ଆଉ କେଇ ଘଣ୍ଟା ପରେ ଆମଠାରୁ ବିଦାୟ ନେଇଯିବ ୨୦୧୭ । ଇତିହାସର ଆଇନାରେ ଯୋଡି ହୋଇଯିବ ଆଉ ଗୋଟିଏ ବର୍ଷର ସ୍ମୃତି । ସବୁବର୍ଷର ଏଇ ବିଦାୟ ବେଳାଟି ମନରେ ବହୁତ କଷ୍ଟ ଦିଏ । ସ୍ମୃତିର ପାଖୁଡା ସାଉଁଟିବାକୁ ମନ ବ୍ୟାକୁଳ ହୋଇଥାଏ । କିଛି ସ୍ମୃତି ମନରେ ଆନନ୍ଦ ଭରିଦିଏ ତ ଆଉ କିଛି ବିଷାଦ । ତେବେ ପୁରୁଣା ଦିନର ସେହି ଆନନ୍ଦ ଓ ବିଷାଦ, ପାଦ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ହୋଇଥାଏ । ମଣିଷକୁ ପୁଣି ଏକ ନୂଆ ସ୍ୱପ୍ନ ଓ ସମ୍ଭାବନା ଆଣିଦିଏ । ନିୟତିର ଏହି ଧାରାରେ ଆମେ ସମସ୍ତେ ବନ୍ଧା । ବର୍ଷଟିଏ ବିତିଗଲା ବେଳେ ମନରେ ଆବେଗ ଆସେ । ଅତୀତକୁ ଝୁରି ହୋଇ ଆଖିରୁ ଲୁହ ବୋହିଆସେ । ଠିକ୍ ଯେମିତି ମଣିଷ ଜୀବନ… । ଜନ୍ମ ଓ ମୃତ୍ୟୁର ଦୂରତା ଏମିତି ଏକ ବର୍ଷର ଆରମ୍ଭ ଓ ଶେଷର ଦୂରତା ଭଳି । ଏହି ଆରମ୍ଭ ଓ ଶେଷ ଚଲାପଥର ସୂକ୍ଷ୍ମଧାରାଟି ଆଉ କେହି ନୁହେଁ ସମୟ । ହଁ, ସମୟ ଆସେ ଓ ଚାଲିଯାଏ । ଯିଏ ଏହି ସମୟର ସଦୁପଯୋଗ କଲେ ସେ ଜିତିଲେ । ଯିଏ ପାରିଲେନି ସେ ହାରିଲେ । ଜୀବନରେ ଜିତିବାର ସଂକଳ୍ପ ଆଜିର ବିଦାୟ ବେଳାର ବଡ଼ ଆହ୍ୱାନ । ଜୀବନର ଚଲାପଥରେ ସମସ୍ତେ ଜିତନ୍ତୁ । ସବୁ ମଣିଷ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ କରନ୍ତୁ । ସଂକୀର୍ଣ୍ଣତା, ସ୍ୱାର୍ଥପରତା ନ ରଖି ମାନବିକ ମୂଲ୍ୟବୋଧର ଜୀବନ ଜିଅନ୍ତୁ । ୨୦୧୭ ବର୍ଷକୁ ବିଦାୟ ବେଳାରେ ‘ମିଡ଼-ଡ଼େ ଓଡ଼ିଶା’ର ଏହି କାମନା ସହ ୨୦୧୮ ବର୍ଷ ପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଅଭିନନ୍ଦନ । ନୂତନ ବର୍ଷଟି ସମସ୍ତଙ୍କ ପାଇଁ ସୁଖ,ଶାନ୍ତି,ସମୃଦ୍ଧି ଓ ଭାଇଚାରାର ବର୍ଷ ହେଉ । -ମୁଖ୍ୟ ସମ୍ପାଦକ