ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ମିଳିଲାନି ଜାମିନ୍ । ଚିଦାମ୍ବରମଙ୍କ ଜାମିନ୍ ଆବେଦନକୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ୪ ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ କୋର୍ଟ । ଅଗଷ୍ଟ ୨୬ ତାରିଖ ଯାଏଁ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ ।
ରିମାଣ୍ଡ ସମୟରେ ଚିଦାମ୍ବରମଙ୍କୁ ପ୍ରତିଦିନ ତାଙ୍କ ପରିବାର ସଦସ୍ୟ ଓ ଓକିଲ ୩୦ ମିନିଟ୍ ସାକ୍ଷାତ କରିପାରିବେ ବୋଲି ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତି ୪୮ ଘଣ୍ଟାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ଗତକାଲି ଏକ ନାଟକୀୟ ଘଟଣାକ୍ରମରେ ସିବିଆଇ ଅଧିକାରୀମାନେ ଚିଦାମ୍ବରମଙ୍କ ଘର ପାଚେରୀ ଡେଇଁ ଘର ଭିତରକୁ ତାଙ୍କୁ ଟେକିନେଇଥିଲେ । ତାଙ୍କୁ ଗିରଫ ଦର୍ଶାଇ ସିବିଆଇ ହେଡ କ୍ୱାର୍ଟରରେ ରାତିତମାମ ରଖାଯାଇଥିଲା । ଆଜି ସିବିଆଇ ଅଧିକାରୀମାନେ ତାଙ୍କୁ ୩ ଘଣ୍ଟା ଜେରା କରି ୧୨ଟି ପ୍ରଶ୍ନ ପଚାରିଥିଲେ । ମାତ୍ର ସେଥିମଧ୍ୟରୁ ମାତ୍ର ୬ଟି ପ୍ରଶ୍ନର ଉତ୍ତର ଦେଇଥିଲେ ଚିଦାମ୍ବରମ । ତାହାପରେ ସିବିଆଇ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲେ । ଚିଦାମ୍ବରମଙ୍କ ପକ୍ଷରୁ କପିଲ ଶିବଲ, ଅଭିଷେକ ମନୁ ସିଂହଭି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା ବେଳେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଶୁଣାଣି ପରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅଜୟ କୁମାର କୁହର ଚିଦାମ୍ବରମଙ୍କୁ ସିବିଆଇ ରିମାଣ୍ଡରେ ଛାଡ଼ିଥିଲେ ।
ଆଜି ମାମଲାର ଶୁଣାଣି ବେଳେ ଚିଦାମ୍ବରମଙ୍କ ପତ୍ନୀ ନଳିନୀ, ପୁତ୍ର କାର୍ତ୍ତୀ କୋର୍ଟ ରୁମରେ ଉପସ୍ଥିତ ଥିଲେ ।