ଭୁବନେଶ୍ୱର: ଆସନ୍ତକାଲି ପୁରୀ ସର୍କିଟ୍ ହାଉସ୍ ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ପ୍ରଥମ ଥର ପାଇଁ ଭୁବନେଶ୍ୱର ସଚିବାଳୟ ବାହାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ପୁରୀ ତାଳବଣିଆଠାରେ ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଆରମ୍ଭ ବେଳକୁ ସମାନ୍ତରାଳ ଭାବେ ସର୍କିଟ୍ ହାଉସରେ ବସିବ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ । ସେଠାରେ ରାଜ୍ୟ ସରକାରଙ୍କର କିଛି ନୂଆ ଯୋଜନା ଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳୁ ପୁରୀରେ ପହଞ୍ଚି ସିଧା ମହାପ୍ରଭୁଙ୍କ ଦର୍ଶନ କରିବେ । ସେଠୁ ଯିବେ ସ୍ୱର୍ଗଦ୍ୱାର । ବାପା ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳରେ ମାଲ୍ୟାର୍ପଣ କରିବେ । ତାପରେ ସର୍କିଟ୍ ହାଉସ୍ ଆସିବେ । ସେଠି କ୍ୟାବିନେଟ୍ ବୈଠକ ସାରି ଯିବେ ତାଳବଣିଆ । ଦଳର ୨୦ ବର୍ଷ ପୂର୍ତ୍ତି ପାଳନ ସମାବେଶରେ ଯୋଗଦେଇ ଦଳର ନିର୍ବାଚନୀ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ । ସେହି ଶ୍ରୀକ୍ଷେତ୍ରରୁ ଆଗାମୀ ଓଡ଼ିଶା ବିକାଶ ଯାତ୍ରାର ଶଙ୍ଖ ଫୁଙ୍କିବେ ମୁଖ୍ୟମନ୍ତ୍ରୀ ।
ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତ ପାଳନ ପାଇଁ ସମଗ୍ର ପୁରୀ ସହର ଶଙ୍ଖୁଆ ହୋଇଯାଇଛି । ସକାଳ ୧୦ଟା ବେଳେ ଆରମ୍ଭ ହେବାକୁ ଥିବା ସମାବେଶ ପାଇଁ ଆଜିଠାରୁ ବିଭିନ୍ନ ଅଞ୍ଚଳରୁ ନେତା ଓ କର୍ମୀମାନେ ପୁରୀରେ ପହଞ୍ଚିବା ଆରମ୍ଭ କଲେଣି । ଆସନ୍ତାକାଲି ସକାଳୁ ଉପକୂଳବର୍ତ୍ତୀ ଜିଲ୍ଲାରୁ ପୁରୀକୁ ଛୁଟିବ ବିଜେଡ଼ି ପଟୁଆର । ମଟରସାଇକେଲ ରାଲି, ରୋଡ୍ ସୋ ହେବ । କଟକ ଓ ଭୁବନେଶ୍ୱରରୁ ବିରାଟ ପଟୁଆର ବାହାରିବ । ପ୍ରତି ନିର୍ବାଚନମଣ୍ଡଳୀରୁ ତୃଣମୂଳସ୍ତରରୁ ଶୀର୍ଷସ୍ତର ଯାଏଁ ଅନ୍ୟୁନ ୨୦୦ ପ୍ରତିନିଧିଙ୍କୁ ପୁରୀ ଆଣିବା ବ୍ୟବସ୍ଥା ହୋଇଛି । ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ପରାଜିତ ପ୍ରାର୍ଥୀ, ଜିଲ୍ଲା ପରିଷଦଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀ ସମାବେଶରେ ଉପସ୍ଥିତ ରହିବେ । ୧୭ ବର୍ଷ ବିଜେଡ଼ି ଶାସନର ସଫଳତା କିଭଳି ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ମନ୍ତ୍ର ଦିଆଯିବ । ଏହିଠାରେ ହିଁ ବିଜେଡ଼ିର ଆଗାମୀ ନିର୍ବାଚନୀ ଖସଡ଼ା ପ୍ରସ୍ତୁତ ହୋଇ ପ୍ରଚାରର ବିଗୁଲ୍ ଫୁଙ୍କାଯିବ ବୋଲି ଜଣାପଡ଼ିଛି ।