ଭୁବନେଶ୍ୱର: ଦୁଇଚକିଆ, ତିନିଚକିଆ ଠାରୁ ଆରମ୍ଭ କରି ସବୁ ପ୍ରକାର ଚାରି ଚକିଆ ଯାନ, ବସ୍, ଟ୍ରକ ଚଳାଚଳରେ ଆଉ ବାଧା ରହିବ ନାହିଁ । ରାଜ୍ୟ ସରକାର ଏଥିପାଇଁ ଅନୁମତି ନେଇଛନ୍ତି । ତେବେ ଅଟୋ ଏବଂ କାର୍ ରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣରୁ ଅଧିକ ଯାଇପାରିବେ ନାହିଁ । ବସ୍ ରେ ସିଟ୍ ସଂଖ୍ୟା ଯେତିକି, ସେତିକି ଯାତ୍ରୀ ଯିବେ । ଠିଆ ହୋଇ କେହି ଯାତ୍ରା କରିପାରିବେ ନାହିଁ । ଯାହାଙ୍କର କରୋନା ଲକ୍ଷଣ ଥିବ ତାଙ୍କୁ ଯାତ୍ରା ଅନୁମତି ମିଳିବନି । ସବୁଗାଡ଼ିର ଯାତ୍ରୀମାନେ ମୁହଁ ରେ ମାସ୍କ ପିନ୍ଧିବାକୁ ବାଧ୍ୟ । ପାଖରେ ସାନିଟାଇଜର୍ ରଖିଲେ ଭଲ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ସହମତି ମିଳିଛି । ଆସନ୍ତାକାଲିଠାରୁ ବସ୍ ଓ ବିମାନ ଚଳାଚଳ କରିବ । ସିଟି ବସ୍ ଚାଲିବ । ରାଜ୍ୟ ଭିତରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ତେଣୁ ସେହି ଯାତ୍ରୀମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବାର ଆବଶ୍ୟକତା ଦୃଷ୍ଟିରୁ ସେମାନଙ୍କ ଗାଡ଼ି ଚଳାଚଳ ଉପରେ କର୍ଫ୍ୟୁ ନିୟମ ଲାଗିବ ନାହିଁ । ସଂଧ୍ୟା ୭ରୁ ସକାଳ ୭ ସମୟ ମଧ୍ୟରେ ସେମାନଙ୍କ ଯାତାୟତରେ ବାଧା ରହିବ ନାହିଁ ।
ଅନ୍ୟପକ୍ଷରେ ୨୧+୭ ଦିନିଆ କ୍ୱାରେଣ୍ଟାଇନ୍ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାକୁ ୧୪ ଦିନିଆ କରାଯାଇଛି । ଗ୍ରାମାଞ୍ଚଳରେ ଏଣିକି ବାହାରୁ ଆସୁଥିବା ପ୍ରବାସୀମାନେ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍(ସରକାରୀ) ଏବଂ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ଯଦି ସେମିତି କୌଣସି ଲକ୍ଷଣ ଥାଏ, ତେବେ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ କୁ ଆହୁରି ବଢ଼ାଯିବ । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେବେ ।
ସହରାଞ୍ଚଳରେ ପ୍ରବାସୀଙ୍କ ପାଇଁ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ ର ଆବଶ୍ୟକତା ନାହିଁ । ୧୪ ଦିନ ଯାକ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ଯଦି ନିଜ ଘରେ ସେହି ବ୍ୟବସ୍ଥା ନାହିଁ, ତେବେ ସଂପୃକ୍ତ ବ୍ୟକ୍ତି ଚାହିଁଲେ ସରକାରଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିପାରିବେ । ନଚେତ୍ ନିଜ ଖର୍ଚ୍ଚରେ ହୋଟେଲ୍ ରେ ରହିପାରିବେ ।
ବାହାର ରାଜ୍ୟକୁ ୩ ଦିନରେ ଯାଇ ଫେରିଥିବା ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ୍ ନିୟମ ଲାଗୁ ହେବ ନାହିଁ । ସେହିଭଳି ବାହାର ରାଜ୍ୟରୁ ୩ ଦିନ ପାଇଁ ଆସିଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ୩ ଦିନରୁ ଅଧିକ ହେଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ ।
ବାହାରୁ ଫେରୁଥିବା ପ୍ରବାସୀ ସେଠି କ୍ୱାରେଣ୍ଟାଇନ୍ ଅବଧି ପୂରଣ କରି ଫେରିଥିଲେ ତାଙ୍କ ପାଇଁ ବ୍ୟବସ୍ଥା ଲାଗୁ ହେବ ନାହିଁ ।
ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଏବଂ ବିନା ସୂଚନାରେ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଫେରୁଥିବାରୁ ତାହା ସମସ୍ୟା ସୃଷ୍ଟି କରିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି । ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ ରେ ୨୦ ହଜାର ପ୍ରବାସୀ ଆସି ଓଡ଼ିଶା ଆସୁଛନ୍ତି । ମାତ୍ର ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇନାହିଁ । ଏହାଦ୍ୱାରା ପ୍ରବାସୀମାନଙ୍କ ଗନ୍ତବ୍ୟସ୍ଥଳ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।
ପ୍ରବାସୀମାନେ ନାଁ ପଞ୍ଜିକରଣ କରି ସରକାରଙ୍କୁ ପୂର୍ବ ସୂଚନା ଦେଇ ଫେରିବାକୁ ଶ୍ରୀ ଜେନା ଅନୁରୋଧ ଅନୁରୋଧ କରିଛନ୍ତି । ସରକାରଙ୍କ ଅଗୋଚରରେ ଆସିଲେ ଟ୍ରେନ୍ ଖର୍ଚ୍ଚ ସରକାର ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।