ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଭଳି ଅତି ଗମ୍ଭୀର ପ୍ରସଙ୍ଗରେ ସରକାରଙ୍କୁ ବେଶୀ ଅଡୁଆରେ ପକାଇଛନ୍ତି ଖୋଦ୍ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । କ୍ରମାଗତ ଚାରି ଚାରି ଥର କ୍ଷମତାର ଗର୍ବ ତାଙ୍କୁ ସତେ ଯେମିତି ଅନ୍ଧ କରିଦେଇଛି । ଦାମଙ୍କ ସମେତ ଦଳର ନେତାମାନେ ନିର୍ଲ୍ଲଜ ଭାବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ଚାଷୀ ଆତ୍ମହତ୍ୟା କଥା କହି ପାର୍ ହେବାକୁ ଚେଷ୍ଟା କରୁଛନ୍ତି । ସବୁଠାରୁ ବିଡ଼ମ୍ବନା ହେଉଛି, କୃଷିମନ୍ତ୍ରୀ ଏବେ ବି ଫସଲହାନି ଓ ଋଣଭାରରେ ପଡ଼ି ଓଡ଼ିଶାର ଚାଷୀ ଆତ୍ମହତ୍ୟା କରୁଥିବା ସ୍ୱୀକାର କରିବାକୁ ରାଜି ନୁହଁନ୍ତି । ଓଲଟି ତାଙ୍କର ମନ୍ତବ୍ୟ ମୃତ ଚାଷୀଙ୍କ ପରିବାରକୁ ତାତ୍ସଲ୍ୟ କରୁଛି ।
ଡାକ୍ତର ଦାମୋଦର ରାଉତ ଜଣେ ବରିଷ୍ଠ ରାଜନେତା । ୪୦ ବର୍ଷର ରାଜନୈତିକ ଅଭିଜ୍ଞତା ରଖି ସେ ନିଜକୁ ବେଶ୍ ଅନୁଭବୀ ନେତା ବୋଲି ଦାବି କରୁଛନ୍ତି । ମାତ୍ର ରାଜ୍ୟର ଚାଷୀ ଫସଲହାନୀ ଯୋଗୁଁ ଋଣ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରୁଥିବା ସେ ମାନିବାକୁ ରାଜି ନୁହଁନ୍ତି । ଗତଥର ସେ କୃଷି ମନ୍ତ୍ରୀ ଥିବା ବେଳେ ଯାହା ଘଟିଥିଲା ଏଥର କୃଷିମନ୍ତ୍ରୀ ଥିବା ବେଳେ ସେୟା ଘଟୁଛି । ଚାଷୀ ମୃତ୍ୟୁ ନେଇ ସମ୍ବେଦନଶୀଳ ହେବା ପରିବର୍ତ୍ତେ ତାକୁ ଗାଲୁ ଠେଲି ଭାଷଣ ଦେଉଛନ୍ତି । ଏହା ଚାଷୀକୂଳକୁ ଉପହାସ ଛଡ଼ା କିଛି ନୁହେଁ । ବରଗଡ଼ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ କୃଷି ମନ୍ତ୍ରୀଙ୍କ ବୟାନବାଜି ତାଙ୍କର ଦାୟିତ୍ୱହୀନତା ଓ ସମ୍ବେଦନହୀନତାକୁ ଖୋଲି ଦେଇଛି ।
ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇଲା । ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ଦଳ ହମଲା କଲେ । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ବୃନ୍ଦାଙ୍କ ପରିବାରବର୍ଗଙ୍କୁ ଯାଇ ସମବେଦନା ଜଣାଇଲେ । ମାତ୍ର ଆମ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଶାନ୍ତ୍ୱନା ଦେବା ଦୂରେ ଥାଉ, ଏଠି ସଚିବାଳୟରେ ବସି ବୟାନବାଜି କରୁଛନ୍ତି । ବୃନ୍ଦା ସାହୁ ବିଜେଡ଼ି ଦଳର ନୁହେଁ । ସେ ବିଜେପିର । ଏଣୁ ସେ କାହିଁକି ତାଙ୍କ ଘରକୁ ଯିବେ ବୋଲି ଓଲଟି ପ୍ରଶ୍ନ କରୁଛନ୍ତି । ଦାମବାବୁଙ୍କ ଭଳି ଜଣେ ପୋଖତ, ଅଭିଜ୍ଞ ରାଜନେତାଙ୍କର ଏଭଳି ବୟାନ ମୃତ ବୃନ୍ଦାଙ୍କ ପରିବାରବର୍ଗଙ୍କ ପ୍ରତି କଟା ଘାରେ ଚୂନ ବୋଳିଛି ବୋଲି ଯେ କେହି କହିବେ । ଏହାଦ୍ୱାରା ସେ ନିଜେ ଭର୍ସିତ ହେବା ସହ ରାଜ୍ୟ ସରକାରଙ୍କୁ ଭର୍ସିତ କରିଛନ୍ତି । ସମ୍ବେଦନଶୀଳ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦିତ କରିଛନ୍ତି ।
ବୃନ୍ଦା ଆତ୍ମହତ୍ୟାର ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନଠାରୁ ପାଇଲା ପରେ କୃଷିମନ୍ତ୍ରୀ ତାହାକୁ କେମିତି ତର୍ଜମା କଲେ ତାଙ୍କୁ ଜଣା ଥିବ । ହେଲେ ବୃନ୍ଦା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ବୋଲି ସେ କହିଛନ୍ତି । ବୃନ୍ଦା ବିଷ ପିଇ ମରିଛନ୍ତି ସତ । ହେଲେ କାହା ଉପସ୍ଥିତିରେ ବିଷ ପିଇଲେ ସେକଥା ସମସ୍ତଙ୍କୁ ଜଣା କହି ଆତ୍ମହତ୍ୟା କାରଣ ସମ୍ପର୍କରେ କହୁନାହାନ୍ତି । ବୃନ୍ଦା ବିଷ ପିଇବା ପାଇଁ ଏକ ଟିଭି ଚାନେଲ୍ ଉସୁକାଇଛି ବୋଲି ଦାମବାବୁ କହିବାକୁ ଚେଷ୍ଟା କରୁଛନ୍ତି । ହେଲେ ତାଙ୍କର ଦମ୍ ପାଉନି । କିନ୍ତୁ କାହିଁକି ? ଯଦି ଜିଲ୍ଲା ପ୍ରଶାସନର ତଦନ୍ତ ରିପୋର୍ଟରୁ ସେଭଳି କିଛି ତଥ୍ୟ ମିଳିଛି ତେବେ କୃଷିମନ୍ତ୍ରୀ ତାହାକୁ ଖୁଲମ୍ କରିବାରେ ଅସୁବିଧା କେଉଁଠି ? ଲୋକଙ୍କୁ ସତ ଜଣାଇବାକୁ ଡର କାହିଁକି ? ଦାମବାବୁ ସେକଥା ସ୍ପଷ୍ଟ ନ କରି ଗାଁ ମାଇପିଙ୍କ ଭଳି ଦେଖେଇ ଶିଖେଇ ହେଉଛନ୍ତି ।