ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅନେକଙ୍କୁ ହୁଏତ ଅଜଣା ଥିବ କି ବିଜେଡ଼ି ସରକାରରେ ଆଉ ଜଣେ ପାଣ୍ଡିଆନ୍ ଙ୍କର ଆବିର୍ଭାବ ବିଷୟରେ । ହଁ, ନବୀନଙ୍କର ଅତ୍ୟନ୍ତ ବିଶ୍ୱସ୍ତ ପାଲଟିଥିବା ଏହି ବାବୁ ଜଣଙ୍କ ହେଉଛନ୍ତି ସୁଜିତ୍ କୁମାର । ମାତ୍ର ୪୨ ବର୍ଷର ଏହି ଯୁବକଙ୍କୁ ଏବେ ସେକେଣ୍ଡ ପାଣ୍ଡିଆନ୍ ବୋଲି କୁହାଯାଉଛି । ପାଣ୍ଡିଆନ୍ ଙ୍କର ସେ ବିକଳ୍ପ ହୋଇନାହାନ୍ତି ସତ ହେଲେ ପାଣ୍ଡିଆନ୍ ଙ୍କ ଭଳି ନବୀନ ତାଙ୍କୁ ନିଜର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଗ୍ରହଣ କରିନେଇଛନ୍ତି । ସରକାର ଓ ଦଳର ସବୁ ଜଟିଳ ସମସ୍ୟା ସମାଧାନର ରାସ୍ତା ଖୋଜିବାକୁ ପାଣ୍ଡିଆନ୍ ଓ ସୁଜିତ୍ କୁମାରଙ୍କ ଉପରକୁ ଛାଡ଼ିଦେଉଛନ୍ତି ନବୀନ । ଏହି ଦୁହିଁଙ୍କ ପରାମର୍ଶ ହିଁ ନବୀନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ହେଉଛି । ଅବଶ୍ୟ ସୁଜିତ୍ କୁମାରଙ୍କ ଏଭଳି ଅଭ୍ୟୁଦୟ ବିଜେଡ଼ିର ତଥାକଥିତ ଯୁବ ପାୱାରଫୁଲ ଗୋଷ୍ଠୀକୁ ଇର୍ଷାର ଜଳୋଉଛି । ସୁଜିତ୍ କୁମାରଙ୍କ ଭଳି ଜଣେ ଅନାମଧ୍ୟେୟ ଯୁବକ ନବୀନଙ୍କ ହୃଦୟରେ ବସା ବାନ୍ଧିବା ସେମାନଙ୍କୁ ଅସହ୍ୟ ହୋଇଛି ।
କଳାହାଣ୍ଡିରେ ଜନ୍ମିତ ସୁଜିତ୍ କୁମାର ଜଣେ ଯାହିତାହି ଲୋକ ନୁହଁନ୍ତି । ତାଙ୍କର ପ୍ରୋଫାଇଲ୍ ଆଖି ତରାଟିଲା ଭଳି । ବୁର୍ଲା ଇଂଜିନିୟରିଂ କଲେଜ ଗ୍ରାଜୁଏଟ୍ ସୁଜିତ୍ କୁମାର ବିଶ୍ୱପ୍ରସିଦ୍ଧ ଅକ୍ସଫୋର୍ଡ ୟୁନିଭରସିଟିରୁ ସୋସିଆଲ୍ ଏଣ୍ଟରପ୍ରେନୁଅରସିପ୍ରେ ଡିଗ୍ରୀ ହାସଲ କରିଛନ୍ତି । ହାର୍ଭଡା ସ୍କୁଲରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ ପଢ଼ିଛନ୍ତି । ଖାଲି ସେତିକି ନୁହେଁ, ଜେନେଭାସ୍ଥିତ ୱାର୍ଲଡ୍ ଇକୋନମିକ୍ ଫୋରମ୍ ର ଗ୍ଲୋବାଲ୍ ଲିଡରସିପ୍ ଫେଲୋ ହେଉଛନ୍ତି ସୁଜିତ୍ କୁମାର । ଲେକ୍ସମନ୍ତ୍ର ଭଳି ସଂସ୍ଥାର ମ୍ୟାନେଜିଂ ପାର୍ଟନର୍, ୟୁଏନଡିପିର ଆଇସିଟି କୋଅର୍ଡିନେଟର୍ ଏବଂ ଇନଫୋସିସ୍ ର ସଫ୍ଟୱେୟାର ଡେପଲପର୍ ଚାକିରି ଛାଡ଼ି ସେ ଓଡ଼ିଶାକୁ ନିଜ କ୍ୟାରିୟର୍ ସ୍ଥାନ ବାଛିଛନ୍ତି । ରାଜନୀତିରେ ଥିବା ରୁଚି ତାଙ୍କୁ ଓଡ଼ିଶା ଫେରାଇ ଆଣିଛି । ତାହା ପୁଣି ଅଚାନକ ।
ଆମେରିକାରେ ଥିବା ବେଳେ ସୁଜିତ୍ କୁମାରଙ୍କ ଟାଲେଣ୍ଟ ଓ ଦକ୍ଷତାକୁ ପ୍ରଥମେ ଆବିଷ୍କାର କରିଥିଲେ ବାରାକ୍ ଓବାମା । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କୋର୍ ଗ୍ରୁପ୍ ରେ ସୁଜିତ୍ କୁମାରଙ୍କୁ ସାମିଲ୍ କରି ତାଙ୍କ ଦକ୍ଷତାର ଉପଯୋଗ କରିଥିଲେ ଓବାମା ।
ସେଥିରେ ତାଙ୍କର ଷ୍ଟ୍ରାଟେଜିକାଲ୍ ଦକ୍ଷତାକୁ ସମଗ୍ର ଆମେରିକାରେ ବେଶ୍ ତାରିଫ୍ ମିଳିଥିଲା । ଓବାମା ରାଷ୍ଟ୍ରପତି ହେଲା ପରେ ସୁଜିତ୍ କୁମାରଙ୍କୁ ନିଜ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚାହିଁଥିଲେ । ମାତ୍ର ସୁଜିତ୍ ଚାହିଁ ନ ଥିଲେ । ଓଡ଼ିଶାକୁ
ଫେରି ସେ କିଛି କରିବାକୁ ମନ ବଳାଇଥିଲେ । ୨୦୧୩ ମସିହାରେ ସଂଯୋଗକୁ ସେ ଗୀତା ମେହେଟ୍ଟାଙ୍କ ଦୃଷ୍ଟିରେ ପଡ଼ିଲେ । ସୁଜିତ୍ ଙ୍କ ଟାଲେଣ୍ଟକୁ ଓଡ଼ିଶାରେ ଉପଯୋଗ କରିବା ଲକ୍ଷ୍ୟରେ ସେ ଭାଇ ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କୁ ପଠାଇଲେ । ଆଉ ଥରେ ଦି ଥର କଥାବାର୍ତ୍ତାରେ ନବୀନ ତାଙ୍କ ପ୍ରତି ଆକୃଷ୍ଟ ହୋଇଗଲେ । ୨୦୧୪ ସାଧାରଣ ନିର୍ବାଚନ ବେଳକୁ ସୁଜିତ୍ କୁମାର ନବୀନଙ୍କର ଅତ୍ୟନ୍ତ ବିଶ୍ୱସ୍ତ ପାଲଟିସାରିଥିଲେ । ତାଙ୍କରି ଦାୟିତ୍ୱରେ ଛାଡ଼ିଦେଇଥିଲେ ବିଜେଡ଼ି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି । ଖାଲି ସେତିକି ନୁହେଁ, ନିର୍ବାଚନ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱରେ ପାଣ୍ଡିଆନ୍ ଙ୍କ ସହଯୋଗୀ ଭାବେ ତାଙ୍କୁ ରଖିଥିଲେ । ଖାସ୍ କରି ବିଜେଡ଼ିର ସ୍ଥିତି ଦୁର୍ବଳ ଥିବା ୪୨ଟି ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀର ପରିଚାଳନା ଭାର ଦେଇଥିଲେ ସୁଜିତ୍ କୁମାରଙ୍କୁ । ସୁଜିତ୍ କୁମାର ନିଜର ବୁଦ୍ଧି,ବଳ ଓ କୌଶଳ ଖଟାଇ ଦେଇଥିଲେ ସେଥିପାଇଁ । ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ବି ପାଇଲେ ନବୀନ । ୩୬ ଟି ଆସନରେ ବିଜେଡ଼ିକୁ ବିଜୟର ସ୍ୱାଦ ଆଣିଦେଇଥିଲେ ସୁଜିତ୍ କୁମାର । କୁହାଯାଉଛି, ସୁଜିତ୍ କୁମାରଙ୍କ ବିଚକ୍ଷଣ ନିର୍ବାଚନ ଷ୍ଟ୍ରାଟେଜି ଖୋଦ୍ ନବୀନଙ୍କୁ ଆଚମ୍ବିତ କରିଥିଲା । ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଆସିଲା ପରେ ନବୀନଙ୍କ ପାଇଁ ସେ ବଡ଼ ଆସେଟ୍ ହୋଇଛନ୍ତି । ଓଡ଼ିଶା ଯୋଜନା ବୋର୍ଡର ଓଏସଡ଼ି
କମ୍ ସ୍ପେଶାଲ୍ ସେକ୍ରୋଟାରୀ ଭାବେ ନାମକୁ ମାତ୍ର ଥଇଥାନ କରି ଦଳ ଓ ସରକାରର ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଟେଜି ପ୍ରସ୍ତୁତିରେ ଲଗାଇଛନ୍ତି । ପାଣ୍ଡିଆନ୍ ଙ୍କ ସହଯୋଗୀ ଭାବେ ସେ ସରକାର ଓ ବିଜେଡ଼ିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛନ୍ତି ।
ପାଣ୍ଡିଆନ୍ ସରକାରୀ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଥିବାରୁ ସୁଜିତ୍ କୁମାରଙ୍କ ଦାୟିତ୍ୱ ଅଧିକ ବଢ଼ିଯାଇଛି । ନବୀନଙ୍କ ଭାବମୂର୍ତ୍ତି ଅକ୍ଷୂର୍ଣ୍ଣ ରଖିବା କାମରେ ଦିନରାତି ଲାଗିପଡ଼ିଛନ୍ତି । ମହାନଦୀ ବିବାଦରେ ରାଜ୍ୟ ସରକାରଙ୍କ ପକ୍ଷ ରକ୍ଷାରେ ସୁଜିତ୍ କୁମାର ବହୁ ପରିଶ୍ରମ କରିଥିବା କୁହାଯାଉଛି । ନିକଟରେ ବେଙ୍ଗାଲୁରୁ ଇନଭେଷ୍ଟର୍ସ ମିଟ୍ ର ସଫଳ ଆୟୋଜନରେ ସୁଜିତ୍ କୁମାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଜିକାଲି ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ଭାଷଣକୁ ସୁଜିତ୍ କୁମାର ହିଁ ଲେଖୁଛନ୍ତି । ନବୀନଙ୍କ ଟ୍ୱିଟର୍ ଆକାଉଣ୍ଟକୁ ବି ପରିଚାଳନା କରୁଛନ୍ତି ସେ । ମୋଟାମୋଟି ଭାବେ ସରକାର ଓ ବିଜେଡିକୁ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମକୁ ଆଣିବା ପଛରେ ସୁଜିତ୍ କୁମାର ହିଁ ବ୍ରେନ୍ ଖଟାଇଛନ୍ତି ।
ପରଦା ପଛରେ ସୁଜିତ୍ କୁମାରଙ୍କ ଏଭଳି ଭୂମିକା ପାୱାର୍ କରିଡ଼ରରେ ଆଉ କାହାରିକୁ ଅଛପା ନାହିଁ । କଳାହାଣ୍ଡିର ଏହି ଯୁବକଙ୍କୁ ଓଡ଼ିଶାର ପ୍ରଶାନ୍ତ କିଶୋର ବୋଲି ଆଖ୍ୟା ଦିଆଗଲାଣି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସୁଜିତ୍ କୁମାର ବିଜେଡ଼ି ଷ୍ଟ୍ରାଟେଜି ତିଆରି କଲେଣି । ଖାଲି ସେତିକି ନୁହେଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବି ପ୍ରସ୍ତୁତି ଆରମ୍ଭ କରିଦେଲେଣି ସେ । ଅବଶ୍ୟ ସୁଜିତ୍ କୁମାର ନବୀନଙ୍କର ଅତ୍ୟସ୍ତ ଭରସା ଓ ଆସ୍ଥାଭାଜନ ହୋଇଥିଲେ ବି ପାଣ୍ଡିଆନ୍ ଙ୍କ ସ୍ଥାନ ନେଇପାରିନାହାନ୍ତି । ଆଜି ବି ପାଣ୍ଡିଆନ୍ ହେଉଛନ୍ତି ନବୀନଙ୍କ ଏକ ନମ୍ବର ବିଶ୍ୱସ୍ତ ଓ ପରାମର୍ଶଦାତା । ସେହି ଦୃଷ୍ଟିରୁ ସୁଜିତ୍ କୁମାରଙ୍କୁ ପାଣ୍ଡିଆନ୍- ଟୁ ବୋଲି କୁହାଯାଉଛି । ଆଉ ପାଣ୍ଡିଆନ୍-ସୁଜିତ୍ ଯୋଡିର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବିଜେଡ଼ିର ତଥାକଥିତ୍ ପାୱାରଫୁଲ୍ ଯୁବଗୋଷ୍ଠୀ । ନାଲିବତୀ ଗାଡ଼ି ଚଢ଼ୁଥିଲେ ମଧ୍ୟ ନବୀନଙ୍କ ପାଖରେ ସେମାନଙ୍କ କାଟତି କ’ଣ ତାହା ସେମାନେ ଜାଣୁଛନ୍ତି । ଅଜାଗା ଘା ଦେଖାଇ ପାରୁନାହାନ୍ତି କି ନିଜେ ଦେଖିପାରୁନାହାନ୍ତି ।