଅଧିକ ଦାୟିତ୍ୱ ରଖୁଥିବା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସ୍ଥାଣୁ ଅବସ୍ଥାକୁ ଚାଲିଆସିଛି । ନିର୍ଦ୍ଦିଷ୍ଟ ବାବୁ ଓ କର୍ମଚାରୀମାନେ ଦାୟିତ୍ୱ ଛାଡ଼ି ମଉଜରେ ମାତିଛନ୍ତି । ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ବିଭାଗର କର୍ମଚାରୀମାନେ ପୂଜା ମଉଜ କରିବାକୁ କାଲିଠାରୁ ମହୀଶୂର ଭ୍ରମଣରେ ପଳାଇଛନ୍ତି । ସେଠି ମଉଜମସ୍ତି କରି ୨୧ ତାରିଖ ଦିନ ଭୁବନେଶ୍ୱର ଫେରିବେ ।
ସରକାରୀ ଅଫିସରେ ଆଜିଠାରୁ ପୂଜାଛୁଟି ପଡୁଥିଲା । କିନ୍ତୁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦୃଷ୍ଟିରୁ ଗତକାଲି ରାଜ୍ୟ ସରକାର ଏହି ଛୁଟି ବାତିଲ କରିଦେଇଥିଲେ । ସବୁ ଅଫିସର ଓ କର୍ମଚାରୀ ଅଫିସରେ ରହି ବନ୍ୟା ମୁକାବିଲା କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦିଆଗଲା । ସଚିବାଳୟ ଅଫିସର ଓ କର୍ମଚାରୀଙ୍କୁ ଏଥିପାଇଁ ଅଧିକ ସଜାଗ କରାଗଲା । ମାତ୍ର ସରକାରଙ୍କ ଛୁଟି ବାତିଲ ଘୋଷଣାର କିଛି ସମୟ ପରେ ସଚିବାଳୟ ନଗର ଉନ୍ନୟନ ବିଭାଗର ପ୍ରାୟ ୬୬ ଜଣ କର୍ମଚାରୀ ରାଜ୍ୟ ବାହାରକୁ ମଉଜ ପାଇଁ ବାହାରିଗଲେ । ଦୂରନ୍ତ ଏକ୍ସପ୍ରେସ୍ ର ଦୁଇଟି ବଗିରେ ସେମାନେ ମହୀଶୂର ଯାତ୍ରା କରିଛନ୍ତି । ପୂର୍ବରୁ ଏହି ଟ୍ରିପ୍ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସେମାନେ ଛୁଟି ବାତିଲ ଜାଣି ବି ଯାତ୍ରା ବାତିଲ ଚରିନାହାନ୍ତି ।
ଖାଲି ସେତିକି ନୁହେଁ, ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ବି ସରକାରୀ ଆଦେଶକୁ ଖାତିର କରିନାହାନ୍ତି । ସପରିବାରେ ପୂଜାଛୁଟି ମନେଇବା ପାଇଁ ଗତକାଲି ବିମାନରେ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି । ୫ ଦିନ ତଳୁ ବିଭାଗର ସଚିବ ଜି. ମାଥିଭାଥନନ୍ ସରକାରୀ କାମରେ ଦକ୍ଷିଣ ଆଫ୍ରିକା ଯାଇଛନ୍ତି ଯେ ଏ ଯାଏଁ ଫେରିନାହାନ୍ତି ।
ବନ୍ୟା ବେଳେ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ବିଭିନ୍ନ ସହରାଞ୍ଚଳବାସୀ ବନ୍ୟା ଘେରରେ ଆଉଟୁପାଉଟୁ ହେଉଥିବା ବେଳେ ଖୋଦ୍ ସଚିବାଳୟ ଦପ୍ତର ଖାଲି ହୋଇଯାଇଛି । ରାଜ୍ୟବାସୀଙ୍କ ଦୁର୍ଦ୍ଦିନ ବେଳେ ସରକାରୀ ଆଦେଶକୁ ଅବଜ୍ଞା କରି ସଚିବାଳୟ ବାବୁମାନେ ରାଜ୍ୟ ବାହାରେ ପୂଜା ମଉଜ କରିବାକୁ ଯିବା ଅତ୍ୟନ୍ତ ସାଂଘାତିକ କଥା ।