ଭୁବନେଶ୍ୱର(ମିଡ଼-ଡ଼େ ଓଡ଼ିଶା ବ୍ୟୁରୋ): ଆଞ୍ଚଳିକ ଦଳଦ୍ୱାରା ନିଜର ରାଜନୈତିକ ସ୍ୱାର୍ଥ ସିଦ୍ଧି କରାଯାଇପାରେ, କିନ୍ତୁ ଓଡ଼ିଶାର ସାମୁହିକ ଉନ୍ନତି ସମ୍ଭବ ନୁହେଁ । ୧୯୬୯ ମସିହାରେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିବା ପରେ ଏହା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଅନୁଭବ । ସେତେବେଳର ଜାତୀୟ ରାଜନୈତିକ ଦୃଶ୍ୟପଟ ସେୟା ହିଁ ବୟାନ କରୁଥିଲା । ଓଡ଼ିଶାରେ ଜାତୀୟ କଂଗ୍ରେସର ସଫଳ ନେତୃତ୍ୱ ନେଇଥିବା ବିଜୁବାବୁ ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଆକ୍ରୋଶରେ ପଡ଼ି ନିଜ ହାତରେ ଗଢ଼ିଥିବା ଉତ୍କଳ କଂଗ୍ରେସକୁ ତିଷ୍ଠି ରଖିପାରି ନ ଥିଲେ । ରାଜ୍ୟର ବିକାଶପଥକୁ ଏହା ସମ୍ଭବ କରାଇ ପାରିବନି ବୋଲି ତାଙ୍କର ହୃଦୟଙ୍ଗମ ହୋଇଥିଲା ।
ମାତ୍ର ଷାଠିଏ ଦଶକର ସ୍ଥିତି ଆଉ ନାହିଁ । ଆଞ୍ଚଳିକ ଦଳଗୁଡ଼ିକ ଭାରତର ରାଜନୀତିକୁ ନୂଆ ଦିଗ ଧରାଇଛନ୍ତି । । ଆସାମ ଗଣ ପରିଷଦଠାରୁ ଆରମ୍ଭ କରି ତେଲୁଗୁଦେଶମ୍, ଏଆଇଏଡିଏମକେ, ଡିଏମକେ, ଆରଜେଡ଼ି, ତୃଣମୂଳ କଂଗ୍ରେସ ଭଳି ଆଞ୍ଚଳିକ ଦଳ ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି । ଓଡ଼ିଶା ପାଇଁ ଗର୍ବର କଥା, ରାଜ୍ୟର ମହାନ୍ ଜନନାୟକ ବିଜୁବାବୁ ନିଜ ରାଜ୍ୟର ଉନ୍ନତି ପାଇଁ ସାରା ଭାରତରେ ପ୍ରଥମ କରି ଯେଉଁ ଆଞ୍ଚଳିକ ଦଳର ସ୍ୱପ୍ନ ରଖିଥିଲେ ତାହା ତାଙ୍କର ଆବର୍ତ୍ତନରେ ନିଚ୍ଛକ ବାସ୍ତବ ରୂପ ନେଇଛି । ବିଜୁବାବୁଙ୍କ ନିଧନ ପରେ ୧୯୯୭ ମସିହାରେ ତାଙ୍କର ସୁଯୋଗ୍ୟ ପୂତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ବିଜୁବାବୁଙ୍କ ସ୍ୱପ୍ନକୁ ସାର୍ଥକ କରିପାରିଛି । ରାଜ୍ୟର ବିକାଶକୁ ବିଜୁ ଜନତା ଦଳ ଖାଲି ଆଗକୁ ନେଇନି ବରଂ ନବୀନଙ୍କ ନେତୃତ୍ୱରେ ଦଳ ଜାତୀୟସ୍ତରରେ ନିଜକୁ ଶକ୍ତିଶାଳୀ ପ୍ରମାଣିତ କରିଛି । ଅନ୍ୟ ଶକ୍ତିଶାଳୀ ଆଞ୍ଚଳିକ ଦଳ ମଧ୍ୟରେ ବିଜୁ ଜନତା ଦଳ ନିଜର ପରାକ୍ରମ ଦେଖାଇବାରେ ସକ୍ଷମ ହୋଇଛି । ଖାସ୍ ନବୀନଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ନେତୃତ୍ୱ, ଜନହିତକାରୀ ଯୋଜନା, କେନ୍ଦ୍ରଠାରୁ ନିଜର ହକ୍ ମାଗିବାର ସାମର୍ଥ ବିଜୁ ଜନତାଦଳକୁ ପରାକ୍ରମୀ କରିଛି ବୋଲି କୁହାଯାଉଛି ।
ବିଜୁବାବୁଙ୍କ ନିଧନ ପରେ ୧୯୯୭ ମସିହା ଡିସେମ୍ବର ୨୬ରେ ନୂଆ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳର ଆର୍ବିଭାବକୁ ବିରୋଧୀ ଶକ୍ତି ନ୍ୟୁନ୍ ଚକ୍ଷୁରେ ଦେଖିଥିଲେ । କୁହାଗଲା, ରାଜନୀତିରେ ନୂଆ ନବୀନ ନିଜର ପିତାଙ୍କ ଲିଗାସୀକୁ ଚଳାଇ ରଖିବାରେ ସମର୍ଥ ହେବେ ନାହିଁ । ମାତ୍ର ବିରୋଧୀଙ୍କ ଗାଲରେ ଜନମତ ଶକ୍ତ ଚଟକଣା ମାରିଥିଲା । ଓଡ଼ିଶାରେ ପ୍ରବଳ ଶକ୍ତିଶାଳୀ ତତ୍କାଳ କ୍ଷମତାସୀନ କଂଗ୍ରେସକୁ ଧୂଳିସାତ୍ କରିଦେଲା । ୧୯୯୮ ସାଧାରଣ ନିର୍ବାଚନରେ ବିଜେଡ଼ି ୯ ଟି ଲୋକସଭା ଆସନରେ ଜିତିଥିବା ବେଳେ ୧୯୯୯ ନିର୍ବାଚନରେ ଏହା ୧୦କୁ ବୃଦ୍ଧି ପାଇଥିଲା । ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲା । ୨୦୦୯ ରେ ମେଣ୍ଟ ଭାଙ୍ଗିଲା ପରେ ଅନେକ ଭାବୁଥିଲେ ବିଜେଡ଼ି ଏକାକୀ ନିଜର ଶକ୍ତି ଯୋଗାଡ଼ କରିପାରିବ ନାହିଁ । ମାତ୍ର ନବୀନଙ୍କ ଦୃଢ଼ ନେତୃତ୍ୱ, ସ୍ୱଚ୍ଛ ଭାବମୂର୍ତ୍ତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଜନମତକୁ ଅଧିକ ପ୍ରଭାବିତ କରିଥିଲା । ୨୦୦୯ ସାଧାରଣ ନିର୍ବାଚନରେ ଏକାକୀ ବିଜେଡ଼ି ୧୪ ଟି ଲୋକସଭା ଆସନରେ ଜିତିଥିଲା ବେଳେ ୧୦୩ ବିଧାନସଭା ଆସନ ହାସଲ କରିଥିଲା । ସେହି ଧାରା ଆହୁରି ପ୍ରଖର ହୋଇ ୨୦୧୪ ଜନମତରେ ପ୍ରତିଫଳିତ ହୋଇଥିଲା । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ିକୁ ୨୦ଟି ଲୋକସଭା ଆସନ ମିଳିଥିବା ବେଳେ ରେକର୍ଡ ସଂଖ୍ୟକ ୧୧୭ ବିଧାନସଭା ଆସନରେ ଜିତିଥିଲା ଦଳ ।
ନବେ ଦଶକରେ ବିଜୁବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱକାଳରେ ଯେଉଁ କିର୍ତ୍ତୀମାନ ସ୍ଥାପନ କରିଥିଲେ ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାହା ବଜାୟ ରଖିବାରେ ସମର୍ଥ ହୋଇପାରିଛି । ଓଡ଼ିଶାବାସୀଙ୍କ ଆସ୍ଥା, ଅକୁଣ୍ଠ ସମର୍ଥନ ବିଜୁ ଜନତା ଦଳକୁ ଆଗକୁ ନେଇ ଚାଲିଛି । ସ୍ୱାଭିମାନୀ ବିଜୁବାବୁ କେବେ ବି କେନ୍ଦ୍ରର ଗୋଡ଼ାଣିଆ ହେବାକୁ ଚାହୁଁ ନ ଥିଲେ । ଏକ ଫେଡେରାଲ୍ ଷ୍ଟ୍ରକ୍ଚର(ସଂଘୀୟ ବ୍ୟବସ୍ଥା)ରେ କେନ୍ଦ୍ର ଓ ରାଜ୍ୟର ଅଧିକାର ଓ ଭୂମିକାକୁ ସେ ନିଖୁଣ ଭାବେ ଅନୁଶୀଳନ କରିଥିଲେ । ଭିକ୍ଷା ନୁହେଁ, ରାଜ୍ୟ କେନ୍ଦ୍ରଠାରୁ ନିଜର ହକ୍ ଚାହେଁ ବୋଲି ସେ ସବୁବେଳେ କହୁଥିଲେ । ସେଥିପାଇଁ ସେ ଓଡ଼ିଶାର ଅର୍ଥନୈତିକ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ସଂଗ୍ରାମ ଗଢ଼ି ତୋଳିଥିଲେ । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁବାବୁଙ୍କର ଏହି ନିଷ୍ଠାପର ସଂଗ୍ରାମ ଅନ୍ୟ ରାଜ୍ୟ ପାଇଁ ଆଜି ଉଦାହରଣ ଭାବେ ଠିଆ ହୋଇଛି । ତାଙ୍କର ସୁଯୋଗ୍ୟ ପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଏହି ସଂଗ୍ରାମକୁ ଦୀର୍ଘ ୧୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆଗେଇ ନେଉଛି । କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ଲଢ଼େଇ ଜାରି ରଖିଛି । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ହୁଅନ୍ତୁ କି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ହୁଅନ୍ତୁ, ଯିଏ ଓଡ଼ିଶାକୁ ଅବହେଳା କରିଛି ବିଜେଡ଼ି ତାହା ବିରୋଧରେ ସଂଗ୍ରାମ କରିଛି । ନିଜର ହକ୍ ପାଇଁ ଲଢ଼େଇ ଜାରି ରଖିଛି । ବିଜୁ ଜନତା ଦଳର ଏହି ସଂକଳ୍ପ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଟାଣ କରିଛି ।
ଏକ ଆଞ୍ଚଳିକ ଦଳ ଭାବେ ବିଜେଡ଼ିର ତାକତ୍ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । କେନ୍ଦ୍ରର ଅବହେଳା, ବୈଷମ୍ୟତା ସତ୍ତ୍ୱେ ରାଜ୍ୟର ବିକାଶ ପାଇଁ ଲଢ଼େଇ କରି ବିଜେଡ଼ି ଅନ୍ୟ ରାଜ୍ୟ ପାଇଁ ନଜିର ହୋଇଛି । ଓଡ଼ିଶାବାସୀଙ୍କ କ୍ରମବର୍ଦ୍ଦିଷ୍ଣୁ ସମର୍ଥନ ବିଜେଡ଼ିର ଚଲାପଥକୁ ଆହୁରି ସମୃଦ୍ଧ କରିଛି । ଗତ ସାଧାରଣ ନିର୍ବାଚନରେ ସମଗ୍ର ଦେଶରେ ମୋଦି ଲହରି ବୋହୁଥିବା ବେଳେ ଓଡ଼ିଶାବାସୀ କିନ୍ତୁ ନବୀନଙ୍କ ନେତୃତ୍ୱ ଉପରୁ ଆସ୍ଥା ହରାଇ ନ ଥିଲେ । ବରଂ ପୂର୍ବାପେକ୍ଷା ଅଧିକ ସମର୍ଥନ ଦେଇ ଜାତୀୟ ଦଳର ଅନୁପ୍ରବେଶକୁ ରୋକ୍ ଲଗାଇପାରିଥିଲେ । ଜାତୀୟ ଦଳ ନୁହେଁ ରାଜ୍ୟର ସ୍ୱାର୍ଥ ରକ୍ଷାପାଇଁ ନବୀନଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳ ଉପରେ ଲଗାତର ଚତୁର୍ଥ ଥର ପାଇଁ ସେମାନେ ଅଧିକରୁ ଅଧିକ ଆସ୍ଥା ପ୍ରକଟ କରିଥିଲେ । ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଓଡ଼ିଶାବାସୀ ରଖିଥିବା ଭରସାକୁ ଅକ୍ଷରେ ଅକ୍ଷରେ ନିର୍ବାହ କରିବା ଏବଂ କଠିନରୁ କଠିନ ପରିଶ୍ରମ କରି ଲୋକଙ୍କ ସଦିଚ୍ଛାକୁ ସମ୍ମାନ ଦେଇ ରାଜ୍ୟର ବିକାଶକୁ ଆଗକୁ ବଢ଼ାଇବା ବିଜେଡ଼ି ପାଇଁ ଚାଲେଂଜ ରଖିଛି । ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସମ୍ଭବତଃ ସେହି ଆଦର୍ଶରେ ବାଟ ଚାଲୁଛି ।
Continue Reading