ଭୁବନେଶ୍ୱର: ୨୦୧୭ ମସିହାରେ ସବୁଠାରୁ ଅଧିକ ମିଷ୍ଟ୍ରି ହୋଇ ରହିଗଲା ପାଲ୍ ହାଇଟସ୍ ମାଲିକ ସତପାଲ ସିଂ ପରିବାର ଟ୍ରାଜେଡ଼ି । ବୁଦ୍ଧେଶ୍ୱରୀ ନଗରସ୍ଥିତ ନିଜ ଘରେ ନିଆଁରେ ପୋଡ଼ି ମରିଗଲେ ସତପାଲ୍ ଙ୍କ ସାନ ପୁଅ ଗଗନ ପାଲ ସିଂ, ବୋହୁ ଭାବନା ସିଂ, ନାତି ରୁବିର ସିଂ, ନାତୁଣୀ ସୋହାବି ସିଂ ଏବଂ କେୟାର ଟେକର୍ ଖୁସି ଦାସ । ଅଗଷ୍ଟ ୩ ତାରିଖ ଭୋର ୪ଟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଦଇବ ବାଛି ବାଛି ନେଇଗଲା ସତପାଲ୍ ଙ୍କ ସାନପୁଅ ପରିବାରକୁ । ଦୁଇ/ତିନି ଦିନ ଧରି ଗଣମାଧ୍ୟମରେ ଏହି ଦୁଃଖଦ ଘଟଣାର ଛାନଭିନ୍ ହେଲା । ତଦନ୍ତ ଆଳରେ ପୁଲିସ ଝାଳନାଳ ନିଗାଡ଼ିଲା । ସିସିଟିଭି ହାର୍ଡଡିସ୍କ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଫୋରେନସିକ୍ ଲାବୋରେଟିକୁ ଯାଞ୍ଚ ପାଇଁ ପଠାଇଲା । ବାସ୍ ତାପରେ ନା ଗଣମାଧ୍ୟମରେ ଏହାର ଫଲୋ ଅପ୍ ଆସିଲା ନା ପୁଲିସ ତଦନ୍ତର ଫଳାଫଳ ଦେଲା । ସତପାଲ୍ ସିଂ ଓ ତାଙ୍କ ବଡ଼ପୁଅ ବି ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଗଲେ । ସବୁ କିଛି ମିଳାଇଗଲା ।
ସତପାଲ୍ ଙ୍କ ସାନପୁଅ ଗଗନଙ୍କ ପରିବାର ରହୁଥିଲେ ଘରର ତୃତୀୟ ମହଲାରେ । ଦ୍ୱିତୀୟ ମହଲାରେ ବଡ଼ପୁଅ ଓ ସବା ତଳେ ରହୁଥିଲେ ସତପାଲ୍ ଓ ପତ୍ନୀ । କୁହାଗଲା, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଲା । ପୁଲିସ ତଦନ୍ତରୁ ଏୟା ବି ଜଣାଗଲା ତଳୁ ନିଆଁ ଲାଗି ଉପରକୁ ବ୍ୟାପିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ତଳ ଓ ପ୍ରଥମ ମହଲାରେ କାହାର କିଛି ଆଘାତ ଲାଗି ନ ଥିଲା ବେଳେ ତୃତୀୟ ମହଲାରେ ୫ ଜଣଙ୍କୁ ଜାଳିଦେଲା । ପୁଲିସ ତଦନ୍ତ କାଳରେ କ’ଣ ଦେଖିଲା, କ’ଣ ଶୁଣିଲା ଓ କ’ଣ ପାଇଲା ତାହା କାହାରିକୁ ଜଣାନାହିଁ । ହେଲେ ୬ ଦିନ ପରେ ଯାଇ ଘରର ସିସିଟିଭି ଅନୁଧ୍ୟାନ କଲାବେଳକୁ ତୃତୀୟ ମହଲାର ସିସିଟିଭି ହାର୍ଡଡିସ୍କ ପୋଡ଼ି ଯାଇଥିବା ଦେଖିଥିଲା । କିନ୍ତୁ ଘରର ଅନ୍ୟ ସିସିଟିଭି ହାର୍ଡଡିସ୍କର ସନ୍ଧାନ ପାଇଥିଲା ପୁଲିସ । ଆଶ୍ଚର୍ଯ୍ୟର କଥା, ସେହି ଜବତ ହାର୍ଡଡିସ୍କରେ ଫୁଟେଜ୍ ସେଟିଂ ଠିକ୍ ନ ଥିଲା । ସେଥିରେ ତାରିଖ ଏପଟ ସେପଟ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ନିଶ୍ଚିତ ହୋଇଥିଲା । ଅଧିକ ଯାଞ୍ଚ ପାଇଁ ତାହାକୁ ଫୋରେନସିକ୍ ଲାବୋରେଟୋରିକୁ ପଠାଇଥିଲା । ଅନ୍ୟାନ୍ୟ ଦିଗର ତଦନ୍ତ ପାଇଁ ବିଶେଷଜ୍ଞ ଟିମ୍ ବି ଆଣିଥିଲା । ଖୁବ୍ ଶୀଘ୍ର ଅଗ୍ନିକାଣ୍ଡର ରହସ୍ୟ ଜଣାପଡ଼ିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ଦମ୍ଭ ଦେଖାଇଥିଲେ । ମାତ୍ର ୫ ମାସ ବିତିଗଲା ପଛେ ପୁଲିସର କାର୍ଯ୍ୟ ଜଣାପଡ଼ିଲା ନାହିଁ । ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରେ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହି ମାମଲାକୁ ଟାଳିଦେଇଛନ୍ତି । ଖୋଦ୍ ଡିସିପି ମଧ୍ୟ ତଦନ୍ତର ଦିଗ ଉପରେ ଧରାଛୁଆଁ ଦେଉନାହାନ୍ତି ।
ଆଉ ରହିଲେ ଗଣମାଧ୍ୟମ । ଛୋଟ ଛୋଟ କଥାରେ ତୁମ୍ବିତୋଫାନ କରୁଥିବା ଗଣମାଧ୍ୟମ ଖୋଦ୍ ଭୁବନେଶ୍ୱରର ଛାତି ଉପରେ ଏକ ପ୍ରତିଷ୍ଠିତ ନାମଜାଦା ପରିବାରର ରହସ୍ୟଜନକ ଅଘଟଣ ଉପରେ ଚୁପ୍ ହୋଇଯାଇଛନ୍ତି । ସତେକି ହୁଇପ୍ ଜାରି ହେଲା ଭଳି ଏହି ଖବର ଉପରେ କଟକଣା ଲାଗିଛି । ଗଣମାଧ୍ୟମରେ ଖବର ଛପିଯିବା ପୁଲିସକୁ ବି ସୁହାଇଛି । ଲୋକଙ୍କ ମନରୁ ହଜିଯାଇଥିବାରୁ ପୁଲିସ ଆରାମ୍ ହୋଇଯାଇଛି । ହୁଏତ ସତପାଲ ସିଂ ଓ ତାଙ୍କ ବଡ଼ପୁଅ ଏହି ଅଘଟଣର ପର୍ଦ୍ଦାଫାସ୍ କରିବାକୁ ଆଗ୍ରହ ଦେଖାଇଥିଲେ ପୁଲିସ ଚାପରେ ରହିଥାନ୍ତା । ମାତ୍ର ତାହା ବି ହୋଇନି । ତେବେ ଏହି ମର୍ମନ୍ତୁଦ ଅଘଟଣରେ ଅସମାହିତ ରହିଥିବା ପ୍ରଶ୍ନର ଉତ୍ତର ଏବେ ବି ଉଙ୍କି ମାରିଛି..
ଦ୍ୱିତୀୟ ମହଲାରୁ ନିଆଁ ଯାଇ ତୃତୀୟ ମହଲାକୁ ବ୍ୟାପିଗଲା । ତୃତୀୟ ମହଲାର ତିନି ତିନିଟି ବେଡ଼ରୁମ୍ କୁ ନିଆଁ ଓ ଧୂଆଁ ପଶି ସାନପୁଅ ପରିବାରର ୪ଜଣ ଯାକ ସଦସ୍ୟ ଓ ନାବାଳିକା କେୟାର ଟେକର୍ ଙ୍କ ଜୀବନ ନେଇଗଲା । ମାତ୍ର ନିଆଁର ମୂଳ ଉତ୍ସ ଦ୍ୱିତୀୟ ମହଲାକୁ ଅକ୍ଷତରେ ଛାଡ଼ିଦେଲା । ସେଠାରେ ରହୁଥିବା ବଡ଼ପୁଅ ପରିବାର ୪ ସଦସ୍ୟଙ୍କ ଦେହରେ ଇଞ୍ଚେ ବି ଆଘାତ ଆଣିଲା ନାହିଁ । ଦ୍ୱିତୀୟ ମହଲାରୁ ନିଆଁ ଲାଗିବା ପରେ ସେଠାରେ ରହୁଥିବା ବଡ଼ପୁଅ ପରିବାର ସୌଭାଗ୍ୟବଶତଃ ଅକ୍ଷତ ଅବସ୍ଥାରେ ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଲେ । ହେଲେ ତାପରେ ଗଲେ କୁଆଡେ ? ନିଜ ଘରେ ନିଆଁ ଜଳୁଥିବା ବେଳେ ସେମାନଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା କି ? ଜୀବନ ବିକଳରେ ଧାଁ ଧପଡ଼ କରିଥିଲେ କି ? ନିଆଁରୁ ସାନଭାଇ ପରିବାରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କି ? ପୁଲିସ କି ଦମକଳବାହିନୀକୁ ଖବର ଦେଇଥିଲେ କି ? ପ୍ରଥମ ମହଲାରେ ରହୁଥିବା ଘରର ମୁରବୀ ସତପାଲ୍ ସିଂ ଓ ତାଙ୍କ ପତ୍ନୀ ଅଗ୍ନିକାଣ୍ଡ ବିଷୟରେ ପ୍ରଥମେ ବଡ଼ପୁଅଠାରୁ ଜାଣିଲେ ନା ପଡୋଶୀଙ୍କଠାରୁ ? ନିଆଁ ଡରରେ ଅବାକ୍ ହୋଇ ମୁକ ପାଲଟିଗଲେ କି ? ଏତେବଡ଼ ଶିକ୍ଷିତ ଓ ସମ୍ବ୍ରାନ୍ତ ପରିବାର ସଦସ୍ୟମାନେ ନିଜେ ଦମକଳ ନ ଡାକି ପାହାନ୍ତା ପହରର ନିଦରେ ଶୋଇଥିବା ପଡୋଶୀଙ୍କ ଆଗମନକୁ ଅପେକ୍ଷା କରିଥିଲେ କି ?