ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ଦିବସର ଆଡମ୍ବରପୂର୍ଣ୍ଣ ପାଳନକୁ ବିରୋଧ କରି ଗଳା ଫଟାଇଛି ବିଜେପି । କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ମେଗା ସମାରୋହ, ସ୍କୁଲ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାର ସିଧା ପ୍ରସାରଣ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ଆଦି ବିଜେପିକୁ ହଜମ ହୋଇନି । ଯେଉଁଥିପାଇଁ ଶିଶୁଦିବସ ଉତ୍ସବ ପାଳନବେଳେ ସମାନ୍ତରାଳ ଭାବେ ବିଜେପି ବିଜେଡ଼ି ସରକାରଙ୍କ ବିଫଳତାର ପ୍ରଚାର ଓ ବିକ୍ଷୋଭ ସୋ’ ଆୟୋଜନ କରି ରାଜନୈତିକ ଫାଇଦା ହାସଲ ଉଦ୍ୟମ କରିଥିଲା। ଟିଭିରେ ଗଳାଫଟାଇ ଚିତ୍କାର କରିଥିଲେ ବିଜେପି ନେତା ଓ ନେତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ନଷ୍ଟ କରିବାରେ ବିଜେପି କୌଶଳ ସମ୍ଭବତଃ କାଟୁ କରିନି । ଓଲଟି ସାରା ରାଜ୍ୟର କୋମଳ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ବିଜେପିର ସମାଲୋଚନା କେବଳ ଟିଭି ଆଲୋଚନାରେ ସୀମିତ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ବିଜେପି ଉଠାଇଲା ଗଦା ଗଦା ଇସ୍ୟୁ । ମୁଖ୍ୟମନ୍ତ୍ରୀ ସେଦିନ ତାଙ୍କ ଅଭିଭାଷଣରେ ଟେଲି ପ୍ରମ୍ପଟର୍ ବ୍ୟବହାର କରିବାକୁ ନେଇ ଇସ୍ୟୁ କଲା ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ୧୨ ମିନିଟ୍ ଅଭିଭାଷଣରୁ ୪ ମିନିଟ୍ ଇଂରାଜୀ କହିଥିବାରୁ ସମାଲୋଚନା କଲା । ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳତାକୁ ପୁଣି ମାଡ଼ କଲା । ଏକ ସାମ୍ବାଦିକ ସମ୍ମିଳନୀ କରି ପୃଥ୍ୱୀରାଜ ହରିଚନ୍ଦନ କହିଲେ, ମୁଖ୍ୟମନ୍ତ୍ରୀ ଯଦି ୨୫/୩୦ ପୃଷ୍ଠାର ଓଡ଼ିଆ ବହି ପଢ଼ିଦେବେ ତେବେ ଲକ୍ଷେ ଟଙ୍କାର ପୁରସ୍କାର ଦିଆଯିବ । ତାଙ୍କର ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଫେସବୁକ୍ ରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷାକୁ ନେଇ କଟୁ ମନ୍ତବ୍ୟ ଦେଲେ । ଶିଶୁମାନଙ୍କ ଉଦ୍ଦେଶ୍ୟରେ ବି ଅରୁଚିକର ମନ୍ତବ୍ୟ ଦେଲେ । ସର୍ବୋପରି ଶିଶୁ ଦିବସ ଆୟୋଜନରେ ୨୦୦ କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିବା ବିଜେପି ନେତାମାନେ ତୁମ୍ବିତୋଫାନ କଲେ ।
ମାତ୍ର ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ଶିଶୁ ଦିବସରେ ବିଜେଡ଼ି ତ ରାଜନୀତି କରିଛି । ହେଲେ ବିଜେପି ଶସ୍ତା ରାଜନୀତି କରିଛି । ବାଗ ନ ଜାଣି ଅଡୁଆ ଜାଗାରେ ହାତ ମାରିଛି । ସ୍ଥାନ,କାଳ, ପାତ୍ରକୁ ଅନୁମାନ ଲଗାଇବାରେ ଭୁଲ୍ କରିଦେଇଛି । ଶିଶୁ ଦିବସରେ ଏଭଳି ଶସ୍ତା ରାଜନୀତି କୋମଳପତି ପିଲା ଓ ତାଙ୍କ ଅଭିଭାବକଙ୍କ ଉପରେ ସେଭଳି ପ୍ରଭାବ ପକାଇପାରିନି । ତାହାର କାରଣ ବି ସ୍ପଷ୍ଟ । ନିଜକୁ ପ୍ରଚାର କରିବାରେ ବିଜେପି ଏବେ ବିଜେଡ଼ିଠାରୁ ଦୁଇପାଦ ଆଗରେ । ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଓ ପରେ ପ୍ରଚାରକୁ ହିଁ ବଡ଼ ଅସ୍ତ୍ର କରିଛନ୍ତି । ମୋଦି ଫେଷ୍ଟ, ସବ୍ କା ସାଥ୍ ସବ୍ କା ବିକାଶ ଭଳି କାର୍ଯ୍ୟକ୍ରମରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଠି ଓଡ଼ିଶାରେ ବି ବିଜେପି ସେଇ ଧାରା ଧରିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପାଣିପରି ପଇସା ଖର୍ଚ୍ଚ ହେଉଛି । ପାରାଦ୍ୱୀପ ତୈଳ ବିଶୋଧାନଗାର ପ୍ରକଳ୍ପ ଶୁଭାରମ୍ଭ ପାଇଁ ଆଇଓସିଏଲ୍ ପଇସାରେ ବିଜେପି ନିଜର ବଢ଼ିଆ ପ୍ରଚାର କରିଥିଲା । ଆଜି(ଗୁରୁବାର) ଭୁବନେଶ୍ୱରର ମେ ଫେୟାର ହୋଟେଲରେ ଆୟୋଜିତ ପେଟ୍ରୋକେମିକାଲ ଇନଭେଷ୍ଟର୍ସ କନକ୍ଲେଭ୍ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି । ସରକାରୀ ଅର୍ଥରେ ବିଜେପି ନିଜର ପ୍ରଚାର କରୁଛି । ଏହି ଟଙ୍କା କ’ଣ ଲୋକଙ୍କ ଟିକସ ପଇସା ନୁହେଁ କି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ଅନ୍ୟପକ୍ଷରେ, ରାଜ୍ୟରେ ପ୍ରାଥମିକ ଶିକ୍ଷା ସମସ୍ୟାକୁ ଫୋକସ୍ ନ କରି ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶସ୍ତା ପ୍ରଚାର କରି ଭୁଲ୍ କରିଛି ବୋଲି କୁହାଯାଉଛି । ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳତା ଆଉ ଇସ୍ୟୁ ହୋଇ ରହିନାହିଁ । ଚାରି ଚାରି ଥର ଓଡ଼ିଶାବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେଣି । ଓଡ଼ିଶାରେ ଆଜି ବି ସେ ସବୁଠାରୁ ଅଧିକ ଜନପ୍ରିୟ ନେତା । ଦ୍ୱିତୀୟରେ, ମୁଖ୍ୟମନ୍ତ୍ରୀଙ୍କ ଟେଲି ପ୍ରମ୍ପଟର୍ ବ୍ୟବହାର ପ୍ରସଙ୍ଗ । ବିଜେପି ନେତାମାନେ ଭୁଲିଯିବା ଉଚିତ୍ ନୁହେଁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଂରାଜୀରେ ବହୁତ ଦୁର୍ବଳ । ତେଣୁ ସେ ଦେଶ ବିଦେଶରେ ଇଂରାଜୀରେ ଭାଷଣ ଦେଲାବେଳେ ସବୁବେଳେ ଟେଲି ପ୍ରମ୍ପଟର୍ ର ସାହାଯ୍ୟ ନିଅନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲି ପ୍ରମ୍ପଟର୍ ସାହାଯ୍ୟ ନେବା ସାଧାରଣ ଲୋକଙ୍କ ପାଇଁ ଆଦୌ ଏକ ଇସ୍ୟୁ ନୁହେଁ । ଚାଲୁଣି ଛୁଞ୍ଚିକି କହିଲା ଭଳି ବିଜେପି ନେତାମାନେ ମୂଳ ପ୍ରସଙ୍ଗରୁ ହଟି ଏସବୁ କଥାକୁ ହାମରିଂ କରିବାରେ ରାଜନୈତିକ ଫାଇଦା ହାସଲ ସମ୍ଭାବନା କମ । ଓଲଟି ବିଜେଡ଼ିର ଟାର୍ଗେଟ୍ ହାସଲକୁ ଏହା କୁସୁମିତ କରିଥିବା କୁହାଯାଉଛି ।