ଭୁବନେଶ୍ୱର: ଦେହରେ କୋତରା ଲୁଗା ଆଉ ହାତରେ ଭିକ୍ଷା ଥାଳ । ଭୋକିଲା ପେଟକୁ ଆହାର ଯୋଗାଡ଼ ପାଇଁ କରୁଥିଲେ ସଂଘର୍ଷ । ଷ୍ଟେସନରେ ବୁଲି ବୁଲି ଗାଉଥିଲେ ଗୀତ । ବୟସର ଅପରାହ୍ନ ଛୁଉଁଥିବା ସେହି ବିଧବା, ନିଃସ୍ୱ ମହିଳାଙ୍କର ଦୁନିଆ ଥିଲା ଷ୍ଟେସନ୍ ପ୍ଲାଟଫର୍ମ ଆଉ ପରିଚୟ ଥିଲା ଭିକାରୁଣୀ । ଭିକାରୁଣୀ ମାଆ ବୋଲି ଜନ୍ମକଲା ଝିଅ ବି ପାଖ ଛାଡ଼ିଦେଇଥିଲା ।
ଏହି ଅଖ୍ୟାତ ମହିଳାଙ୍କୁ ନେଇ ଏବେ ସାରା ଦେଶ ହୁଲସ୍ତୁଲ । କୋଟି କୋଟି ଦେଶବାସୀଙ୍କ ହୃଦୟରେ ବନିଛନ୍ତି ରାଣୀ । ଷ୍ଟେସନ୍ ସିଙ୍ଗର୍ ରୁ ରାତାରାତି ପାଲଟି ଯାଇଛନ୍ତି ବଲିଉଡ଼୍ ହିଟ୍ ସିଙ୍ଗର । ତାଙ୍କ କଣ୍ଠର ସୁନୀଳ ସ୍ୱର, ଲୟ ଓ ତାଳ ବଲିଉଡ୍ ର ପ୍ରଖ୍ୟାତ ସଙ୍ଗୀତଜ୍ଞମାନଙ୍କୁ ମୁଗ୍ଧ କରିଛି । ତାଙ୍କ ସ୍ୱରକୁ ହିନ୍ଦୀ ଫିଲ୍ମରେ ସ୍ଥାନ ଦେବାକୁ ଲମ୍ବା ଲାଇନ୍ ଲାଗିଲାଣି । ବିଗ୍ ରିୟଲିଟି ସୋ’ ରେ ତାଙ୍କୁ ଜଜ୍ କରି ବସାଗଲାଣି । ଭିକ୍ଷା ଥାଳି ଧରି ଷ୍ଟେସନ୍ ରେ ଗୀତ ବୋଲୁଥିବା ଏହି ମହିଳା ବଲିଉଡର ନାମୀ ନିର୍ଦ୍ଦେଶକଙ୍କ ପାଇଁ ହୋଇଛନ୍ତି ମୋଷ୍ଟ ୱାଣ୍ଟେଡ଼୍ । ସଲମାନ ଖାଁଙ୍କ ଭଳି ସୁପରଷ୍ଟାର୍ ତାଙ୍କ ଗୀତ ଶୁଣି ଭାବପ୍ରବଣ ହୋଇଛନ୍ତି । ଅଭିନନ୍ଦନ ଓ କୃତଜ୍ଞତାସ୍ୱରୂପ ମୁମ୍ବାଇରେ ୫୫ ଲକ୍ଷିଆ ଫ୍ଲାଟ୍ ଉପହାର ଦେଇଛନ୍ତି ।
ଏହା ହେଉଛି ଭାଗ୍ୟର କରାମତି । ଟାଲେଣ୍ଟ ଥିଲେ ଭାଗ୍ୟ ଆପେ ଆପେ ଚାଲି ଆସେ । ଯାହାର ନିଚ୍ଛକ ଉଦାହରଣ ହୋଇଛନ୍ତି ପଶ୍ଚିମବଙ୍ଗ ରାଣାଘାଟର ୫୯ ବର୍ଷୀୟା ବିଧବା ମହିଳା ରାନୁ ମଣ୍ଡଳ । ଗତ ଦୁଇ ସପ୍ତାହ ଧରି ସୋସିଆଲ୍ ମିଡ଼ିଆ ଏବଂ ମୁଖ୍ୟ ଗଣମାଧ୍ୟମଗୁଡ଼ିକରେ ସେ ଛାଇ ହୋଇଯାଇଛନ୍ତି । ସାରା ଦେଶର ଗଳିକନ୍ଦିରେ ରେ ତାଙ୍କୁ ନେଇ ଚର୍ଚ୍ଚା । ତାଙ୍କ ସ୍ୱରରେ ଲତା ମଙ୍ଗେସକରଙ୍କ ସ୍ୱରର ଛାପ ଦେଖିଛନ୍ତି ଦେଶବାସୀ । ଭିକ ମାଗିବା ପାଇଁ ଗୀତ ଗାଉଥିବା ଅସହାୟା ରାନୁ ଏବେ ସଙ୍ଗୀତ ଜଗତର ହଟ କେକ୍ । ଦିନ କେଇଟାରେ ଯଶ, ଖ୍ୟାତି, ସୁନାମ, ଅର୍ଥ ତାଙ୍କ ପଛରେ ଗୋଡ଼ାଇବା ଆରମ୍ଭ କରିଛି । ଭାରତବର୍ଷର ସେ ହୋଇଛନ୍ତି ମୋଷ୍ଟ ସେଲିବ୍ରିଟି । ଆମେରିକା ଓ ୟୁରୋପରେ ମଧ୍ୟ ରାନୁଙ୍କର ଆଦର ବହୁଳ ଭାବେ ଦେଖିବାକୁ ମିଳୁଛି । ୧୦ ବର୍ଷ ତଳେ ତାଙ୍କୁ ଅଳିଆଗଦା ଭଳି ଛାଡ଼ି ଚାଲିଯାଇଥିବା ଅମାନବୀୟ ଝିଅ ବି ମା ପାଖକୁ ମୁହଁ ଫେରାଇଛି ।
ରାନୁ ମଣ୍ଡଳଙ୍କ ଏହି ଯାତ୍ରା କୌଣସି ରୋମାଞ୍ଚକର ଫିଲ୍ମ ଷ୍ଟୋରୀଠାରୁ ବି କମ୍ ନୁହେଁ । ହୁଏତ ଫିଲ୍ମ ପାଇଁ ଏଭଳି କାଳ୍ପନିକ ଷ୍ଟୋରିଟିଏ ଲେଖିବାକୁ ଲେଖକ ସାହାସ କରିବେ ନାହିଁ ଯାହା ରାନୁଙ୍କ ବାସ୍ତବ ଜୀବନରେ ଘଟିଛି ।
ରାଣାଘାଟ ଷ୍ଟେସନ୍ ରେ ଭିକ ପାଇଁ ବସିଥିବା ରାନୁ ମଣ୍ଡଳ ଗାଉଥିଲେ ଲତା ମଙ୍ଗେସକରଙ୍କର ଲୋକପ୍ରିୟ ଗୀତ ‘ଏକ ପ୍ୟାର କା ନଗମା’ । ରାନୁଙ୍କ କଣ୍ଠର ଚମକରେ ଅଭିଭୂତ ହୋଇଥିଲେ ଜନୈକ ଇଂଜିନିୟରିଂ ଛାତ୍ର ଅତିନ୍ଦ୍ର ଚକ୍ରବର୍ତ୍ତୀ । ଗୀତ ରେକର୍ଡିଂ କରି ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଅପଲୋଡ଼ କରିଥିଲେ । ଏହି ଭିଡ଼ିଓଟି ଏମିତି ଭାଇରାଲ ହେଲା ଯେ ତାହା ବିଶ୍ୱାସ କରିବା କଷ୍ଟ । ରାତାରାତି ରାନୁ ହୋଇଗଲେ ପ୍ରସିଦ୍ଧ ।
ଗୀତଟି ସେ ଏମିତି ଯେ ଗାଉ ଗାଉ ଗାଇ ଦେଇଥିଲେ ତାହା ନୁହେଁ, ସେଥିରେ ସଙ୍ଗୀତର ରାଗରଙ୍ଗ ଭରି ରହିଥିଲା । ପରେ ପରେ ଏକ ରିୟଲିଟି ସୋ’ ରେ ଆମନ୍ତ୍ରିତ ଅତିଥି ହୋଇ ଯାଇଥିବା ରାନୁଙ୍କ ଟାଲେଣ୍ଟ୍ ରେ ଆକର୍ଷିତ ହୋଇଯାଇଥିଲେ ବଲିଉଡ଼୍ ର ପ୍ରଖ୍ୟାତ ସଙ୍ଗୀତ ନିଦେ୍ର୍ଦଶକ ହିମେଶ ରେଶମିୟା । ତାଙ୍କର ଆଗାମୀ ଫିଲ୍ମରେ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇ ସିଧା ରେକର୍ଡିଂ ଷ୍ଟୁଡ଼ିଓକୁ ଡାକିନେଲେ । ଆଉ ରାନୁଙ୍କର ଗୀତ ରେକର୍ଡିଂର ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ସବୁ ରେକର୍ଡ ଭାଙ୍ଗିଦେଲାଣି । ସେ ଗାଇଥିବା ‘ତେରି ମେରି କାହାଣୀ’ ଗୀତ ରିଲିଜ୍ ନହେଉଣୁ ଆଜି ଲୋକପ୍ରିୟତାର ଶୀର୍ଷରେ । ପିଲାଠାରୁ ବୁଢ଼ାବୁଢ଼ୀ ସମସ୍ତେ ଗୁଣୁ ଗୁଣୋଉଛନ୍ତି ସେହି ଗୀତ ।
ରାନୁ ମଣ୍ଡଳଙ୍କ ପଛରେ ଆଜି ଭାଗ୍ୟ ଦୌଡ଼ୁଛି । ମଣିଷର ଟାଲେଣ୍ଟ ଥିଲେ ଭାଗ୍ୟ ପଛରେ କେମିତି ଗୋଡ଼ାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଲେ ରାନୁ । ବିଲକୁଲ ଅସମ୍ଭବ ଓ ପରୀ ରାଇଜର କାହାଣୀ ଭଳି ଲାଗୁଥିବା ରାନୁଙ୍କ କାହାଣୀ ଆଜି ଘରେ ଘରେ ଚର୍ଚ୍ଚିତ । ଅତି ସାଧାରଣରୁ ଅସାଧାରଣ ପାଲଟିଥିବା ରାନୁ ସମସ୍ତଙ୍କ ପାଇଁ ନମସ୍ୟ ।