ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ପ୍ରତୀକ୍ଷା ପରେ ମିଳିଛି ନ୍ୟାୟ । ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ପୁନଃ ବିଚାର ଆବେଦନକୁ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଆଜି ଖାରଜ କରିଦେଇଛନ୍ତି । ଏଥିସହ ରାଜକ୍ଷମା ଆବେଦନ ପାଇଁ ତାକୁ ୭ ଦିନ ସମୟ ଦେଇଛନ୍ତି । ପୂର୍ବରୁ ଅନ୍ୟ ୩ ଜଣ ଦୋଷୀ ମୁକେଶ, ପାୱନ ଗୁପ୍ତା ଏବଂ ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟ ଦ୍ୱାରା ଖାରଜ ହୋଇଥିଲା । ସୁପ୍ରିମକୋର୍ଟ ଙ୍କ ଏହି ବିଚାର ସହ ୪ ଜଣ ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା ହୋଇଯାଇଛି । କେବେ ସେମାନେ ଫାଶୀଖୁଣ୍ଟରେ ଝୁଲିବେ ଦେଶବାସୀ ତାହାର ଅବଗଣନା ଆରମ୍ଭ କରିଛନ୍ତି ।
୨୦୧୨ ଡିସେମ୍ବର ୧୬ ତାରିଖ ସଂଧ୍ୟାରେ ଦିଲ୍ଲୀର ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂ(ନିର୍ଭୟା)ଙ୍କୁ ଏକ ଚଳନ୍ତା ବସ୍ ରେ ଗଣଦୁଷ୍କର୍ମ କରାଯାଇଥିଲା । ବସ୍ ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ୬ ଜଣ ତାଙ୍କୁ ଦୁଷ୍କର୍ମ କଲା ପରେ ମାରିବା ଲକ୍ଷ୍ୟରେ ତାଙ୍କୁ କିଲବିଲ୍ କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଡାକ୍ତରଖାନାରେ ୧୨ ଦିନ ଧରି ଜୀବନ ସହ ସଂଘର୍ଷ ପରେ ଆଖି ବୁଜିଦେଇଥିଲେ ନିର୍ଭୟା । ଏହି ବର୍ବରକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆର୍ନ୍ତଜୀତୀୟସ୍ତରରେ ବି ଭାରତର ଛବି ମଳିନ ପଡ଼ିଯାଇଥିଲା ।
ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲ୍ ରେ ଆତ୍ମହତ୍ୟା କରିଥିଲେ । ଅନ୍ୟ ୫ ଅଭିଯୁକ୍ତଙ୍କ ଟ୍ରାଏଲ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ହୋଇଥିଲା । ୨୦୧୩ ସେପ୍ଟେମ୍ବର ୧୩ ରେ ଫାଷ୍ଟ ଟ୍ରାକ୍ କୋର୍ଟ ଅକ୍ଷୟ, ମୁକେଶ, ପୱନ ଏବଂ ବିନୟ ଶର୍ମାକୁ ଫାଶୀଦଣ୍ଡ ଶୁଣାଇଥିବା ବେଳେ ଅନ୍ୟ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇଥିଲେ । ଫାଷ୍ଟ୍ର ଟ୍ରାକ୍ କୋର୍ଟ ରାୟ ବିରୋଧରେ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା ।୨୦୧୭ ମେ ୫ ତାରିଖରେ ସୁପ୍ରିମକୋର୍ଟ ଫାଶୀଦଣ୍ଡାଦେଶକୁ କାଏମ ରଖିଥିଲେ ।
ଆଜିର ସୁପ୍ରିମକୋର୍ଟ ରାୟ ଆସିବା ପରେ ନିର୍ଭୟାଙ୍କ ମାଆଙ୍କ ମୁହଁରେ ଖୁସି ଫୁଟିଛି । ଦୋଷୀମାନଙ୍କୁ ଅତିଶୀଘ୍ର ଫାଶୀ ଦେବାକୁ ସେ କୋର୍ଟକୁ ନିବେଦନ କରିଛନ୍ତି ।