ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଭଦ୍ରକରୁ ୫ଜଣ ଏବଂ ଯାଜପୁରର ୫ ଜଣ ଯାକ ନୂଆ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି । ସେମାନେ ହାୱାଡା ବଡ଼ ବଜାର ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ୍ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ୭୪ ବ୍ୟକ୍ତିଙ୍କ ମଧ୍ୟରୁ ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସେ କହିଛନ୍ତି ।
ସେପଟେ ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଭଦ୍ରକରୁ ଯେଉଁ ନୂଆ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି ସେ ଗତ ୨୯ ତାରିଖ ରାତି ୯ଟାରେ ହାୱାଡା ବଡ଼ବଜାର ଅଞ୍ଚଳରୁ ଏକ ମାରୁତି ଭ୍ୟାନ୍ ରେ ଘରକୁ ବାହାରିଥିଲେ । ତାଙ୍କ ସାଙ୍ଗରେ ଯାଜପୁରର ଆଉ ୬ ଜଣ ବ୍ୟକ୍ତି ଆସିଥିଲେ । ସମସ୍ତେ ଶ୍ରମିକ ଭାବେ କାମ କରୁଥିବା ଅନୁମାନ କରିଥିଲେ ମଧ୍ୟ ସେମାନଙ୍କ ପରିଚୟ ଜାଣି ନ ଥିବା ଭଦ୍ରକ ବ୍ୟକ୍ତି ଜଣଙ୍କ ବୟାନ ଦେଇଛନ୍ତି ।
ସୁତରାଂ ଏବେ ଯାଜପୁରରୁ ଚିହ୍ନଟ ୫ ଆକ୍ରାନ୍ତ ଏମାନେ କି ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତାହା ପ୍ରଶାସନକୁ ଦ୍ୱନ୍ଦରେ ପକାଇଛି । ସଂପୃକ୍ତ ଅଜଣା ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଜନସାଧାରଣ ସହଯୋଗ କରିବାକୁ ଯାଜପୁର ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ୨୮ ଦିନ ଭିତରେ ଯେଉଁମାନେ ଓଡ଼ିଶା ଫେରିଛନ୍ତି ନିଜ ଆଡୁ ଜଣାଇବାକୁ ଅନୁରୋଧ କରାଯାଇଛି । ବିଡ଼ିଓ, ତହସିଲଦାର ଏବଂ ସରପଞ୍ଚଙ୍କୁ ଏ ସମ୍ପର୍କରେ ଜଣାଇ କ୍ୱାରେଣ୍ଟାଇନ୍ ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।