ଭୁୁବନେଶ୍ୱର: ବିଜେପି ଭେଟେରାନ୍ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଉ ନାହାନ୍ତି । କିଡ଼ନୀ ଓ କ୍ୟାସନର୍ ଭଳି ଦୂରାସାଧ୍ୟ ରୋଗ ଆଗରେ ହାରିଯାଇଛନ୍ତି ସେ । ଦିଲ୍ଲୀ ଏମସ୍ ରେ ସଙ୍କାଟପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଦେଶର ଏହି ପ୍ରଖ୍ୟାତ ରାଜନୀତିଜ୍ଞ, ଆଇନଜୀବୀଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ୨୦ ଦିନ ତଳେ ସୁଷମା ସ୍ୱରାଜଙ୍କୁ ହରାଇବାର ଦୁଃଖ ମନରୁ ନ ଲିଭୁଣୁ ଜେଟଲୀଙ୍କ ନିଧନ ସମଗ୍ର ଦେଶ ବିଶେଷକରି ବିଜେପି ପାଇଁ ଅପୂରଣୀୟ କ୍ଷତି ଆଣିଦେଇଛି ।
କିଡ଼ନୀ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଜେଟଲୀଙ୍କର ୨୦୧୮ ମସିହା ମେ ମାସରେ କିଡ଼ନୀ ପ୍ରତିରୋପଣ ହୋଇଥିଲା । ତେବେ ଗତ ଜାନୁଆରୀ ମାସରେ ତାଙ୍କଠାରେ ମାରାତ୍ମକ କ୍ୟାନସର୍ ରୋଗ ଚିହ୍ନଟ ହୋଇଥିଲା । ଚିକିତ୍ସା ପାଇଁ କିଛି ଦିନ ପାଇଁ ନିୟୁର୍କ ଯାଇଥିଲେ । ଶରୀରର ଅସୁସ୍ଥତା କାରଣରୁ ସେ ଦ୍ୱିତୀୟ ପାଳି ମୋଦି ସରକାରରେ ମନ୍ତ୍ରୀ ହେବାକୁ ମନା କରିଥିଲେ । ଚଳିତ ମାସ ୯ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇ ନ ଥିଲା । ଗତ କିଛି ଦିନ ହେଲା ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖାଯାଇଥିଲା ।
ସୁପ୍ରିମ୍ କୋର୍ଟର ନାମକରା ଆଇନଜୀବୀ ଅରୁଣ ଜେଟଲୀ ରାଜନୀତିରେ ମଧ୍ୟ ବେଶ ବିଚକ୍ଷଣ ଥିଲେ । ଆଇନ ଓ ଅର୍ଥନୀତି ଉପରେ ତାଙ୍କର ପ୍ରବଳ ଜ୍ଞାନ ଥିଲା । ୧୯୮୯ରେ ଭି.ପି.ସିଂ ସରକାର ଅମଳରେ ସେ ଥିଲେ ଦେଶର ଅତିରିକ୍ତ ସଲିସିଟର ଜେନେରାଲ । ସରକାରଙ୍କ ପକ୍ଷରୁ ବୋଫର୍ସ ମାମଲାର କାଗଜପତ୍ର ସେ ହିଁ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସ୍ୱାଧୀନ ଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ୱ ପାଇଥିଲେ । ପ୍ରଥମ ଥର ପାଇଁ ଡିସଇନଭେଷ୍ଟମେଣ୍ଟ ମନ୍ତ୍ରୀ ଭାବେ ତାଙ୍କୁ ସ୍ୱାଧୀନ ଦାୟିତ୍ୱ ମିଳିଥିଲା । ଆଇନମନ୍ତ୍ରୀ ରାମ ଜେଠାମାଳିନୀଙ୍କ ଇସ୍ତଫା ପରେ ଜେଟଲୀ ସେହି ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ । ୨୦୦୦ ମସିହାରେ ବାଜପେୟୀଙ୍କ ସରକାରରେ ସେ ଆଇନ, ନ୍ୟାୟ, ଜାହାଜ ଚଳାଚଳ ଏବଂ କମ୍ପାନୀ ବ୍ୟାପାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ମୋଦି ସରକାରରେ ସେ ଏକକାଳୀନ ଭାବେ ଅର୍ଥ, କମ୍ପାନୀ ବ୍ୟାପାର ଏବଂ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟିଥିଲେ ମଧ୍ୟ ଜଣେ ସଫଳ ଅର୍ଥମନ୍ତ୍ରୀ ଭାବେ ପୂରା ୫ ବର୍ଷ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଅର୍ଥମନ୍ତ୍ରୀତ୍ୱ କାଳରେ ବିମୁଦ୍ରାକରଣ ଏବଂ ଜିଏସଟି ପ୍ରଚଳନ ଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଥିଲା ।
ଉଭୟ ଦଳ ଓ ସରକାରରେ ସଙ୍କଟମୋଚକ ଭୂମିକା ନେଉଥିଲେ ଜେଟଲୀ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ତାଙ୍କୁ ମନ୍ତ୍ରୀ ପଦ ଯଚାଯାଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ସେ ମନ୍ତ୍ରୀ ପଦ ସମ୍ଭାଳିବାକୁ ଅନିଚ୍ଚଶ ପ୍ରକାଶ କରିଥିଲେ ।
ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ସବୁ ରାଜନୈତିକ ଦଳର ନେତୃମଣ୍ଡଳୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୁଷମା ସ୍ୱରାଜଙ୍କ ବିୟୋଗ ପରେ ପରେ ଅରୁଣ ଜେଟଲୀଙ୍କ ଭଳି ଆଉ ଜଣେ ରତ୍ନଙ୍କୁ ବିଜେପି ହରାଇ ଦେଇଛି ।