ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ଅବସରରେ ବିଜେପିର ସିରିଜ୍ ବିକ୍ଷୋଭ, ଅଣ୍ଡାମାଡ଼ ଓ ଚୂଡ଼ି ପ୍ରଦର୍ଶନ ବିଜେଡ଼ି ନେତାଙ୍କ ପାରିବାରପଣିଆକୁ ପଦାରେ ପକାଇଛି । ଏହାକୁ ପୁଲିସ ଓ ପଲିଟିକାଲ୍ ଇଣ୍ଟେଲଜେନ୍ସ ଫେଲୁଅର୍ ବୋଲି କୁହାଯାଉଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଏହା କ୍ଷୁବ୍ଧ କରିଛି । କଟକରେ ଗଣ୍ଡା ଗଣ୍ଡା ବିଜେଡ଼ିର ପ୍ରଭାବୀ ନେତା ଅଛନ୍ତି । କଟକ ବାରବାଧୀ ବିଧାୟକ ଦେବାଶିଷ ସାମନ୍ତରାୟ କଟକରେ ନିଜର ଅଖଣ୍ଡ ପ୍ରଭାବ ଓ ଦବଦବା ଦାବି କରୁଛନ୍ତି । ପଡ଼ୋଶୀ ମାହାଙ୍ଗା ବିଧାୟକ ତଥା କଟକ ବାସିନ୍ଦା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସେଠି ଅଖଣ୍ଡ ସାମ୍ରାଜ୍ୟର ଦାବିଦାର । କଟକ ସଦର ବିଧାୟକ ତଥା ଖେଳମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବି ସହରରେ ନିଜର ଆଧିପତ୍ୟ ଦାବିଦାରରେ ପଛରେ ନାହାନ୍ତି । ଗିରଫ ହୋଇଥିବା ବିଧାୟକ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ମଧ୍ୟ ସହରରେ ପ୍ରବଳ ଦବଦବା । କଟକ ବାସିନ୍ଦା ତଥା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ମଧ୍ୟ କଟକରେ କୁଆଡ଼େ ଜବରଦସ୍ତ ସଂଗଠନ । ମାତ୍ର ଏତେ ବଡ଼ ବଡ଼ ମୁଣ୍ଡିଙ୍କୁ କିମିଆ କରି ସମୀର ଦେ ଓ ସଜ୍ଜନ ଶର୍ମାଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ହଲାପଟା ଉଦ୍ୟମ କରି ନିଜର ଶକ୍ତି ଦେଖାଇବା ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ସହ ଦଳର ଦୁର୍ବଳ ଶକ୍ତିକୁ ପଦାରେ ପକାଇଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବିକ୍ଷୋଭ କିମ୍ବା ଅଣ୍ଡାମାଡ଼ କରିବାରେ ବିଜେପିବାଲା ସମର୍ଥ ହୋଇ ନ ଥିଲେ ମଧ୍ୟ ସେହିଭଳି ଏକ ମାହୋଲ୍ ସୃଷ୍ଟି କରିବାରେ ସମର୍ଥ ହୋଇଥିବାରୁ ବିଜେଡ଼ିକୁ ଚଟକଣା ମାରିଲା ଭଳି ହୋଇଛି । କଟକ ସହରରେ ବିଜେଡ଼ି ପାଇଁ ବିଜେପି ଚାଲେଂଜ ହୋଇଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ତାଙ୍କର ପ୍ରଭାବୀ ନେତାଙ୍କ ବିଫଳତା ଖୋଦ୍ ବିଜେଡ଼ି ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ନିଜ ନାଁରେ ରେସନ୍ କାର୍ଡ ଇସ୍ୟୁ କରିବା ଭଳି ଏକ ମାମୁଲି ଘଟଣାରେ ମେୟର ଅନୀତା ବେହେରାଙ୍କୁ ହଟାଯିବା କଟକ ବିଜେଡ଼ି ସଂଗଠନ ଉପରେ ଜବରଦସ୍ତ ପ୍ରଭାବ ରଖିଛି । କଟକ ମହାନଗର ନିଗମରେ ଯାହା ଅବସ୍ଥା ଏବେ ସେଠି ନିର୍ବାଚନ ହେଲେ ବିଜେଡ଼ି ସଫା ହୋଇଯିବ ବୋଲି ତାଙ୍କର ଆଶଙ୍କା । ଦଳକୁ ସଜାଡ଼ି ବିଜେପିର କ୍ରମବର୍ଦ୍ଦିଷ୍ଣୁ ଶକ୍ତିକୁ ପ୍ରତିହତ କରିବା ବଦଳରେ କଟକୀ ନେତାମାନେ ଭୁବନେଶ୍ୱରରେ ପାୱାର ସୋ ଦେଖାଇବାରେ ମାତିଛନ୍ତି । ଖାସ୍ କରି ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାରିବାରପଣିଆକୁ ବିଜେଡ଼ିର ଅନେକ ନେତା ଅଙ୍ଗୁଳି ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯୋବ୍ରା ନିକଟରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ତୟାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । ଏଥିରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ମାରିବାକୁ ଥିବା ଅଣ୍ଡାକୁ ବିଜେପି କର୍ମୀମାନେ ପୁଲିସ ଗାଡ଼ି ଉପରକୁ ମାଡ଼ କରିଥିଲେ । ସେହିପରି ସିଡ଼ିଏରେ ବିଜେପି କର୍ମୀମାନେ କଳାପତାକା ଓ ଚୂଡ଼ି ଧରି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ । ସୌଭାଗ୍ୟ, ପୁଲିସ ସେମାନଙ୍କୁ ଗିରଫ କରି ମୁଖ୍ୟମନ୍ତ୍ରୀଙ୍କୁ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିଦେଇଥିଲା ।