ଭୁବନେଶ୍ୱର: ୨୦୧୮ ନୂଆବର୍ଷରେ ଆଜି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଥିଲା । ସଚିବାଳୟଠାରୁ ଆରମ୍ଭ କରି ରାଜ୍ୟର ପୁରପଲ୍ଲୀରେ ଲୋକମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳିଥିଲେ ନୂଆବର୍ଷ । ଜିରୋ ନାଇଟ୍ ରୁ ଆରମ୍ଭ ନୂଆବର୍ଷ ଉତ୍ସବ ଦିନ ତମାମ ଚାଲିଥିଲା । ବିଭିନ୍ନ ପାର୍କ, ପିକନିକ୍ ସ୍ପଷ୍ଟ, ହୋଟେଲ, ରେଷ୍ଟୁରାଣ୍ଟରେ ଲୋକମାନେ ପରିବାର ସହ ବେଶ୍ ଖୁସି ମନାଇଥିଲେ । ମନ୍ଦିରମାନଙ୍କରେ ମଧ୍ୟ ଭିଡ଼ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରଭାବଶାଳୀ ନେତାଙ୍କ ଘରେ ଲୋକଙ୍କର ଭିଡ଼ ଜମିଥିଲା । ସେମାନଙ୍କର ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସକାଳୁ ନବୀନ ନିବାସରେ ଦଳୀୟ ନେତା, ମନ୍ତ୍ରୀ ଓ ବିଧାୟକଙ୍କର ଭିଡ଼ ଜମିଥିଲା । ପରେ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ଡ. ଏସ.ସି.ଜମିରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେପଟେ ସଚିବାଳୟରେ ଅଫିସର ଓ କର୍ମଚାରୀ ମହଲରେ ଶୁଭେଚ୍ଛାର ସୁଅ ଛୁଟିଥିଲା । ବିଭିନ୍ନ ବିଭାଗରେ ପ୍ରସାଦ ସେବନ ହୋଇଥିଲା । ସଚିବାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିଲା ପରେ ଅଫିସର ଓ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଦଳ ଦଳ ହୋଇ ଯାଇଥିଲେ ତୃତୀୟ ମହଲା । ପିସିସିି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ନେତାମାନଙ୍କ ଘରେ ମଧ୍ୟ ଶୁଭେଚ୍ଛୁଙ୍କର ପ୍ରବଳ ଭିଡ଼ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତାମାନେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶିବାଦ ଲୋଡ଼ିଥିଲେ ।