ଭୁୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଅନୁପସ୍ଥିତିକୁ ନେଇ ଜୋରସୋର ଚର୍ଚ୍ଚା ହେଉଥିବା ବେଳେ ସେହି ଚର୍ଚ୍ଚାକୁ ବଳିଗଲାଣି ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କ ବାତ୍ୟାଞ୍ଚଳରେ ରୋଡ୍ ସୋ ଓ ଫଟୋ ପ୍ରଦର୍ଶନ । ନିର୍ବାଚନ ହାରିବା ପରଠୁ କେନ୍ଦ୍ରାପଡ଼ା ଆସୁ ନ ଥିବା ବୈଜୟନ୍ତ ଏବେ ବାତ୍ୟାଞ୍ଚଳ ବୁଲିବା ବାହାନାରେ ବିଭିନ୍ନ ପଞ୍ଚାୟତ ବୁଲି ଅଜବ ରୋଡ୍ ସୋ, ରାଲି କରୁଛନ୍ତି । ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଅନୁକମ୍ପାଠାରୁ ନିଜର ପ୍ରଚାରରେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ଏତେ ଉତ୍ସାହିତ ଯେ କରୋନା ଲକ୍ ଡାଉନ୍ ଓ ସାମାଜିକ ଦୂରତ୍ୱ ନିୟମ ଭାଙ୍ଗି ଦେଇଛନ୍ତି ବୈଜୟନ୍ତ । ଦୁଇ ଦିନ ଧରି କେନ୍ଦ୍ରାପଡ଼ାରେ ତାଙ୍କର ବିଶାଳ ପଲଟନ୍, ମେଳିରୁ ତାହା ସ୍ପଷ୍ଟ । ନିଜେ ବୈଜୟନ୍ତ ତାଙ୍କ ଟୁଇଟର୍ ରେ ଏହା ଛାଡ଼ିଛନ୍ତି ଏବଂ ତାଙ୍କ ଟିଭି ରେ ପ୍ରଚାରିତ ହୋଇଛି ।

ଶୁକ୍ରବାର ଦିନ ରାଜନଗର ନିର୍ବାଚନମଣ୍ଡଳୀର ବାତ୍ୟା କ୍ଷତିଗ୍ରସ୍ତ ଇଶ୍ୱରପୁର ଅଞ୍ଚଳ ଯାଇଥିଲେ ବୈଜୟନ୍ତ । ୫ କି ୧୦ ଜଣ ନୁହଁନ୍ତି ସାଙ୍ଗରେ ୧୭ଟି ମଟରସାଇକେଲ୍ ଦୁଇ ତିନି ଜଣ ଲେଖାଏଁ କର୍ମୀ ନେଇ ଯାଇଥିଲେ । ଲୋକଙ୍କ ଦୁଃଖ ଶୁଣିବାକୁ ତାଙ୍କର ଯେତିକି ଧ୍ୟାନ ନ ଥିଲା ଫଟୋ ଉଠାରେ ଅଧିକ ଧ୍ୟାନ ରଖିଥିଲେ । ଟିଭି କ୍ୟାମେରାକୁ ଆଗରେ ରଖି ସତେ ଯେମିତି ନିର୍ବାଚନୀ ରୋଡ୍ ସୋ କରୁଥିଲେ । ବୈଜୟନ୍ତଙ୍କ ଯିବାର କିଛି ସମୟ ପୂର୍ବରୁ ବିଧାୟକ ଧ୍ରୁବ ସାହୁ ସେଠାରେ ବୁଲି ଆସିଥିବାରୁ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଥିଲା ।
ଗତକାଲି ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା । ବାତ୍ୟା କ୍ଷତିଗ୍ରସ୍ତ ବତୀଘର ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିଲେ ବୈଜୟନ୍ତ । ସକାଳ ୯ଟାରେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ମଧ୍ୟ ସକାଳୁ ସକାଳୁ ବିଧାୟକ ଅତନୁ ସବ୍ୟସାଚୀ ନାୟକ ସେହି ଅଞ୍ଚଳ ଯାଇଥିବା ଖବର ପାଇ ବୈଜୟନ୍ତ ତାଙ୍କ କାର୍ଯ୍ୟକ୍ରମକୁ ଦିନ ଗୋଟାଏ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ସେହି ଅନୁଯାୟୀ ବତୀଘରରେ ପହଞ୍ଚି ଦୁଇଟି ପଞ୍ଚାୟତରେ ଶତାଧିକ କର୍ମୀଙ୍କୁ ଧରି ମଟର ସାଇକେଲ ରାଲି କରିଥିଲେ ।

ଦୁର୍ଦ୍ଦିନରେ ଥିବା ଲୋକଙ୍କୁ ସାହାଯ୍ୟ ଓ ସହାନୁଭୂତି ଦେଖାଇବାକୁ ଯାଇଥିବା ବୈଜୟନ୍ତଙ୍କ ମଟର ସାଇକେଲକୁ ତାଙ୍କ ଟିଭିରେ ବଢ଼ିଆ ପ୍ରଚାର କରାଗଲା । ନିଜେ ବୈଜୟନ୍ତ ବିଭିନ୍ନ ପୋଜ୍ ର ଫଟୋ ତାଙ୍କ ଟ୍ୱିଟର୍ ରେ ଛାଡ଼ିଲେ । ବତୀଘରକୁ ବୋଟ୍ ରେ ଯିବା ବେଳେ ମ୍ୟାନଗ୍ରୋଭସ୍ ର ମଜ୍ଜା ନେଉଥିବାର ଭିଡ଼ିଓ ବି ଛାଡ଼ିଛନ୍ତି ।
କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ସହାନୁଭୂତି ଦେବାକୁ ବୈଜୟନ୍ତ ବାତ୍ୟାଞ୍ଚଳ ଗସ୍ତ କରୁଛନ୍ତି ନା ଲକ୍ ଡାଉନ୍ କଟକଣା ବେଳେ ମଟର ସାଇକେଲ ରାଲି କରି ରାଜନୈତିକ ପତିଆରା ଦେଖାଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଚାର ସର୍ବସ୍ୱ ବୈଜୟନ୍ତଙ୍କର ଏହା କେନ୍ଦ୍ରାପଡ଼ା ବାତ୍ୟା ଦୁର୍ଦ୍ଦଶାଗ୍ରସ୍ଥଙ୍କ ପାଇଁ ଉପହାସ ବୋଲି ଅନେକ କଟାକ୍ଷ କରିଛନ୍ତି ।







