ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. କ୍ରିଷନ୍ କୁମାର । ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ସାଙ୍ଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱରେ ରାଜ୍ୟ ସରକାର ଗତ ୧୫ ତାରିଖରେ ତାଙ୍କୁ ନିଯୁକ୍ତି ଦେଇଥିଲେ । ଦାୟିତ୍ୱ ଗ୍ରହଣ ପୂର୍ବରୁ ଡ. କ୍ରିଷନ୍ କୁମାର ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କ ସେବା କରିବାର ସୁଯୋଗ ମିଳିଛି ବୋଲି ସେ କହିଛନ୍ତି ।
ଜଗନ୍ନାଥ ସଂସ୍କୃତି, ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଏବଂ ମଠ ମନ୍ଦିରର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ନୂଆ ପ୍ରଶାସକ । ଶ୍ରୀମନ୍ଦିର ସଂସ୍କାର, ମହାପ୍ରସାଦ ଦର ତାଲିକା ନିର୍ଦ୍ଧାରଣ, ବ୍ରହ୍ମ ବିଭ୍ରାଟ ମାମଲାରେ କାର୍ଯ୍ୟାନୁଷ୍ଠାନ, ସେବାୟତଙ୍କ ସମସ୍ୟା ଭଳି ତାଙ୍କ ଆଗରେ ଅନେକ ଚାଲେଂଜ ରହିଥିବା ସାମ୍ବାଦିକମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସେସବୁକୁ ଭଲ ଭାବେ ଅନୁଧ୍ୟାନ କରାଯିବ ଏବଂ ଆଇନ ଗଣ୍ଡି ଭିତରେ ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି ଡ. କୁମାର କହିଛନ୍ତି । ସବୁ କାର୍ଯ୍ୟ ତ୍ୱରିତ ବେଗରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ସହ ସେବାୟତମାନଙ୍କଠାରୁ ଆରମ୍ଭ କରି ପୁରୀ ଜନସାଧାରଣ ଏବଂ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି ।
ସୂଚନାଯୋଗ୍ୟ, ୨୦୦୨ ବ୍ୟାଚ୍ ଆଇଏଏସ୍ ଡ. କ୍ରିଷନ୍ କୁମାର ଜଣେ ଦକ୍ଷ ଅଫିସର ଭାବେ ସୁପରିଚିତ । ବିଏମସି କମିଶନର ଏବଂ ବିଡ଼ିଏ ଉପାଧ୍ୟକ୍ଷ ଭାବେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ଭିତରେ ସେ ପ୍ରଶାସନକୁ କ୍ରିୟାଶୀଳ ଓ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବାକୁ ଯଥେଷ୍ଟ ଉଦ୍ୟମ କରିଥିଲେ । ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ପୂର୍ତ୍ତ ବିଭାଗର ଶାସନ ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରୁଥିବା କ୍ରିଷନ୍ କୁମାରଙ୍କୁ ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ଭାର ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ସ୍ଥାପନା କରିଛନ୍ତି ।