ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଙ୍କୁ ଶେଷରେ ଉଠାଇ ନେଲା ସିବିଆଇ । ଗତକାଲି ରାତିରୁ ଅନ୍ତର୍ଦ୍ଧାନ କୁହାଯାଉଥିବା ଚିଦାମ୍ବରମ୍ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ନିଜ ଘରକୁ ଫେରିବା କ୍ଷଣି ସିବିଆଇ ଅଧିକାରୀମାନେ ଘରେ ପଶି ତାଙ୍କୁ ଉଠାଇ ନେଇଛନ୍ତି । ସିଧାସଳଖ ତାଙ୍କୁ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଛି । ଦେଶର ପୂର୍ବତନ ଗୃହ ଓ ଅର୍ଥମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ଘଟଣା ଭାରତୀୟ ରାଜନୈତିକ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ସିବିଆଇ ଅତି ନାଟକୀୟ ଢ଼ଙ୍ଗରେ ଚିଦାମ୍ବରଙ୍କୁ ଗିରଫ କରିବା ଘଟଣା ସମଗ୍ର ଦେଶରେ ହଟଚମଟ ସୃଷ୍ଟି କରିଛି ।
ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଏହି ଦଶା ଭୋଗିବାକୁ ପଡ଼ିଛି । ଦିଲ୍ଲୀ ହାଇକୋର୍ଟରେ ସେ କରିଥିବା ଦୁଇଟି ଅନ୍ତରୀଣ ଜାମିନ ଆବେଦନ ଗତକାଲି ଖାରଜ ହୋଇଯାଇଥିଲା । ଏହାପରେ ସଂଧ୍ୟାରୁ ମଧ୍ୟରାତି ପର୍ଯ୍ୟନ୍ତ ସିବିଆଇ ଓ ଇଡି ଅଧିକାରୀମାନେ ଆଗପଛ ହୋଇ ଚିଦମ୍ବରମଙ୍କ ଘରେ ଚଢ଼ାଉ କରିଥିଲେ । ଚିଦମ୍ବରମଙ୍କୁ ନ ପାଇ ସିବିଆଇ ଅଧିକାରୀମାନେ ତାଙ୍କ ଘର ଆଗରେ ଏକ ଲୁକ୍ ଆଉଟ୍ ନୋଟିସ୍ ଟାଙ୍ଗି ଦେଇଥିଲେ । ୨ ଘଣ୍ଟା ଭିତରେ ସିବିଆଇରେ ହାଜର ହେବାକୁ ସେଥିରେ କୁହାଯାଇଥିଲା ।
ସେପଟେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହୋଇଥିବା ଚିଦାମ୍ବରମ ଗତକାଲି ରାତିରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ମାମଲାର ଶୁଣାଣୀ ହେବାକୁ ଥିଲେ ହେଁ ତାହା ୨୩ ତାରିଖକୁ ଘୁଞ୍ଚି ଯାଇଥିଲା । ସୁତରାଂ ଆଜି ସୁପ୍ରିମକୋର୍ଟରୁ ରିଲିଫ୍ ପାଇବାରେ ସମର୍ଥ ହୋଇ ନ ଥିଲେ ଚିଦାମ୍ବରମ । ଅନ୍ୟପକ୍ଷରେ ଗତ ରାତିରୁ ଗଣମାଧ୍ୟମ ସାମନାରୁ ଅନ୍ତର୍ଦ୍ଧାନ ରହିଥିବା ଚିଦମ୍ବରମ ଆଜି ସଂଧ୍ୟା ୮ଟାରେ ହଠାତ୍ ଏଆଇସିସି(କଂଗ୍ରେସ) ଅଫିସରେ ପହଞ୍ଚି ଏକ ପ୍ରେସମିଟ୍ କରିଥିଲେ । ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସେ ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ସଫେଇ ଦେଇଥିଲେ । ଗତକାଲି ରାତିରୁ ସେ କେଉଁଠି ଲୁଚିନାହାନ୍ତି । ସୁପ୍ରିମକୋର୍ଟ ଓକିଲଙ୍କ ସହ ବିଚାର ବିମର୍ଷରେ ବ୍ୟସ୍ତ ଥିବା କହିଥିଲେ । ତେବେ ଏଆଇସିସି କାର୍ଯ୍ୟାଳୟରୁ ପ୍ରେସମିଟ୍ ସାରି ଚିଦାମ୍ବରମ ସିଧା ଫେରିଥିଲେ ଜୋର୍ ବାଗ ସ୍ଥିତି ବାସଭବନକୁ । ଚିଦମ୍ବରମଙ୍କ ସହ ଗାଡ଼ିରେ ଥିଲେ ସହଯୋଗୀ କପିଲ୍ ସିବଲ୍ ଏବଂ ଅଭିଷେକ ମନୁସିଂଘଭି । ଅନ୍ୟ କିଛି କଂଗ୍ରେସ ନେତା ବି ସାଙ୍ଗରେ ଥିଲେ ।
ତେବେ ଚିଦମ୍ବରମ ଘରେ ପହଞ୍ଚିବାର ମାତ୍ର କେଇ ମିନିଟ୍ ପରେ ଦିଲ୍ଲୀ ପୁଲିସ ସହାୟତାରେ ସିବିଆଇର ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍ ତାଙ୍କ ଘରକୁ ଘେରିଯାଇଥିଲେ । ପଛେ ପଛେ ଇଡ଼ିର ଏକ ଟିମ୍ ମଧ୍ୟ ସେଠାରେ ପହଞ୍ଚିଥିଲେ । ଗେଟ୍ ଡ଼େଇଁ ସେମାନେ ସିଧା ଭିତରକୁ ପଶିଥିଲେ । ଆଉ ଘରର କବାଟ ଖୋଲି ଚିଦାମ୍ବରମଙ୍କୁ ଟେକି ଆଣିଥିଲେ । ଡାକ୍ତରୀ ପରୀକ୍ଷା କରି ତାଙ୍କୁ ସିବିଆଇ ଅଫିସ ଅଣାଯାଇଛି । ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି ।
ଚିଦାମ୍ବରମଙ୍କ ଗିରଫକୁ ନେଇ ରାଜନୈତିକ ତମ୍ବିତୋଫାନ ଜୋର ଧରିଛି । ସିବିଆଇ ଓ ଇଡିକୁ ଲଗାଇ ମୋଦି ସରକାର ଏଭଳି ରାଜନୈତିକ ପ୍ରତିଶୋଧ ଓ ଆକ୍ରୋଶ ଦେଖାଇଛନ୍ତି ବୋଲି କଂଗ୍ରେସ କହିଛି । ବିନା ଏଫଆଇଆରରେ ତାଙ୍କ ଗିରଫଦାରି ଦଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅନ୍ୟପକ୍ଷରେ, ଆଇନ ତା ବାଟରେ ଯାଉଛି ଏବଂ ଏଥିରେ ସରକାରଙ୍କର ହସ୍ତକ୍ଷେପ ନାହିଁ ବୋଲି ବିଜେପି ସଫେଇ ଦେଉଛି ।