ଭୁବନେଶ୍ୱର: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହାଁଇ ଙ୍କୁ ଆଜି ଭୁବନେଶ୍ୱର ବିଜେପି ଅଫିସରେ ପ୍ରବଳ ହଟାହଟା ହେବାକୁ ପଡ଼ିଛି । ବିନା ତଥ୍ୟରେ ରାଜ୍ୟର ବିଜେଡ଼ି ସରକାରଙ୍କୁ ସମାଲୋଚନା କରି ଶେଷରେ କ୍ଷମା ମାଗିଛନ୍ତି । ‘ବିନା ତଥ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାରୁ ଭୁଲ୍ ମାଗୁଛି ।’ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁକ୍ତ କଣ୍ଠରେ କହିଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ । ତଥ୍ୟ ନ ଯୋଗାଇ ତାଙ୍କୁ ଏଭଳି କହିବା ପାଇଁ ପ୍ରବର୍ତ୍ତାଇଥିବା ବିଜେପି କର୍ମକର୍ତ୍ତାଙ୍କୁ ସେ ତାଗିଦ୍ କରିବା ସହ ରେଳ ବିଭାଗର ପଦସ୍ଥ ଅଧିକାରୀଙ୍କୁ ମନଇଚ୍ଛା ବର୍ଷିଥିଲେ ।
ଭୁବନେଶ୍ୱର ରେଳଷ୍ଟେସନ୍ ର ଦ୍ୱିତୀୟ ପ୍ରବେଶ ପଥର ଲୋକାର୍ପଣ ଏବଂ ନୂତନ ବୁକିଂ କାର୍ଯ୍ୟାଳୟ ଉଦଘାଟନ ପାଇଁ ଭୁବନେଶ୍ୱର ଆସିଛନ୍ତି ରାଜେନ୍ ଗୋହାଁଇ । ଆଜି ସକାଳୁ ତାଙ୍କର ବିଜେପି ଅଫିସରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ବିଜେପି ନେତାମାନେ ତାଙ୍କୁ ପାର୍ଟି ଅଫିସକୁ ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣ ବିଳମ୍ବ ପାଇଁ ରାଜ୍ୟ ସରକାର ଦାୟୀ ବୋଲି ତାଙ୍କ ପାଟିରେ କୁହାଇବାକୁ ଚାହିଁଥିଲେ । ସେୟା ହିଁ ହେଲା । ରେଳ ରାଷ୍ଟ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ତାହାକୁ ପ୍ରମ୍ପଟିଂ କଲେ । ‘କେନ୍ଦ୍ର ସରକାର ରାଜ୍ୟକୁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥବରାଦ କରୁଛନ୍ତି । ମାତ୍ର ଜମି ଅଧିଗ୍ରହଣ ନ ହେବା କାରଣରୁ ପ୍ରକଳ୍ପ ଆଗେଇପାରୁନି’ କହି ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସାମ୍ବାଦିକମାନେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କଠାରୁ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ଦଆଯାଇଛି ଏବଂ ଜମି ଅଧିଗ୍ରହଣର ପ୍ରତିବନ୍ଧକତା ହେତୁ କେଉଁ ପ୍ରକଳ୍ପ ଅଟକି ରହିଛି ତାହାର ତଥ୍ୟ ଜାଣିବାକୁ ଚାହିଁଥିଲେ । ମାତ୍ର ମନ୍ତ୍ରୀ ସେଥିରେ ଇତଃସ୍ତତଃ ହୋଇପଡ଼ିଥିଲେ । ତାଙ୍କ ପାଖରେ ସେ ତଥ୍ୟ ନାହିଁ ବୋଲି ବିନମ୍ର କଣ୍ଠରେ ସ୍ୱୀକାର କରିଥିଲେ ।
ବିନା ତଥ୍ୟରେ ଆପଣ କିଭଳି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ବୋଲି ସାମ୍ବାଦିକମାନେ ଘେରିବା ପରେ ରେଳ ରାଷ୍ଟ୍ରମନ୍ତ୍ରୀ ନିଜର ଭୁଲ୍ ବୁଝିପାରିଥିଲେ । ବିନା ଦ୍ୱିଧାରେ ସେ କହିଥିଲେ, ‘ମୋର ଭୁଲ୍ ହୋଇଯାଇଛି । ମୁଁ ଏଠାରେ କାହାରକୁ ଟାର୍ଗେଟ୍ କରିବାକୁ ଆସି ନ ଥିଲି’ ବୋଲି ଚଟାପଟ ଉତ୍ତର ଦେଇ ସେଠାରେ ଉପସ୍ଥିତ ରାଜ୍ୟ ନେତାଙ୍କ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ତଥ୍ୟ ଯୋଗାଡ଼ କରିବାକୁ ମୁଁ ଉଦ୍ୟମ କରିବି କହି ସାମ୍ବାଦିକ ସମ୍ମିଳନୀ ଶେଷ କରିଥିଲେ । ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ଅବସ୍ଥା ରାଜ୍ୟ ନେତାମାନଙ୍କର ଅକଲ ଗୁଡୁମ୍ କରିଦେଇଥିଲା ।