ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଦୁର୍ଗମ ଲାଠିଗୁଡ଼ା ଗାଁର ୫ ବର୍ଷର କୁନିପୁଅ ବିଷ୍ଣୁର କଷ୍ଟ, ଦୁର୍ଦ୍ଦଶା ବୁଝିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଡରେ ଅହେତୁକ ଭାବେ ବଢ଼ୁଥିବା ଏକ ମାଂସ ପିଣ୍ଡୁଳାକୁ ଧରି ଏହି କୁନି ପିଲାଟି କଷ୍ଟରେ ଛଟପଟ ହେଉଥିବା ବେଳେ ତାର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତାର ହାତ ବଢ଼ାଇଛନ୍ତି । ତୁରନ୍ତ ପିଲାଟିକୁ ଆବଶ୍ୟକ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ତାକୁ କଟକ ବଡ଼ ମେଡ଼ିକାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଭର୍ତ୍ତ କରାଯାଇଛି । ପ୍ରାଥମିକ ପରୀକ୍ଷା ନିରୀକ୍ଷା ପରେ ବିଭାଗୀୟ ମୁଖ୍ୟ ଡ. ଅନ୍ନଦା ପ୍ରସାଦ ପଟ୍ଟନାୟକ ନିଜେ ଚିକିତ୍ସା ଆରମ୍ଭ କରିଛନ୍ତି ।
ଲାଠିଗୁଡ଼ା ଗାଁର ନକୁଳ ପେଣ୍ଠିଆଙ୍କର ପାଞ୍ଚ ଜଣିଆ ପରିବାର । ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅ । ଦୁଇପୁଅରେ ବିଷ୍ଣୁ ବଡ଼ପୁଅ । ଦାରିଦ୍ର୍ୟ ଭିତରେ ସଢ଼ୁଥିବା ନକୂଳ ମୂଲ ଲାଗି ପରିବାର ଚଳାଉଛନ୍ତି । ଏତିକିବେଳେ ବୋଝ ଉପରେ ଲଳିତା ବିଡ଼ା ଭଳି ପୁଅ ବିଷ୍ଣୁର ଅବସ୍ଥା ହୋଇଛି । ତା ବାମ ଗୋଡ଼ରେ ଅପ୍ରାକୃତିକ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢ଼ିଚାଲିଛି । ତେବେ ଆର୍ଥିକ ବୋଝ ସତ୍ତ୍ୱେ ପୁଅକୁ ଭଲ କରିବା ପାଇଁ ସାଧ୍ୟମତେ ଚେଷ୍ଟା କରିଥିଲେ ନକୁଳ । ପୁଅକୁ ପ୍ରଥମେ ବୋରିଗୁମ୍ମା ଏବଂ ପରେ ପରେ ଜୟପୁର, କୋରାପୁଟ ମେଡ଼ିକାଲ୍ ନେଇଥିଲେ । ମାତ୍ର ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପିଲାକୁ କଟକ ନଚେତ ବ୍ରହ୍ମପୁର ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଯାହା ନକୁଳଙ୍କ ପକ୍ଷରେ ଆଦୌ ସମ୍ଭବ ନ ଥିଲା ।






