ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନ ସରକାରରେ ଚାଲିଛି ବାବୁରାଜ । ମନ୍ତ୍ରୀମାନଙ୍କୁ ହାକିମମାନେ ଏଠି ବାସିରେ ପଚାରନ୍ତିନି । ଏମିତିକି ନିଜ ବିଭାଗ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅନ୍ଧାରରେ ରଖୁଛନ୍ତି ହାକିମମାନେ । ଏହା ମନ୍ତ୍ରୀମାନଙ୍କ ପାଇଁ ଅପମାନଜନକ ହେଲେ ମଧ୍ୟ ନବୀନ ଶାସନର ଷ୍ଟାଇଲ୍ ସହ ଅଭ୍ୟସ୍ତ ହୋଇଗଲେଣି । ଏକଥା ବି ଜଣା ଯେ ମୁଖ୍ୟମନ୍ତ୍ରୀ କୌଣସି ବିଭାଗର ସମୀକ୍ଷା କଲାବେଳେ ସଂପୃକ୍ତ ମନ୍ତ୍ରୀଙ୍କୁ ଲୋଡୁ ନ ଥିଲେ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କୁ ନେଇ କାମ ଚଳାଇ ଦେଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ରେଣ୍ଡରେ ଏବେ ସାମାନ୍ୟ ପରିବର୍ତ୍ତନ ଆସିଥିଲେ ମଧ୍ୟ ମୁଖ୍ୟ ଶାସନ ସଚିବ କିନ୍ତୁ ନିଜକୁ ବଦଳେଇ ପାରିନାହାନ୍ତି । ମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ନିଷ୍ପତ୍ତି ଘୋଷଣା କରୁଛନ୍ତି । ନିକଟରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ୍ ଆଣ୍ଡ ରିସର୍ଚ(ଭିମସାର) ତାହାର ଏକ ନଗଦ ଉଦାହରଣ ।
ଦୁଇ ସପ୍ତାହ ତଳେ ସଚିବାଳୟରେ ଭିମସାର ପ୍ରଥମ ଗଭର୍ଣ୍ଣିଂ ବଡି ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସେଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଗଲା । ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସରକାରଙ୍କ ବିନା ଅନୁମୋଦନରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମ ଆଗରେ ନିଷ୍ପତ୍ତି ଘୋଷଣା କରିଦେଲେ । ସବ୍ କମିଟି ଅନୁଧ୍ୟାନର ରିପୋର୍ଟ ଉପରେ ସରକାର ପଦକ୍ଷେପ ନେବେ ବୋଲି କହୁଥିବା ମୁଖ୍ୟ ଶାସନ ସଚିବ ଭିମସାର ପାଇଁ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦକ୍ଷେପର ସୂଚନା ଦେଇଥିଲେ । ଡାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ବାଓ-ମେଟ୍ରିକ୍ ଉପସ୍ଥାପନ ଓ ସିସିଟିଭି କ୍ୟାମେରା ସ୍ଥାପନ ଆଦି ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ଓ ତାଙ୍କ ଟିମ୍ ଗଣମାଧ୍ୟମକୁ ଜଣାଇଲେ ।
ଆଶ୍ଚର୍ଯ୍ୟର କଥା, ଭିମସାର ସମ୍ପର୍କିତ ଏସବୁ ନିଷ୍ପତ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଜଣାନାହିଁ । ଭିମସାର ବିଭିନ୍ନ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବେଶ୍ ହଟହଟା ହେବାକୁ ପଡୁଛି । ସାଧାରଣରେ ମନ୍ତ୍ରୀ ଉତ୍ତରଦାୟୀ ରହୁଥିଲା ବେଳେ ବିଧାନସଭାରେ ବି ସଦସ୍ୟଙ୍କ ପ୍ରଶ୍ନବାଣର ସାମନା କରୁଛନ୍ତି । ମାତ୍ର ସେଇ ଭିମସାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସରକାରୀ ନିଷ୍ପତ୍ତି କୁ ସ୍ୱାସ୍ଥ୍ୟମନ୍ତ୍ରୀ ଟିଭିରୁ ଜାଣୁଛନ୍ତି । ସରକାରୀ ବ୍ୟବସ୍ଥାରେ କୌଣସି ଅନୁଷ୍ଠାନର ଗଭର୍ଣ୍ଣିଂ ବଡିର ନିଷ୍ପତ୍ତି ଉପରେ ସରକାର ମୋହର ନ ବାଜିଲା ପର୍ଯ୍ୟନ୍ତ ତାହା ଚୂଡ଼ାନ୍ତ ନୁହେଁ। ମାତ୍ର ଗଭର୍ଣ୍ଣିଂ ବଡିର ମୁଖ୍ୟ ଭାବେ ମୁଖ୍ୟ ଶାସନ ସଚିବ ଯେଭଳି ଗଣମାଧ୍ୟମ ଆଗରେ ଭିମସାର ସମ୍ପର୍କିତ ନିଷ୍ପତ୍ତି ଶୁଣାଇଲେ ଏବଂ ତାଙ୍କ ପିଆରଓଙ୍କ ଦ୍ୱାରା ପ୍ରସାର କରାଇଲେ ତାହା ବାସ୍ତବିକ ସରକାରୀ ବ୍ୟବସ୍ଥା ଓ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି । ବୈଠକର ନିଷ୍ପତ୍ତି ଉପରେ ସରକାରୀ ଅନୁମୋଦନ ନ ଥାଇ କିଭଳି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଗଣମାଧ୍ୟମରେ ବୟାନ ଦେଲେ ତାହା ବି ଆଚମ୍ବିତ କରିଛି ।
ସୂଚନାଯୋଗ୍ୟ, ଡାକ୍ତର ଦାମୋଦର ରାଉତ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଏଭଳି ଏକ ଘଟଣା ଘଟିଥିଲା। ମନ୍ତ୍ରୀଙ୍କ ବିନା ଜାଣତରେ ଏକ ବିଭାଗୀୟ ନିଷ୍ପତ୍ତିକୁ ଗଣମାଧ୍ୟମରେ ସୂଚନା ଦେଇଥିଲେ ତକ୍ରାଳୀନ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ମାତ୍ର ସଚିବଙ୍କର ଏଭଳି ଆଚରଣକୁ ଅଭିଜ୍ଞ ଦାମବାବୁ ସହ୍ୟ କରିପାରି ନ ଥିଲେ । ବିଭାଗର ନିଷ୍ପତ୍ତି ସେ ଜାଣିବା ପୂର୍ବରୁ ସଚିବ ଗଣମାଧ୍ୟମରେ କହିବାକୁ କିଭଳି ସାହସ କଲେ ବୋଲି ଦାମ ତୁମ୍ବିତୋଫାନ କରିଥିଲେ। ଅବଶ୍ୟ କଠୋର ବାକ୍ୟବୀର ଦାମବାବୁଙ୍କ ସହ କୋମଳ ଓ ସ୍ୱଳ୍ପ କଥା କହୁଥିବା ଅତନୁବାବୁଙ୍କୁ ତୁଳନା କରିବା ଠିକ୍ ନୁହେଁ । ତେବେ ମନ୍ତ୍ରୀଙ୍କୁ ଅଣଦେଖା କରି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ସୌଜନ୍ୟତା ଭୁଲିଯିବା ଠିକ୍ ନୁହେଁ ବୋଲି କୁହାଯାଉଛି । ଖାଲି ଏଇ ଗୋଟିକ ନୁହେଁ, ସଚିବାଳୟରେ ପ୍ରତିଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି। ହାକିମଙ୍କ ଦବଦବା ଆଗରେ ମନ୍ତ୍ରୀମାନେ ଫୁ ହୋଇଯାଇଛନ୍ତି ।