ଭୁୁବନେଶ୍ୱର: ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାର ଗୁଣୁପୁର ସବ ଡିଭିଜନ୍ ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ୧୫ ଦିନ ପାଇଁ ରିଲିଫ୍ ଦିଆଯିବ । ହାରାହାରି ୪ ଜଣ ଲୋକ ଥିବା ପରିବାର ତିନି ହଜାରରୁ ଅଧିକ ଟଙ୍କା ରିଲିଫ୍ ଆକାରରେ ପାଇବେ । ଆଜି ସଂଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସମୀକ୍ଷା କଲା ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ
– ବନ୍ୟାରେ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ ଯାତାୟତ ବ୍ୟବସ୍ଥା ୪୮ ଘଣ୍ଟା ମଧ୍ୟରେ ଠିକ୍ ହେବ ।
– ୯୦ ପ୍ରତିଶତ ପ୍ରଭାବିତ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବ । ୩ରୁ ୫ ଦିନ ମଧ୍ୟରେ ଅବଶିଷ୍ଟ ୧୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଯୋଗାଣ ଠିକ୍ ହେବ ।
– ପ୍ରଭାବିତ ସବୁ ବ୍ଲକ୍ ଅଞ୍ଚଳକୁ ୪୮ ଘଣ୍ଟା ମଧ୍ୟରେ ପିଇବା ପାଣି ଯୋଗାଇ ଦିଆଯିବ ।
– ପ୍ରଭାବିତ ଅଞ୍ଚଳରେ ଅଚଳ ହୋଇଯାଇଥିବା ନଳକୂପଗୁଡ଼ିକୁ କାଲି ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ।
– ଆସନ୍ତା ୨୪ ଘଣ୍ଟା କାଲି ସୁଦ୍ଧା ସହରାଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରାଯିବ । ଯେଉଁଟି ଦରକାର ଜେନେରେଟର୍ ଯୋଗେ ପାଣି ଯୋଗାଇ ଦିଆଯିବ ।
– ରିଲିଫ୍ ଓ ଥଇଥାନ କାର୍ଯ୍ୟ ସରିଲା ପରେ କ୍ଷୟକ୍ଷତି ଆକଳନ କରାଯିବ
ସୂଚନାଯୋଗ୍ୟ, ଆଜି ସକାଳେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଗଂଜାମ, ଗଜପତି ଓ ରାୟଗଡ଼ା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ବନ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।