ଭୁବନେଶ୍ୱର: ଧର୍ମଶାଳାର ଦୁଇ ଥରର ଯୁବ ବିଧାୟକ ପ୍ରଣବ(ଜିତୁ) ବଳବନ୍ତରାୟଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବୀରୁ ହଟାଯାଇଛି । ସେହି ପଦବୀଟି ରୋହିତ ପୂଜାରୀଙ୍କୁ ଫେରାଇ ଦିଆଯାଇଛି । ରେଢ଼ାଖୋଲ ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ରୋହିତ ଗତ ବିଧାନସଭାରେ ସେହି ଉପମୁଖ୍ୟ ସଚେତକ ପଦରେ ଥିଲେ । ଏଥର ସେ ମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଥିଲେ । ମାତ୍ର ମନ୍ତ୍ରୀ ହେବାର ସୌଭାଗ୍ୟ ତ ମିଳିଲାନି, ବରଂ ଦଳରେ ସେ ଉପେକ୍ଷିତ ହୋଇଗଲେ । ଯାହାକି ରୋହିତଙ୍କୁ ଅସନ୍ତୁଷ୍ଟ କରିଦେଇଥିଲା । ବିଜେପୁର ଉପନିର୍ବାଚନ ଦୃଷ୍ଟିରୁ ସମ୍ଭବତଃ ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ଯୁବନେତାଙ୍କୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ।
ଅନ୍ୟପକ୍ଷରେ, ମାତ୍ର ତିନି ମାସ ତଳେ ଉପମୁଖ୍ୟ ସଚେତକ ପଦବୀରେ ନିଯୁକ୍ତି ପାଇଥିବା ଜିତୁ ବଳବନ୍ତରାୟଙ୍କୁ ଅଚାନକ ହଟାଇ ଦିଆଯିବା ବିଜେଡ଼ି ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି । ରୋହିତ ପୂଜାରୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଭାବଶାଳୀ ଜିତୁଙ୍କୁ କ’ଣ ବଳି ଦିଆଗଲା କି ବୋଲି ପ୍ରଶ୍ନ ହେଉଛି । ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିତୁଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ଯୋଜନା ହୋଇଛି । ତାଙ୍କୁ ସନ୍ତୁଷ୍ଟ କରିବାକୁ ଦୁଇଟି ବିକଳ୍ପ ରାସ୍ତା ରହିଛି । ଗୋଟିଏ ହେଲା, ଯୁବ ବିଜେଡ଼ି ସଭାପତି ଏବଂ ଅନ୍ୟଟି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଦୁଇଟି ଯାକ ପଦବୀ ଉପମୁଖ୍ୟ ସଚେତକ ପଦର ଉତ୍ତମ ବିକଳ୍ପ ହୋଇଥିବାରୁ ଜିତୁ ଖୁସି ରହିବେ ବୋଲି କୁହାଯାଉଛି ।
ଉପମୁଖ୍ୟ ସଚେତକ ପଦବୀ ଫେରି ପାଇଥିବା ରୋହିତ ପୂଜାରୀ ଖୁସି ଅଛନ୍ତି ନା ନାହିଁ ଜଣାପଡ଼ିନାହିଁ । କାରଣ ଏଥର ଖାଲି ମନ୍ତ୍ରୀ ନୁହେଁ, କ୍ୟାବିନେଟ୍ ମନ୍ତ୍ରୀ ହେବେ ବୋଲି ତାଙ୍କର ଆଶା ଥିଲା । ମାତ୍ର କିଛି ହୋଇ ନ ପାରିବାରୁ ତାଙ୍କର ମନ ମରିଯାଇଥିଲା । ଅସନ୍ତୁଷ୍ଟ ଚରମ ସୀମାରେ ପହଞ୍ଚଥିଲା । ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରୋହିତଙ୍କୁ ତାଙ୍କ ପୂର୍ବ ଜାଗାରେ ଥଇଥାନ କରିଥିବା କୁହାଯାଉଥିଲେ ମଧ୍ୟ ରୋହିତଙ୍କୁ ଏହା କେତେ ଦୂର ସନ୍ତୁଷ୍ଟ କରିଛି ତାହା ଜଣାପଡ଼ିନାହିଁ । ରୋହିତଙ୍କ ପ୍ରତିକ୍ରିୟା ଜାଣିବାକୁ ଆମେ ଚେଷ୍ଟା କରିଥିଲୁ । ମାତ୍ର ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।