ଭୁବନେଶ୍ୱର: ‘ମିଡ଼-ଡ଼େ ଓଡ଼ିଶା’ ମୁଖ୍ୟ ସମ୍ପାଦକଙ୍କୁ ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ ତାଙ୍କ ଓକିଲଙ୍କ ଜରିଆରେ ଏକ ନୋଟିସ୍ ପଠାଇଛନ୍ତି । ‘ବିଜେପିରେ ମିଶିବେ ମନୋଜ ନାୟକ’ ଏବଂ ‘ବୈଜୟନ୍ତଙ୍କୁ ବିପଦ ମନୋଜ’ ସମ୍ବାଦ ଉପରେ ସେ ଆପତ୍ତି ଉଠାଇଛନ୍ତି । ଏହା ମିଥ୍ୟା ଓ ସମ୍ମାନହାନି ଖବର ବୋଲି ଦର୍ଶାଇଛନ୍ତି । ସେଥିରେ ଡେରୋଗେଟିଭ୍ ଓ ଡିଫେମାଟୋରି ଭାଷା ବ୍ୟବହାର ହୋଇଥିବା କହିଛନ୍ତି । ଆଉ ଦୁଇ ପାଦ ଆଗକୁ ଯାଇ ‘ମିଡ-ଡେ ଓଡ଼ିଶା’ ନିଉଜ୍ ପୋର୍ଟାଲ୍ ରେ ପ୍ରକାଶିତ ଖବରକୁ ସେ ମିଥ୍ୟା, ମନଗଢ଼ା ଏବଂ ନିରାଧାର ବୋଲି କହିଛନ୍ତି । ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଏଭଳି ଖବର ପ୍ରସ୍ତୁତ ହୋଇଥିବା ସେଥିରେ ଉଲ୍ଲେଖ କରାଯାଇଛି । ଆଇନ ଅଦାଲତରେ ସିଭିଲ୍ ଓ କ୍ରିମିନାଲ୍ କେସ୍ ର କାହିଁକି ଆଶ୍ରୟ ନ ନେବୁ ତାହାର ଜବାବ ମାଗିଛନ୍ତି । ଏଭଳି ଖବର ପ୍ରସାରଣରୁ ନିବୃତ୍ତ କରିବାକୁ ସେ ଭୁଲିନାହାନ୍ତି ।
‘ମିଡ଼-ଡ଼େ ଓଡିଶା’ରେ ମନୋଜ ନାୟକଙ୍କ ସମ୍ପର୍କିତ ଖବରରେ କୌଣସି ପ୍ରକାର ଡେରୋଗେଟିଭ୍ ଓ ଡିଫେମାଟୋରି ଭାଷା ବ୍ୟବହାର ହୋଇଥିବା ଆମେ ଜାଣିପାରୁନାହୁୁଁ । ଏଥିରେ ତାଙ୍କର ସମ୍ମାନହାନି ହେଲା ଭଳି କିଛି ଲେଖାଯାଇଥିବା ଆମର ହୃଦବୋଧ ହେଉନି । ବରଂ ଶ୍ରୀ ନାୟକଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ ସେ ଯାହା ହେଉ, ଶ୍ରୀ ନାୟକ ତାଙ୍କ ଓକିଲଙ୍କ ଜରିଆରେ ନୋଟିସ୍ ପଠାଇଥିବାରୁ ଆମେ ସେହି ଫୋରମ୍ ରେ ହିଁ ତାହାର ଜବାବ ଦେବୁ । ତେବେ ସାମଗ୍ରିକ ଭାବେ ‘ମିଡ଼-ଡ଼େ ଓଡ଼ିଶା’ ରେ ପ୍ରକାଶିତ ଖବରକୁ ମିଥ୍ୟା, ମନଗଢ଼ା ଏବଂ ନିରାଧାର କହି ସେ ଆମର ସମ୍ମାନହାନି କରିବା ସହ ଆମ ବିଶ୍ୱାସନୀୟତାକୁ ପ୍ରଶ୍ନ କରିଛନ୍ତି । ତେବେ ଏହି ସାର୍ଟିଫିକେଟ୍ କୁ ନେଇ ଆମେ ଚିନ୍ତିତ କି ବିବ୍ରତ ନୋହୁଁ । ଯେତେ ଯାହା ପ୍ରତିରୋଧ, ନାଲିଆଖି ଆସିଲେ ବି ଆମେ ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣକୁ ସବୁବେଳେ ଗୁରୁତ୍ୱ ଦେଇଛୁ ଏବଂ ଦେଉଥିବୁ । ବ୍ୟକ୍ତିଗତ ଭାବେ କାହାରି ସମ୍ମାନହାନି କରିବା ଆମର ଉଦ୍ଦେଶ୍ୟ ନୁହେଁ ଏବଂ ଏଭଳି ଖବରରୁ ଆମେ ସଦାସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରିଛୁ । – ମୁଖ୍ୟ ସମ୍ପାଦକ