ଭୁବନେଶ୍ୱର: ବାଲେଶ୍ୱରରେ ଆଉ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କର କୋଭିଡ୍ ନମୁନା ପଜିଟିଭ୍ ବାହାରିଛି । ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ଏଥିସହ ବାଲେଶ୍ୱରରୁ ୮ ଜଣ କରୋନା ପଜିଟିଭ୍ ବାହାରିଲେଣି । ଏହି ନୂଆ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଛି । ଆକ୍ଟିଭ୍ କରୋନା ସଂଖ୍ୟା ହୋଇଛି ୫୩ ।
ବଡ଼କଥା ହେଉଛି, ବାଲେଶ୍ୱରର ନୂଆ ୫ ଜଣ ଯାକ ଆକ୍ରାନ୍ତ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ପିଲା ଏବଂ ଦୁଇଜଣ ମହିଳା ଅଛନ୍ତି । ମହିଳାଦ୍ୱୟଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ପୁରୁଷଙ୍କ ମଧ୍ୟରୁ ଜଣେ ୩୮ ବର୍ଷ ଏବଂ ଅନ୍ୟଜଣଙ୍କ ୨୬ ବର୍ଷର ଯୁବକ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି(ସୋମବାର) ସକାଳେ ଭଦ୍ରକରୁ ୫ ଜଣ ଓ ବାଲେଶ୍ୱରରୁ ୨ ଜଣଙ୍କର କରୋନା ପଜିଟିଭ୍ ସମ୍ପର୍କରେ ସୂଚନା ଆସିଥିଲା । ସେଥିରେ ଥିଲେ ବାଲେଶ୍ୱର ନୀଳଗିରି ଅଞ୍ଚଳର ଜଣେ ଦୁଇ ବର୍ଷର ଶିଶୁ । ଅପରାହ୍ନରେ ଯାଜପୁର ଜିଲ୍ଲାରୁ ୫ ଜଣ ଏବଂ ସୁନ୍ଦରଗଡ଼ ବିଶ୍ରାରୁ ଜଣେ ବ୍ୟକ୍ତିଙ୍କର ପଜିଟିଭ୍ ଆସିଥିଲା । ଆଜି ସକାଳୁ ବାଲେଶ୍ୱରରୁ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ୩୬ ଘଣ୍ଟା ଭିତରେ ରାଜ୍ୟରୁ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।
ସବୁଠାରୁ ଉଦବେଗର କଥା ହୋଇଛି, ଓଡ଼ିଶାରୁ ଚିହ୍ନଟ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍ । ଗତକାଲି ଚିହ୍ନଟ ହୋଇଥିବା ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତୃତୀୟାଂଶ ବ୍ୟକ୍ତିଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କରୋନା ସ୍ଥିତି (୨୧ ଏପ୍ରିଲ୍୨୦୨୦, ସକାଳ ୮ଟା)
ଜିଲ୍ଲା | ୨୦ ଏପ୍ରିଲ୍ ସ୍ଥିତି | ନୂଆ ଚିହ୍ନଟ | ସମୁଦାୟ |
ଖୋର୍ଦ୍ଧା | ୪୬ | ୪୬ | |
ବାଲେଶ୍ଵର | ୮ | ୫ | ୮ |
ଭଦ୍ରକ | ୮ | ୮ | |
ଯାଜପୁର | ୭ | ୭ | |
ସୁନ୍ଦରଗଡ଼ | ୩ | ୩ | |
କେନ୍ଦ୍ରାପଡ଼ା | ୨ | ୨ | |
କଳାହାଣ୍ଡି | ୨ | ୨ | |
ପୁରୀ | ୧ | ୧ | |
କଟକ | ୧ | ୧ | |
ଢେଙ୍କାନାଳ | ୧ | ୧ | |
ସମୁଦାୟ | ୭୪ | ୫ | ୭୯ |