ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ପୁତୁରା ଅରୁଣ ପଟ୍ଟନାୟକ ନା ଅନ୍ୟ କେହି? ପଞ୍ଚମ ଥର ପାଇଁ ଶାସନ ଗାଦିରେ ବସିଥିବା ୭୨ ବର୍ଷ ବୟସ୍କ ନବୀନଙ୍କ କ୍ଷେତ୍ରରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ପଞ୍ଚମ ଥର ପାଇଁ ନିର୍ବାଚନକୁ ଗଲା ବେଳେ ବିଭିନ୍ନ ଗଣମାଧ୍ୟମ ପଚାରିଥିବା ଏହି ପ୍ରଶ୍ନକୁ ଅତ୍ୟନ୍ତ ଚତୁରତାର ସହ ସାମନା କରିଥିଲେ ନବୀନ । ଆଜି ପୁଣି ସେହି ପ୍ରଶ୍ନ ଏବଂ ସେହି ସମାନ ଉତ୍ତର । ତାଙ୍କ ଉତ୍ତରାଧିକାରୀ କିଏ ବୋଲି ଆଜି ଭୁବନେଶ୍ୱରର ଏକ ଖୋଲା ମଞ୍ଚରେ ନବୀନଙ୍କୁ ପ୍ରଶ୍ନ ପଚାରିଥିଲେ ପ୍ରଖ୍ୟାତ ସାମ୍ବାଦିକ ପ୍ରଭୁ ଚାୱାଲା । ଆଉ ନବୀନଙ୍କ ଉତ୍ତର ଥିଲା.. ତାଙ୍କର ଉତ୍ତରାଧିକାରୀଙ୍କୁ ଲୋକେ ବାଛିବେ ।
ଉଲ୍ଲେଖ ଥାଉକି, ନିଜ ଉତ୍ତରାଧିକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଏହି ଉତ୍ତରକୁ ରାଜନୈତିକ ମହଲ ବିଶ୍ୱାସ କରୁନାହାନ୍ତି । ଉତ୍ତରାଧିକାରୀ ପ୍ରଶ୍ନକୁ ମୁଖ୍ୟମନ୍ତ୍ରୀ ଏହିଭଳି ଭାବେ ବାଆଁରେଇ ଦେଉଛନ୍ତି । ପୁତୁରା ଅରୁଣ ପଟ୍ଟନାୟକଙ୍କୁ କୁଆଡ଼େ ଉତ୍ତରାଧିକାରୀ ସୂତ୍ରରେ ଆଣିବାକୁ ତାଙ୍କର ଯୋଜନା । ଦୁଇ ଦଶନ୍ଧୀର ବିଜେଡ଼ି ରାଜନୀତିରେ ନବୀନ ତାଙ୍କର ବିକଳ୍ପ ନେତା ସୃଷ୍ଟି ନ କରିବା ଏହି ବାର୍ତ୍ତା ଦେଉଥିବା ରାଜନୈତିକ ପଣ୍ଡିତମାନେ କହୁଛନ୍ତି ।
ଆଜି ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଆୟୋଜିତ ଓଡ଼ିଆ ଲିଟେରାରି ଫେଷ୍ଟିଭାଲ୍ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଆଉ କିଛି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ପ୍ରଭୁ ଚାୱାଲା । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସ୍ୱାସ୍ଥ୍ୟର ରହସ୍ୟ ସମ୍ପର୍କରେ ପଚାରିଥିଲେ । ନବୀନ କହିଥିଲେ, ମୁଁ ଅଳ୍ପ ଖାଏ ଏବଂ ଦୁଇ ଓଳି ବ୍ୟାୟାମ କରେ । ନରେନ୍ଦ୍ର ମୋଦି ସରକାରଙ୍କ ସହ ସମ୍ପର୍କ କିଭଳି? ନବୀନ କହିଥିଲେ, ଆମେ ଦୁହେଁ ଗଠନମୂଳକ କାର୍ଯ୍ୟରେ ବିଶ୍ୱାସ ରଖୁ । ଭବିଷ୍ୟତ ଯୋଜନା କ’ଣ ବୋଲି ପ୍ରଶ୍ନରେ ନବୀନ କହିଥିଲେ, ଅବସର ସମୟ ଲେଖାଲେଖିରେ କାଟିବେ । ତେବେ ଆତ୍ମଜୀବନୀ ଲେଖିବା ପାଇଁ ଏବେ ସୁଦ୍ଧା ଯୋଜନା ନାହିଁ । ଆଗକୁ ସମୟ କହିବ ବୋଲି ନବୀନ କହିଥିଲେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ୍ୱାରା ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍ ଅଷ୍ଟମ ସଂସ୍କରଣର ସଫଳ ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ । ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଏକ ଅମୋଘ ଅସ୍ତ୍ର ହୋଇ ରହି ଆସିଛି । ସାହିତ୍ୟ ହିଁ ସାମାଜିକ ପରିବର୍ତ୍ତନ ଓ ଆନନ୍ଦ ଆଣିଦିଏ । ସମଗ୍ର ବିଶ୍ୱର ବିଭିନ୍ନ କୋଣରେ ବିରାଟ ସାମାଜିକ ପରିବର୍ତ୍ତନ ପଛରେ ବୈପ୍ଲବିକ ଚିିନ୍ତାନାୟକ ଏବଂ ଲେଖକ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ସାହିତ୍ୟ ଜଗତକୁ ତାଙ୍କର ସୃଷ୍ଟି ନୂଆ ଦିଗ ଦେଇଛି । ଜନଗଣଙ୍କର ଭାଷାକୁ ଶାରଳା ଦାସ ନିଜ ଲେଖନୀ ମାଧ୍ୟମରେ ସାହିତ୍ୟର ମୁଖ୍ୟସ୍ରୋତକୁ ଆଣିଥିଲେ । ମଣିଷକୁ ସାହିତ୍ୟ ଏବଂ ସେକାଳର ସାମାଜିକ ପରମ୍ପରା ସହ ଏହା ଯୋଡିବାରେ ସକ୍ଷମ ହୋଇଥିଲା । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଭୀମ ଭୋଇ, ଫକୀର ମୋହନ ଏବଂ ପ୍ରତିଭା ରାୟଙ୍କ ଅବଦାନର ଉଦାହରଣ ଦେଇଥିଲେ । ଆଜିର ଏହି ଜ୍ଞାନ ଓ ସଶକ୍ତୀକରଣ ଦୁନିଆରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସାହିତ୍ୟକୁ ନେଇ ଭାବବିହ୍ୱଳ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାହିତ୍ୟ ଆମକୁ ପ୍ରଶ୍ନ ପଚାରିବାକୁ ବଳ ଦିଏ । ସାହିତ୍ୟ ଆମକୁ ସ୍ୱପ୍ନ ଦିଏ । ସାହିତ୍ୟ ଆମକୁ ପରିବର୍ତ୍ତନ ଆଣିଦିଏ । ସାହିତ୍ୟ ବିନା ଭାବନା ଏବଂ କାମ କରିବାର ସ୍ପୃହା ନଥାଏ । ସାହିତ୍ୟ ବିନା ସମୃଦ୍ଧ ଭବିଷ୍ୟତ ପାଇଁ ଅନ୍ୱେଷଣ ନ ଥାଏ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।