ଭୁବନେଶ୍ୱର: ଗୋଇଠା ମାରି ବିଷ୍ଣୁ କହିଲେ ନେତା । ବ୍ରହ୍ମପୁରର ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ଜଣେ ନବାଗତ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଥିଲେ । ସୋସିଆଲ୍ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ତାଙ୍କର ହେଜ ପଶିଛି । ଚାପୁଡ଼ା ମାରି ସେ ଭୁଲ କରିଛନ୍ତି ଏବଂ ସେଥିପାଇଁ ଅନୁତପ୍ତ ବୋଲି ଆଜି ଗଣମାଧ୍ୟମରେ ସଫେଇ ଦେଇ ନିଜର ଦୋଷ ଛଡ଼ାଇ ଦେଇଛନ୍ତି । ବିଜେଡ଼ି ନେତାମାନେ ନମ୍ର, ସରଳ ଆଚରଣ ଦେଖାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପରାମର୍ଶ ଦେଉଥିବା ବେଳେ ତାଙ୍କ ଦଳର ସାଂସଦ ଜଣେ କର୍ମୀଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରି ପଛରେ ଭୁଲ୍ କହିବା, ଗୋଇଠା ମାରି ବିଷ୍ଣୁ ଭଳି ହୋଇଛି ।
ଗତକାଲି ପାରଳାଖେମୁଣ୍ଡିରେ ବିଜେଡ଼ି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବ ବେଳେ ସାଂସଦଙ୍କର ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଥିଲା । କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଉଥିବା ସଂଗ୍ରାମ ସାହୁ ନାମକ ଯୁବନେତାଙ୍କ ଗାଲକୁ ସାଂସଦ ସେହି ମିଶ୍ରଣ ପର୍ବ ମଞ୍ଚରେ ଗୋଟିଏ ଶକ୍ତ ଚାପୁଡ଼ା ମାରିଥିଲେ । କାରଣ ଥିଲା, ମଞ୍ଚ ରେ ଆସୀନ ବିଜେଡ଼ିର ଗଜପତି ଜିଲ୍ଲା ପ୍ରଭାରୀ ତଥା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କଠାରୁ ଉତ୍ତରୀୟ ଗ୍ରହଣ କରିବାକୁ ମନା କରିଥିଲେ ସଂଗ୍ରାମ । ସାଂସଦ ତାଙ୍କୁ ସମ୍ବର୍ଦ୍ଧିତ କରନ୍ତୁ ବୋଲି ଅଡ଼ି କରିଥିଲେ । ସଂଗ୍ରାମଙ୍କର ଏହି ଆଚରଣ ଚନ୍ଦ୍ର ବାବୁଙ୍କର ମୁଣ୍ଡ ଗରମ କରିଦେଇଥିଲା । ସେହି ଷ୍ଟେଜ୍ ଉପରେ ଦୁଲକିନା ଚାପୁଡ଼ା ପକାଇଲେ ସଂଗ୍ରାମଙ୍କ ଗାଲରେ ।
କ୍ୟାମେରାରେ କଏଦ ଏହି ଦୃଶ୍ୟକୁ ବିଜେପି ନେତା ଭୃଗୁ ବକ୍ସିପାତ୍ର ତାଙ୍କ ଟୁଇଟର ଆକାଉଣ୍ଟରେ ଛାଡ଼ିବା ପରେ ତାହା ବିଜୁଳି ବେକରେ ଭାଇରାଲ୍ ହୋଇଥିଲା । ବିଜେଡ଼ି ସାଂସଦଙ୍କର ଏହି ଆଚରଣ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଚାପୁଡ଼ା ଖାଇଥିବା ସଂଗ୍ରାମ ଗଣମାଧ୍ୟମରେ ନିର୍ଲ୍ଲଜ ଭାବେ ତାହାକୁ ଗେଲ୍ ର ଆଖ୍ୟା ଦେଇ ଚର୍ଚ୍ଚାର ଅବସାନ ଘଟାଇବାକୁ ଚାହିଁଥିଲେ । ମାତ୍ର ତାହା ବୁମେରାଂ ହୋଇଥିଲା । ଖୋଦ ନବୀନ ନିବାସରେ ଚହଳ ପକାଇଲା ସାଂସଦଙ୍କ ଆଚରଣ । ନବୀନ ନିବାସରେ ହାଜର ପାଇଁ ଚନ୍ଦ୍ରଙ୍କୁ ଡକରା ଆସିଲା । ସୁପ୍ରିମୋଙ୍କ ଆଗରେ ହାଜର ହେବା ଆଗରୁ ଚନ୍ଦ୍ର ବାବୁ ଅତର୍ଚ୍ଛିଆ ହୋଇ ଗଣମାଧ୍ୟମ ଜରିଆରେ ନିଜର ଦୋଷ ସ୍ୱୀକାର କରିଛନ୍ତିଏବଂ ସେଥିପାଇଁ ଅନୁତାପ କରିଛନ୍ତି । ମୋର ଏଭଳି ଟେମ୍ପର୍ ଲୁଜ୍ କରିବାର ନ ଥିଲା ବୋଲି ସାଂସଦ କହିଛନ୍ତି ।
୬୯ ବର୍ଷ ବୟସ୍କ ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ଭଦ୍ର ଓ ଅମାୟିକ ଲୋକ ଭାବେ ଜଣାଶୁଣା ଥିଲେ ମଧ୍ୟ ଦଳୀୟ ମଞ୍ଚରେ ହଠାତ ରାଗିଯାଇ ଜଣଙ୍କୁ ଶକ୍ତ ଚାପୁଡ଼ା ମାରିବା ଘଟଣାକୁ କେହି ସହଜରେ ଗ୍ରହଣ କରିନାହାନ୍ତି । ତାଙ୍କର ଏହି ଆଚରଣରେ ବିଜେଡ଼ି ନେତାଙ୍କ ଅହଂକାର ଟ୍ୟାଗ୍ ଲାଗିଛି । ଚନ୍ଦ୍ର ବାବୁ ନିଜର ଭୁଲ୍ ପାଇଁ ଯେତେ ସଫେଇ ଦେଲେ ବି ଚର୍ଚ୍ଚା ଥମୁନାହିଁ ।
ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ଆଚରଣକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ନେତାମାନେ ନମ୍ର ଓ ସରଳ ହୋଇ ସାଧାରଣ ଲୋକଙ୍କ ସହ ମିଶିବାକୁ ପରାମର୍ଶ ଦେଉଛନ୍ତି । ମାତ୍ର ଦଳୀୟ ସାଂସଦଙ୍କର ଏଭଳି ବିପରୀତ ଆଚରଣ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କରିଛି । ବିଜେଡ଼ି ସାଂସଦଙ୍କ ଆଚରଣକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।