ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ୧୫୦ତମ ଜନ୍ମତିଥି । ସାରା ଦେଶ ଝୁରୁଛି ସେହି ମହାନ୍ ଆତ୍ମାଙ୍କୁ । ଓଡ଼ିଶାର କୋଣ ଅନୁକୋଣରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ବାପୁଙ୍କ ନୀତି, ଆଦର୍ଶକୁ ପାଥେୟ କରି ଆଗକୁ ବଢ଼ିବାକୁ ଲୋକଙ୍କ ମନରେ ଉତ୍ସାହ । ରାଜନୈତିକ ଦଳଗୁଡ଼ିକ ପାଇଁ ମଧ୍ୟ ଏହା ଏକ ସୁଯୋଗ ଆଣିଛି । ଲୋକଙ୍କ ପାଖରେ ପ୍ରତ୍ୟକ୍ଷ ଭାବେ ପହଞ୍ଚିବାକୁ ପାଇଁ ଏହି ଅବସର ସୁଯୋଗ ଆଣିଦେଇଛି ।
ଗାନ୍ଧୀ ଜୟନ୍ତୀରେ ବିଜେଡ଼ି ୯ ଦିନିଆ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଆରମ୍ଭ କରିଥିବା ବେଳେ ବିଜେପି ୧୫ ଦିନିଆ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ କରିଛି । କଂଗ୍ରେସ ବି ପଛରେ ପଡ଼ିନାହିଁ । ଭୁବନେଶ୍ୱର ଗାନ୍ଧୀ ପାର୍କରୁ କଂଗ୍ରେସ ଭବନ ଯାଏଁ ଆଜି ଅହିଂସା ପଦଯାତ୍ରା କରିଛି ଦଳ । ପ୍ରତି ସାଂଗଠନିକ ଜିଲ୍ଲାରେ ଏହା ଚାଲୁ ରଖିବ ।
ଭୁବନେଶ୍ୱରର କାରଗିଲ୍ ରୋଡଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଲୋକଙ୍କ ସମସ୍ୟା ବୁଝିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସେମାନଙ୍କ ପାଖରେ ପହଞ୍ଚାଇବାକୁ ବିଜେଡ଼ି ଏହି ପଦଯାତ୍ରା କରୁଛି । ସେହିପରି କଟକର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତିପୀଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ବିଜେପିର ବରିଷ୍ଠ ନେତାମାନେ ପଦଯାତ୍ରା କରିଛନ୍ତି । ଗାନ୍ଧୀଙ୍କ ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ,ସ୍ୱାବଲମ୍ବୀ, ସରଳ ଜୀବନଯାପନ, ଜଳ ସଂରକ୍ଷଣ, ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବାକୁ ଦଳ ଯୋଜନା କରିଛି । ପ୍ଲାଷ୍ଟିକ୍ ବର୍ଜନ ପାଇଁ ଜନସାଧାରଣଙ୍କୁ ସଚେତନତା କରାଇବା ମଧ୍ୟ ଏହି ପଦଯାତ୍ରାର ପ୍ରମୁଖ ଲକ୍ଷ୍ୟ ରହିଛି । ୧୫ ଦିନରେ ୧୫୦ କିମି ପଦଯାତ୍ରା କରିବେ ବିଜେପି ନେତା ଓ କର୍ମୀ ।
କଂଗ୍ରେସର ଅହିଂସା ପଦଯାତ୍ରାରେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶର ପ୍ରସାରକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଙ୍କ ସାମନାକୁ ଆଣିବ । ଆଜି ଭୁବନେଶ୍ୱରରେ କଂଗ୍ରେସର ଅହିଂସା ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂ । ହିଂସାମୁକ୍ତ ଦେଶ ଓ ଜାତିବାଦର ମୂଳମୋଛ ଏହି ପଦଯାତ୍ରାର ଲକ୍ଷ୍ୟ ବୋଲି କହିଛନ୍ତି ।