ଭୁବନେଶ୍ୱର: ରାଜ୍ୟର ସରକାର ଉଦ୍ୟୋଗ(ପିଏସୟୁ)ଗୁଡ଼ିକର କର୍ମଚାରୀମାନଙ୍କ ପାଇଁ ଦୁଇ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଏହାକୁ ମଂଜୁର କରିଛନ୍ତି । ଏହାଦ୍ୱାରା ପରିବର୍ତ୍ତିତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି ହୋଇଛି । ୨୦୧୮ ଜୁଲାଇ ୧ରୁ ଏହା ପିଛିଲା ଭାବେ ଲାଗୁ ହେବ ।
ଯେଉଁ ସରକାରୀ ଉଦ୍ୟୋଗଗୁଡ଼ିକ ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିଥିବେ, ସେହି ଉଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ପାଇବେ । ଏହି ସର୍ତ୍ତ ପୂରଣ କରି ନ ଥିବା ଉଦ୍ୟୋଗମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ଏହି ପ୍ରସ୍ତାବ ବିଚାର ପାଇଁ ପଠାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ।