ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କ୍ୟାପିଟାଲ ହସ୍ପିଟାଲରେ ସମ୍ଭବତଃ ଷ୍ଟଣ୍ଟ ସୋ କରିଛନ୍ତି । ନବଙ୍କ ଏଭଳି ଘୋଷଣା ଷ୍ଟେଣ୍ଟ ଲଗାଇବା ବାହାନରେ ଷ୍ଟଣ୍ଟ ସୋ ବୋଲି ଚର୍ଚ୍ଚା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ନଥିଲେ । ସେବେଠାରୁ ଏଠାରେ ବଡ ଘୋଷଣା ପାଇଁ ନବ ଉଦ୍ୟମ ଚଳାଇଥିବାବେଳେ ସେଥିରେ ସଫଳ ହୋଇଥିବା କୁହାଯାଉଛି।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୧୫/୨୦ ଟି ଆଞ୍ଜିଓଗ୍ରାମ ଓ ଷ୍ଟେଣ୍ଟ ଲାଗିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏଭଳି ପ୍ରେସ୍ ବିବୃତ୍ତି ଜାରି କରିବାପରେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । କ୍ୟାପିଟାଲ୍ ହସ୍ପିଟାଲ୍ ସହ ପରିଚିତ ଲୋକଙ୍କ କହିବାକଥା ଦାନ୍ତ ଚିକିତ୍ସା ଠିକଣା ଭାବରେ ହୋଇପାରୁନଥିବା କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୧୫/୨୦ ଷ୍ଟେଣ୍ଟ ଲାଗିବା ପାଇଁ ଘୋଷଣା କରିବା କେବଳ ଷ୍ଟଣ୍ଟ ଛଡା ଆଉ କିଛି ନୁହେଁ । କାରଣ ରାଜଧାନୀରେ ଥିବା ନାମୀ ଦାମୀ ଘରୋଇ ଡାକ୍ତରଖାନାରେ ଏଭଳି ଚିକିତ୍ସା ଦିନକୁ ଅତି ବେଶିରେ ୭/୮ଟି ହୋଇପାରୁଛି । ହେଲେ କେଉଁ ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଲେ ବୁଝା ପଡୁନାହିଁ । କଟକ ଏସ୍ସିବି ମେଡିକାଲ କଲେଜର ହୃଦ୍ରୋଗ ବିଭାଗରେ ହେଉଥିବା ଅପରେସନ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀ ଅଭାବରୁ ବନ୍ଦ ହେବାକୁ ବସିଥିବାବେଳେ ତାହା କିଭଳି ଠିକଣା ଭାବେ ହେବ ସେଥିପ୍ରତି ଦୃଷ୍ଟି ନଦେଇ କ୍ୟାପିଟାଲ ହସ୍ପିଟାଲରେ ଏତେ ବଡ ଘୋଷଣା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
କେବଳ ହୃଦ୍ରୋଗ ଚିକିତ୍ସା ନେଇ ଏଭଳି ଷ୍ଟଣ୍ଟ ହୋଇଛି ତାହା ନୁହେଁ, ସ୍ୱାସ୍ଥ୍ୟ ପ୍ରଶାସନରେ ବି ନୂଆ ଘଟଣା ଦେଖିବାକୁ ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦୁଇ ଜଣ ଡାଇରେକ୍ଟର ବି ନିଯୁକ୍ତି ହୋଇଛନ୍ତି । ଜଣେ ହେଲେ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଅଶୋକ ପଟ୍ଟନାୟକ ଓ ଆଉ ଜଣେ ହେଉଛନ୍ତି ସେହି ଡାକ୍ତରଖାନାର ହୃଦ୍ରୋଗ ବିଭାଗରେ ନୂଆ ଡାଇରେକ୍ଟର ପ୍ରଭାତ କୁମାର ଦାସ । ଡାକ୍ତର ଦାସ ହେଉଛନ୍ତି ଦେଶର ଜଣେ ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ । ତେବେ ସିଏ କ୍ୟାପିଟାଲ ହସ୍ପିଟାଲରେ କାହା ଅଧିନରେ କାମ କରିବେ ଓ ତାଙ୍କ କାମର ତଦାରଖ କିଏ କରିବ ତାହା ଏକ ବଡ ପ୍ରଶ୍ନବାଚୀ ହୋଇଛି ।
ଅଳ୍ପ ଦିନ ତଳେ ଡାକ୍ତର ଦାସ ମନ୍ତ୍ରୀଙ୍କ ସହିତ କ୍ୟାପିଟାଲ ପରିଦର୍ଶନରେ ଆସିଥିବାବେଳେ ହୃଦ୍ରୋଗ ଚିକିତ୍ସା କଥା ଉଠିଥିଲା । ହେଲେ ମାସକ ଭିତରେ କ୍ୟାପିଟାଲ ହସ୍ପିଟାଲରେ କିଭଳି ଭିତ୍ତିଭୂମି ତିଆରି ହେଲା ଯେ ଦିନକୁ ୧୫/୨୦ ଷ୍ଟେଣ୍ଟ ଲାଗିବା ସହିତ ଆଞ୍ଜିଓଗ୍ରାମ ହୋଇପାରିବ ପ୍ରଶ୍ନ ହେଉଛି । କାରଣ ବର୍ତ୍ତମାନ ହୃଦ୍ରୋଗ ବିଭାଗରେ ଯେତିକି ବ୍ୟବସ୍ଥା ରହିଛି ସେଥିରେ ରିପୋର୍ଟ ଦେଖାଇବାକୁ ରୋଗୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ।
ନବଙ୍କ ଏଭଳି ଘୋଷଣା ଖୋଦ୍ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଚକିତ କରିଛି । କୌଣସି ପ୍ରକାରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଏଭଳି ସେବା ଏତେଶୀଘ୍ର ସମ୍ଭବ ନୁହେଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ ଯାହା ବି ହେଉ, ରାଜଧାନୀର ଏକ ନମ୍ବର ସରକାରୀ ହସ୍ପିଟାଲ୍ ରେ ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇ ନ ପାରିଲେ ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ବିଫଳତାର ଶ୍ରେୟ ମୁଣ୍ଡେଇବାକୁ ପଡ଼ିବ ।