ମହାରାଷ୍ଟ୍ର, ହରିଆନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବିଜେପୁର ବିଧାନସଭା ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଭୋଟ ଗ୍ରହଣ ହେବ । ମହରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ସମେତ ୧୮ଟି ରାଜ୍ୟର ୬୪ଟି ବିଧାନସଭା ପାଇଁ ଉପନିର୍ବାଚନ ତାରିଖ ଆଜି ଘୋଷଣା କରିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ସବୁଠି ଅକ୍ଟୋବର ୨୧ ତାରିଖ ଭୋଟ ତାରିଖ ରଖାଯାଇଥିଲା ବେଳେ ଅକ୍ଟୋବର ୨୪ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନ ଛାଡ଼ିବା ପରେ ସେହି ଆସନ ଖାଲି ପଡ଼ିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ଦୁଇଟି ଯାକ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।
ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ ତାରିଖ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଅକ୍ଟୋବର ୩ ତାରିଖ ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଅକ୍ଟୋବର ୨୧ ତାରିଖରେ ବିଜେପୁରର ୨ ଲକ୍ଷ ୪୦ ହଜାରରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଏବଂ ୯୦ ଆସନ ବିଶିଷ୍ଟ ହରିଆନା ବିଧାନସଭା ପାଇଁ ମଧ୍ୟ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ । ଏକା ସାଙ୍ଗରେ ବିଜେପୁର ସମେତ ୬୪ ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି ।
ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ଛାଡ଼ିଥିବା ଏହି ଆସନଟି ବିଜେଡ଼ି ପାଇଁ ଅତ୍ୟନ୍ତ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିବା ବିଜେପି ପାଇଁ ବି କର ବ। ମର ପରିସ୍ଥିତି ହେବ । ଦୁର୍ବଳ ହୋଇଯାଇଥିବା କଂଗ୍ରେସ ପାଇଁ ଏହି ଉପନିର୍ବାଚନ ଅସ୍ଥିତ୍ୱ ରକ୍ଷାର ସୁଯୋଗ ଆଣିଛି । ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେଡ଼ି ପ୍ରସ୍ତୁତି ଆରମ୍ଭ କରିସାରିଛି । ୪ ଜଣ ବରିଷ୍ଠ ନେତା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେପୁର ଦାୟିତ୍ୱ ଦିଆଯାଇଛି ।