ଭୁବନେଶ୍ୱର: ଭଲ ପାଠ ପଢ଼ । ନିଜ ସ୍ୱପ୍ନକୁ ସାକାର କର । ପିତାମାତାଙ୍କ ପ୍ରତି ତୁମ ଦାୟିତ୍ୱ ପ୍ରତି ସବୁବେଳେ ଧ୍ୟାନ ଦିଅ । ଯେଉଁ ସମାଜରେ, ଯେଉଁ ଦେଶରେ, ଯେଉଁ ଗାଁରେ ଆମେ ଜନ୍ମ ନେଇଛୁ, ତା ପାଇଁ କିଛି କର । ମୋ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଜୀବନର ସବୁ ଆହ୍ୱାନକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ ।
ଶିଶୁ ଦିବସର ରାଜ୍ୟସ୍ତରୀୟ ମହାସମାରୋହ ଅଭିଭାଷଣରେ ଏହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ କି ବାତ୍ । ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମେଗା ସମାରୋହରେ ମୁଖ୍ୟମନ୍ତ୍ରୀ ଶିଶୁମାନଙ୍କ ଉଦ୍ଦେଶ୍ୟରେ ନିଜର ମନର କଥା କହିଥିଲେ । ସାରା ରାଜ୍ୟର କୋଣ ଅନୁକୋଣରେ ସ୍କୁଲ ଛାତ୍ରଛାତ୍ରୀମାନେ ଟିଭିରେ ଲାଇଭ୍ ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଶୁଣିଥିଲେ । ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ । କହିଥିଲେ.. ପିଲାମାନେ ତୁମମାନଙ୍କ ଉପରେ ମୋର ପୂରା ଭରସା ଅଛି । ସଂକଳ୍ପର ସହ ଆଗକୁ ବଢ଼ । ମା ମାଟିର ଗୌରବକୁ ଆହୁରି ଉଚ୍ଚ କର ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା କରିଥିଲେ ।
– ଓଡ଼ିଆ ଭାଷାରେ ଦଶମ ଶ୍ରେଣୀରେ ଭଲ କରିଥିବା ପିଲାଙ୍କୁ ମିଳିବ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ପ୍ରତି ବ୍ଲକ୍ ର ୧୦ ଜଣ ପିଲା ପାଇବେ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ।
– ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର । ପ୍ରତି ବ୍ଲକ୍ ଓ ପ୍ରତି ସହରାଞ୍ଚଳର ପିଲାମାନେ ଏହି ପୁରସ୍କାର ପାଇବେ । ରାଜ୍ୟର ୪୦ ହଜାର ପିଲା ଏହି ପୁରସ୍କାର ପାଇବେ । ପ୍ରତି ପିଲାଙ୍କୁ ୫ ହଜାର ଟଙ୍କା ପୁରସ୍କାର ମିଳିବ ।
– ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବେ । ପ୍ରତି ବ୍ଲକ୍ ର ଶ୍ରେଷ୍ଠ ତିନିଟି ସ୍କୁଲକୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ଶିକ୍ଷକମାନେ ଏହାକୁ ଭାଗବାଣ୍ଟି ନେବେ ।
– ସ୍କୁଲ ବିକାଶରେ ପୁରାତନ ଛାତ୍ରଙ୍କୁ ସଂଶ୍ଲିଷ୍ଟ କରିବାକୁ ‘ମୋ ସ୍କୁଲ ଅଭିଯାନ’ ଯୋଜନା ।
– ପୁରାତନ ଛାତ୍ର ଯାହା ଦେବେ ସରକାର ଦୁଇଗୁଣା ଅର୍ଥ ଦେବେ ।
– ‘ମୋ ସ୍କୁଲ ଅଭିଯାନ’ ଲାଗି ୧୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ମେଗା ଶିଶୁଦିବସ ସମାରୋହକୁ ବିଜେପି କଡ଼ା ସମାଲୋଚନା କରିଛି । ବିପୁଳ ଅର୍ଥ ଖର୍ଚ୍ଚ କରି ସରକାର ନିଜର ଆତ୍ମପ୍ରଚାର କରିଥିବା ବିଜେପି କହିଛି । ତେବେ ବିଜେଡ଼ି ଏହାର କଡ଼ା ଜବାବ ଦେଇଛି । ଶିଶୁ ଦିବସ ପାଳନ ପଛରେ ରାଜ୍ୟ ସରକାରଙ୍କର ମହତ୍ ଉଦ୍ଦେଶ୍ୟ ଅଛି । ମାତ୍ର ବିଜେପି ଏହାକୁ ନେଇ ରାଜନୀତି କରୁଛି ବୋଲି ବିଜେଡ଼ି କହିଛି ।
Master stroke and master reply to BJP by our CM.