ଭୁୁବନେଶ୍ୱର: ତିନି ଚାରି ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଛି କରୋନା । ଆଜି ସକାଳୁ ଭଦ୍ରକରୁ ୫ ଏବଂ ବାଲେଶ୍ୱରରୁ ୨ ଜଣ ଏହିପରି ୭ ପଜିଟିଭ୍ ଙ୍କ ସମ୍ପର୍କରେ ସୂଚନା ଆସିଥିବା ବେଳେ ଅପରାହ୍ନରେ ଆଉ ୬ କରୋନା ପଜିଟିଭ୍ ଖବର ଆସିଛି । ଯାଜପୁରର ୫ ଜଣ ଏବଂ ସୁନ୍ଦରଗଡ଼ ବିଶ୍ରାର ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଛି । ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୪୯ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ୬ ପଜିଟିଭ୍ ଙ୍କୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର କୋଲକତା ଲିଙ୍କ୍ ରହିଛି । ଯାଜପୁରର ନୂଆ ୫ ଆକ୍ରାନ୍ତ ସମସ୍ତଙ୍କର କୋଲକତା ଲିଙ୍କ୍ ରହିଛି । ହାୱାଡା ବଡ଼ବଜାର ଅଞ୍ଚଳରେ ସେମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ବ୍ଲକ୍ ର ୩ ଜଣ, କୋରେଇ ବ୍ଲକ୍ ର ଜଣେ ଏବଂ ଦଶରଥପୁର ବ୍ଲକ୍ ର ଜଣେ ଥିବା ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୨୮ ବର୍ଷ, ଅନ୍ୟ ଜଣଙ୍କର ବୟସ ୩୨ ବର୍ଷ ହୋଇଥିବା ବେଳେ ଅବଶିଷ୍ଟ ୩ ଜଣଙ୍କର ବୟସ ପ୍ରାୟ ୫୫ ବର୍ଷ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ବିଶ୍ରାର ଚିହ୍ନଟ ପଜିଟିଭ୍ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହାକୁ ମିଶାଇ ଯାଜପୁର ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୭ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩ ହୋଇଛି ।