ଭୁବନେଶ୍ୱର: ପୋସ୍କୋ କଥା ଭୁଲି ଓଡ଼ିଶା ସହ ନୂଆ ସମ୍ପର୍କରେ ଯୋଡି ହେବାକୁ ଯାଉଛି କୋରିଆ । ତେବେ ଏଥର ଆଉ ଇସ୍ପାତ ଭଳି ମେଗା ଶିଳ୍ପ କ୍ଷେତ୍ରରେ ନୁହେଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପୁଞ୍ଜି ଖଟାଇବାକୁ ଚାହିଁଛି । ବିଶେଷ କରି ଅଟୋ ମୋବାଇଲ୍ ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ଓଡ଼ିଶାରେ କାରଖାନା ବସାଇବାକୁ କୋରିଆ ଆଗ୍ରହୀ ହୋଇପଡ଼ିଛି । ଆଜି କୋରିଆର ଶିଳ୍ପ ଓ ବାଣିଜ୍ୟିକ ପ୍ରତିନିଧି ଦଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଆଗ୍ରହ ଦେଖାଇଛନ୍ତି । କୋରିଆର ଆଗ୍ରହକୁ ଏକ ବଡ଼ ସୁଯୋଗ ଭାବି ମୁଖ୍ୟମନ୍ତ୍ରୀ ଉତ୍ସାହିତ ହୋଇପଡ଼ିଛନ୍ତି । ଓଡ଼ିଶାରେ ବିପୁଳ ପୁଞ୍ଜି ଖଟାଇବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଦିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
ରିପବ୍ଲିକ୍ ଅଫ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ୍ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଥିଲେ ସାମସଙ୍ଗ, ଏଲଜି, କିଆ ମୋଟର୍ସ ଭଳି ବଛା ବଛା ୯ଟି କମ୍ପାନୀର ପ୍ରତିନିଧି । ଏମାନଙ୍କୁ ମିଶାଇ ୪୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜି ନିବେଶ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଇଲେକଟ୍ରୋନିକ୍ସ, ମାନୁଫାକଚରିଂ, ପେଟ୍ରୋଲିୟମ୍, କେମିକାଲସ୍ ଆଣ୍ଡ ପେଟ୍ରୋ କେମିକାଲସ୍, ଟେକ୍ସଟାଇଲସ୍, ଟୁରିଜିମ୍ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ସେମାନେ ଆଗ୍ରହୀ ଥିବା ଜଣାଇଥିଲେ । ଧାତୁ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଡାଉନଷ୍ଟି୍ମ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ପୁଞ୍ଜି ଖଟାଇବାକୁ ସେମାନଙ୍କ ଆଗ୍ରହ ରଖିଥିଲେ ।
କୋରିଆ ପ୍ରତିନିଧି ଦଳର ଆଗ୍ରହ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଉତ୍ସାହିତ ହୋଇପଡ଼ିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହି କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିବେଶକୁ ଉତ୍ସାହିତ କରୁଥିବା ଜଣାଇଥିଲେ । କୋରିଆ ଏବଂ ଓଡ଼ିଶା ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ପର୍ଯ୍ୟଟନର ବିସ୍ତାର ପାଇଁ ଏହା ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ଦେଇଥିଲେ । କୋରିଆ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ, ଶିଳ୍ପ ଅନୁକୂଳ ଭିତ୍ତିଭୂମି ଏବଂ ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ପୁଞ୍ଜି ନିବେଶ ପାଇଁ କୋରିଆ ପୁଣି ଥରେ ଓଡ଼ିଶା ମୁହାଁ ହୋଇଥିବାରୁ ରାଜ୍ୟ ସରକାର ଏହି ସୁଯୋଗକୁ ଆଉ ହାତଛଡ଼ା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ଇସ୍ପାତ ଶିଳ୍ପ ପାଇଁ ୫୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ସ୍ୱପ୍ନ ଦେଖିଥିବା କୋରିଆ କମ୍ପାନୀ ପୋସ୍କୋର ଅବସ୍ଥା କ’ଣ ହେଲା ତାହା ସମସ୍ତଙ୍କୁ ଜଣା । ତେବେ ଅତୀତରେ ଓଡ଼ିଶାର ଏହି ତିକ୍ତ ଅନୁଭୂତିକୁ କୋରିଆ ଭୁଲି ଯାଇ ନୂଆ ସ୍ୱପ୍ନ ଧରିବା ଏବଂ ରାଜ୍ୟ ସରକାର ତାହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିବା ଚର୍ଚ୍ଚାର ବିଷୟ ହୋଇଛି ।