ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ କଠୋର ହୋଇଛି । ଭାରତରେ ଆତଙ୍କ ଚଳାଇଥିବା ପାକିସ୍ଥାନ ସୀମା ଭିତରକୁ ପଶି ବିମାନ ଆକ୍ରମଣ କରିଛି । ପାକ୍ ଅଧିକୃତ କାଶ୍ମୀର ଉପରେ ବିମାନ ଆକ୍ରମଣ ସାଙ୍ଗକୁ ଆତଙ୍କବାଦୀ ଶିବିର ଉପରେ ସେନାବାହିନୀ ପକ୍ଷରୁ ବୋମାମାଡ଼ କରାଯାଇଛି । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ବାଲାକୋଟ ଓ ଚାକୋଠିରେ ଜୈଶ୍-ଇ-ମହମ୍ମଦର ଶିବିର ଗୁଡ଼ିକ ଧ୍ୱଂସ ହୋଇଯାଇଛି । ମୁଜାଫରବାଦରେ ଥିବା ଜୈଶ୍ ର ମୁଖ୍ୟ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି । ଜୈଶ୍-ଇ-ମହମ୍ମଦର କଣ୍ଟ୍ରୋଲ୍ ରୁମ୍ କୁ ଉଡ଼ାଇ ଦେଇଛନ୍ତି ଭାରତୀୟ ସେନା ।
ଗତ ରାତି ୩.୩୦ ମିନିଟ୍ ରେ ଭାରତୀୟ ବାୟୁସେନାର ଅପରେସନ୍ ଆରମ୍ଭ ହୋଇଥିଲା । ୧୨ଟି ମିରେଜ୍ ୨୦୦୦ ଯୁଦ୍ଧ ବିମାନ ପାକିସ୍ଥାନ ସାମୀ ଭିତରକୁ ପଶି ଆକ୍ରମଣ ଆରମ୍ଭ କରିଥିଲେ । ଏପଟେ ଲାଇନ୍ ଅଫ କଣ୍ଟ୍ରୋଲ୍ ରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ବୋମାମାଡ଼ । ଟାର୍ଗେଟ୍ ଥିଲା ଜୈସ୍-ଇ-ମହମ୍ମଦର ଆତଙ୍କବାଦୀ ଶିବିର । ଆକାଶମାର୍ଗରୁ ଭାରତୀୟ ସେନା ଜୈସ୍ ର ଆତଙ୍କ ଶିବିର ଗୁଡ଼ିକୁ ଲକ୍ଷ୍ୟ କରି ବୋମା ମାଡ଼ କରିବାକୁ ସେଗୁଡ଼ିକ ଜଳିଯାଇଥିଲା । ଶିବିରରେ ଥିବା ଆତଙ୍କବାଦୀମାନେ କିଛି ବୁଝିବା ପୂର୍ବରୁ ନିଆଁରେ ପୋଡିଯାଇଥିଲେ । ୧ ହଜାର କେଜିର ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପାକିସ୍ଥାନୀ ସେନା ଏଫ ୧୬ ଯୁଦ୍ଧବିମାନ ଧରି ପାଲଟା ଆକ୍ରମଣ କରିବାକୁ ଯୋଜନା କରିଥିଲେ ମଧ୍ୟ ସାହାସ କରିପାରି ନ ଥିଲା । ଏୟାର ଆଟାକ୍ ସ୍ପ୍ରୋୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଇଛି ।
ଭାରତୀୟ ସେନାର ଆକ୍ରମଣକୁ ଦେଶବାସୀ ସମର୍ଥନ କରିଛନ୍ତି । ପାକିସ୍ଥାନ ସେନାର ପାଲଟା ଆକ୍ରମଣ ଆଶଙ୍କାରେ ଭାରତ ସରକାରଙ୍କ ପକ୍ଷରୁ ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି । ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ର ଜରୁରୀ ବୈଠକ ବସିଛି । ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଭାରତୀୟ ବାୟୁ ସେନାର ବିମାନ ଆକ୍ରମଣକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଛନ୍ତି ।