ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ବିଭାଗୀୟ ନିଦେ୍ର୍ଦଶାଳୟ ଏଣିକି ଗୋଟେ ହୋଇ କାର୍ଯ୍ୟ କରିବେ । ପ୍ରଶାସନିକ ବିଭାଗ ସାଙ୍ଗରେ ନିର୍ଦ୍ଦେଶାଳୟକୁ ମିଶାଇ ଦିଆଯାଇଛି । ସରକାରୀ କାର୍ଯ୍ୟ ସୁଗମ ଏବଂ ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ଜାରି ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରକ୍ରିୟାରେ ଖାଲି ପଡ଼ିଥିବା ତଳିଆ ପଦବୀଗୁଡ଼ିକ ମାଡ଼ ଖାଇଛି । ତଳିଆ ପଦବୀଗୁଡ଼ିକ ଉଚ୍ଛେଦ ହୋଇଯାଇଛି । ବିଭାଗୀୟ ମିଶ୍ରଣ ପରେ ବଳକା କର୍ମଚାରୀଙ୍କୁ ଖାଲିଥିବା ପଦବୀରେ ରଖାଯିବ । ବିଭାଗୀୟ ମୁଖ୍ୟ ଗୁଡ଼ିକରେ ଖାଲି ଥିବା ଜୁନିୟର୍ ଆସିଷ୍ଟାଣ୍ଟ ପଦବୀ ପୂରଣ ଉପରେ ବି ରୋକ୍ ଲାଗିଛି ।
ନୂଆ ବ୍ୟବସ୍ଥାରେ, ସିଙ୍ଗଲ ଫାଇଲ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏଣିକି ଓସ୍ୱାସ୍ ଜରିଆରେ ସିଙ୍ଗଲ୍ ଫାଇଲ୍ ସିଷ୍ଟମ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶାଳୟର ପ୍ରସ୍ତାବଗୁଡ଼ିକ ପୁନଃ ତର୍ଜମା କରାଯିବ ନାହିଁ । ଗୋଟିଏ କାମକୁ ଦୁଇ ଥର କରି ସମୟ ନଷ୍ଟ କରା ନ ଯିବାକୁ ଗୁରୁତ୍ୱ ଦିଆଯାଇଛି । ଉଭୟ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ନିର୍ଦ୍ଦେଶାଳୟର କମନ୍ ଅଫିସ ଏଷ୍ଟାବ୍ଲିସବେଣ୍ଟ, ଇସ୍ୟୁ, ଆକାଉଣ୍ଟସ୍ ଏବଂ କ୍ୟାସ୍ ବିଭାଗର ସଠିକ ପୁର୍ନଗଠନ କରାଯିବ । ଡିଡିଓ,ଏଷ୍ଟାବ୍ଲିସମେଣ୍ଟ ଅଫିସର ଏବଂ କର୍ମଚାରୀଙ୍କୁ କମ୍ପୋଜିଟ୍ ବିଭାଗର ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ । ତେବେ ସଂପୃକ୍ତ କର୍ମଚାରୀମାନଙ୍କର କ୍ୟାଡର୍ ରୁଲ୍ ରେ ପରିବର୍ତ୍ତନ ହେବ ନାହିଁ । ପୂର୍ବଭଳି ସେମାନଙ୍କ କ୍ୟାଡର ଏବଂ ତତ ଅନୁଯାୟୀ ସୁବିଧା ସୁଯୋଗ ବଜାୟ ରହିବ ।
କର୍ମଚାରୀଙ୍କ ପଦୋନ୍ନତି, ମୃତ୍ୟୁ, ଇସ୍ତଫା କ୍ଷେତ୍ରରେ ବିଭାଗୀୟ ମୁଖ୍ୟ(ହେଡସ୍ ଅଫ ଡିପାର୍ଟମେଣ୍ଟ)ର ବେସ୍ ଲେଭଲ୍ ପୋଷ୍ଟ ଉଚ୍ଛେଦ ହେବ । ସଂପୃକ୍ତ ପଦବୀଗୁଡ଼ିକ, ବିଭାଗୀୟ ମୁଖ୍ୟ ପାଇଁ ଉଦ୍ଦିଷ୍ଟ ସେକ୍ରେଟାରିଏଟ୍ କମନ୍ କ୍ୟାଡରରୁ ପୂରଣ ହେବ । ବିଭାଗୀୟ ମୁଖ୍ୟ କ୍ୟାଡର୍ ଅନ୍ତର୍ଭୁକ୍ତ ଜୁନିୟର୍ ଆସିଷ୍ଟାଣ୍ଟ ପଦବୀରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ । ଆସନ୍ତା ଆର୍ଥିକ ବର୍ଷରୁ ପ୍ରଶାସନିକ ବିଭାଗ ଏହି କମ୍ପୋଜିଟ୍ ବିଭାଗ ପାଇଁ ବଜେଟ୍ ବ୍ୟବସ୍ଥା କରିବେ ।