ଭୁବନେଶ୍ୱର: ସରକାରୀ ଇଂଜିନିୟରମାନଙ୍କ ବଦଳି ଓ ପୋଷ୍ଟିଂରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏକ ନୂଆ ବଦଳି ନୀତି ଗ୍ରହଣ କରିଛି । ଓଡ଼ିଶା ଇଂଜିନିୟରିଂ ସର୍ଭିସ୍(ଓଇଏସ୍)ଏବଂ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ୍(ଓଡ଼ିଇଏସ୍) କ୍ୟାଡରରେ ଥିବା ଚାକିରିଆମାନଙ୍କ ପାଇଁ ଏହି ନୂଆ ବଦଳି ନୀତି ଲାଗୁ ହେବ । ରାଜ୍ୟ ସରକାରଙ୍କ ୫-ଟି ନୀତିକୁ ଆଖିରେ ରଖି ପୂର୍ତ୍ତ ବିଭାଗ ଏହାର ଗାଇଡ଼ଲାଇନ ପ୍ରସ୍ତୁତ କରିଛି । ନୂଆ ନିୟମରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି ।
ନୂଆ ନୀତି ଅନୁଯାୟୀ, ଏଣିକି ଓଇଏସ୍ କ୍ୟାଡରଭୁକ୍ତ ଇଂଜିନିୟରମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ମିଳିବ ନାହିଁ । ସେହିଭଳି ଓଡ଼ିଇଏସ୍ କ୍ୟାଡରଭୁକ୍ତ ଇଂଜିନିୟରମାନଙ୍କୁ ସେମାନଙ୍କ ନିଜ ସବ ଡିଭିଜନ୍ ରେ ନିଯୁକ୍ତି ମିଳିବ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ରାଜସ୍ୱ ଜିଲ୍ଲାରେ ଓଇଏସ୍ ଇଂଜିନିୟରମାନେ ୧୦ ବର୍ଷରୁ ଅଧିକ କାଳ କାମ କରିପାରିବେ ନାହିଁ । ଡିପ୍ଲୋମା ଇଂଜିନିୟରଙ୍କ କ୍ଷେତ୍ରରେ ଏହା ୫ ବର୍ଷ ଅଧିକ ରଖାଯାଇଛି । ନିର୍ଦ୍ଦିଷ୍ଟ ରାଜସ୍ୱ ଜିଲ୍ଲାରେ ସେମାନଙ୍କୁ ସର୍ବାଧିକ ୧୫ ବର୍ଷ କାମ କରିବାକୁ ସୁଯୋଗ ମିଳିବ ।
ସାଧାରଣ ଭାବେ ଜଣେ ଇଂଜିନିୟର ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ୩ ବର୍ଷ ପୂରଣ କଲା ପରେ ଯାଇ ତାଙ୍କର ବଦଳି ହୋଇପାରିବ । ତେବେ ନିର୍ଦ୍ଦିଷ୍ଟ ଜାଗାରେ ଜଣେ ୫ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ । ଅବସର ସମୟ ୨ ବର୍ଷ ବାକି ଥିଲେ ଇଂଜିନିୟରମାନଙ୍କର ବଦଳି ହେବ ନାହିଁ । ୧୦ ବର୍ଷ ଡେପୁଟେସନ୍ ରେ କାଟିଥିବା ଅଧିକାରୀମାନଙ୍କୁ ମୂଳ ବିଭାଗକୁ ଫେରାଇ ଆଣିବାକୁ ନୂଆ ନିୟମରେ ବ୍ୟବସ୍ଥା ହୋଇଛି ।
ତେବେ ପ୍ରଶାସନିକ କିମ୍ବା ସ୍ୱାସ୍ଥ୍ୟଗତ କାରଣ ପାଇଁ ଏହି ନିୟମ କୋହଳ ହେବ । ଅର୍ଥାତ୍ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଆବଶ୍ୟକ ପଡ଼ିଲେ ସଂପୃକ୍ତ ଇଂଜିନିୟରଙ୍କ ପାଇଁ ବଦଳି ନିୟମ କୋହଳ କରାଯିବ । ସେହିଭଳି ତାଙ୍କର କିମ୍ବା ପରିବାରର ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯିବ ।
ବଦଳି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ତିନୋଟି ଇଂଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି ଗଠନ କରାଯାଇଛି । ପୂର୍ତ୍ତ ବିଭାଗ କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏକଜ୍ୟୁଟିଭ ଇଂଜିନିୟର ଏବଂ ତତୁଦ୍ଧ୍ୱର୍ ଅଧିକାରୀମାନଙ୍କ ବଦଳି ଏବଂ ପୋଷ୍ଟିଂ ପାଇଁ ସୁପାରିଶ କରିବେ । ସେହିଭଳି ବିଭାଗୀୟ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଡେପୁଟି ଏକଜ୍ୟୁଟିଭ୍ ଇଂଜିନିୟର ଏବଂ ଅସିଷ୍ଟାଣ୍ଟ ଏକଜୁ୍ୟଟିଭ୍ ଇଂଜିନିୟରମାନଙ୍କର ବଦଳି ଓ ପୋଷ୍ଟିଂ ପାଇଁ ସୁପାରିଶ କରିବେ । ଇଂଜିନିୟର-ଇନ୍-ଚିଫ୍(ସିଭିଲ) ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଜୁନିୟର ଇଂଜିନିୟରମାନଙ୍କର ବଦଳି ଓ ପୋଷ୍ଟିଂ ପାଇଁ ସୁପାରିଶ କରିବେ ।
ଇଂଜିନିୟର ଏବଂ ଡିପ୍ଲୋମା ଇଂଜିନିୟରମାନଙ୍କର ଆବଶ୍ୟକତାକୁ ଚାହିଁ କମିଟି ସରକାରଙ୍କୁ ସୁପାରିଶ କରିବେ ।
ସରକାରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ନୀତିକୁ କାର୍ଯ୍ୟକାରୀ କରିବା ଲାଗି ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କର ଏହା ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି । ନିକଟରେ ପୂର୍ତ୍ତ ବିଭାଗର ୧୦ ଜଣ ଇଂଜିନିୟର ଡେପୁଟେସନ୍ ରେ ଯାଇ ବିଭାଗରୁ ଫେରି ନ ଥିବା ତାଙ୍କ ଦୃଷ୍ଟିକୁ ଆସିବା ପରେ ସଚିବ କଠୋର ଆଭିମୁଖ୍ୟ ଦେଖାଇଥିଲେ ।