ପୁରୀ: ପୁରୀଠାରେ ଅନୁଷ୍ଠିତ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେସନ ସମାରୋହରେ ଆଜି ଅମିତ୍ ଶାହା ନିଜର ପୁରୁଣା ଫର୍ମରେ ଭାଷଣ ଦେଇଥିଲେ । ବିଜେଡ଼ି ସରକାର ଓ ନବୀନ ପଟ୍ଟନାୟକଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ । ବିଜେଡ଼ି ସରକାର ଏକ ପୋଡା ଟ୍ରାନସଫରମର୍ ସଦୃଶ । ତାକୁ ଉପାଡ଼ି ଫୋପାଡ଼ି ଦିଅ( ଉଖାଡେକେ ଫେକ୍ ଦୋ) । ନିଜର ଏହି ପୁରୁଣା ସଂଳାପକୁ ଖୋଜି ଆଣିଥିଲେ ଶାହା । ନବୀନଙ୍କ ବୟସ ହୋଇଗଲାଣି, ତାଙ୍କ କାନକୁ ଶୁଭୁନି.. ଏମିତି ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କଂଗ୍ରେସ ଓ ବିଜେଡ଼ି ପରଷ୍ପରରର ବି ଟିମ୍ ବୋଲି ବୋଲି ମଧ୍ୟ ଆକ୍ଷେପ କରିଥିଲେ । ଓଡ଼ିଶାରେ ଏଥର ବିଜେପି ସରକାରର ସ୍ୱପ୍ନ ଦଳୀୟ କର୍ମୀଙ୍କୁ ପ୍ରମ୍ପଟିଂ ମଧ୍ୟରେ ସୀମିତ ରଖିଥିଲେ ଶାହା । ସାଲେପୁର କୁଳିଆ ସଭା ପରି ଏଥର ବି ସେ ମିଶନ୍ ୧୨୦ ର ନାଁ ଗନ୍ଧ ଧରି ନ ଥିଲେ ।
ଶାହା ତାଙ୍କ ଭାଷଣରେ ଜନଜାତିମାନଙ୍କ କଲ୍ୟାଣ ପାଇଁ ମୋଦି ସରକାରଙ୍କ ଅବଦାନର ହିସାବ ଦେଇଥିଲେ । ବିଜେପି ଜନଜାତିକୁ ସମ୍ମାନ ଦିଏ ଏବଂ ଜନଜାତିଙ୍କ ବିକାଶ ଚାହେଁ ବୋଲି କହିଥିଲେ । ଲୋକସଭାରେ ବିଜେପିରୁ ସର୍ବାଧିକ ୩୨ ଜଣ ସାଂସଦ ଜନଜାତିବର୍ଗର । ଜନଜାତି ନେତା ଜୁଏଲ୍ ଓରାମ୍ ସେହି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ଜୁଏଲ୍ ଙ୍କୁ ମିଶାଇ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୫ ଜଣ ମନ୍ତ୍ରୀ ଜନଜାତି ବର୍ଗର । ଜନଜାତିଙ୍କ କଲ୍ୟାଣ ପାଇଁ ମୋଦି ସରକାର ତାଙ୍କ ଭଣ୍ଡାର ଖୋଲିଦେଇଥିବା ଜଣାଇ ଦେଇଥିଲେ ଶାହା ।
ଅନ୍ୟପକ୍ଷରେ ଓଡ଼ିଶାରେ ୧୯ ବର୍ଷର ନବୀନ ପଟ୍ଟନାୟକ ସରକାର ଜନଜାତି ମାରଣ ନୀତିରେ ଚାଲୁଛନ୍ତି ବୋଲି ଶାହା ଆକ୍ଷେପ କରି ବିଜେଡ଼ି ସରକାରଙ୍କୁ ଅପାରଗ ବୋଲି ଦର୍ଶାଇଥିଲେ । ମୋଦି ସରକାର ଓଡ଼ିଶାକୁ ଦେଇଥିବା ୫ ଲକ୍ଷ ୧୩ ହଜାର କୋଟି ଟଙ୍କାର ହିସାବ ଜବାବ ମାଗୁଛି ଓଡ଼ିଶା ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତି କଟୁ ଆକ୍ଷେପ କରିଥିଲେ ଶାହା । କହିଥିଲେ, ନବୀନ ବାବୁଙ୍କ ସରକାର ଅପାରଗ । ନବୀନ ବାବୁଙ୍କ ବୟସ ହୋଇଗଲାଣି କାନକୁ ଶୁଭୁନି । ନବୀନ ବାବୁ ସ୍ଥିତପ୍ରଜ୍ଞ । ଓଡ଼ିଆ ଭାଷା ବୁଝିପାରୁନାହାନ୍ତି ।
ଖାଲି ନବୀନ ଏବଂ ବିଜେଡ଼ି ନୁହେଁ, ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ବି ଛାଡ଼ି ନ ଥିଲେ ଶାହା । ଓଡ଼ିଶାରେ କଂଗ୍ରେସ କେତେବେଳେ ବିଜେଡ଼ିର ବି ଟିମ୍ ତ ଆଉ କେବେ ବିଜେଡ଼ି କଂଗ୍ରେସର ବି ଟିମ୍ । କଂଗ୍ରେସ ଓ ବିଜେଡ଼ି ଓଡ଼ିଶାକୁ ବହୁ ବର୍ଷ ଧରି ଶାସନ କଲେଣି । ମାତ୍ର ରାଜ୍ୟର ବିକାଶ କରିପାରିନାହାନ୍ତି । ରାଜ୍ୟରୁ ଗରିବି ହଟିପାରିନି । ଏଥର ବିଜେପିକୁ ସୁଯୋଗ ଦିଅ, ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବୁ ବୋଲି ଶାହା ପୂର୍ବଥରର ଡାଇଲଗ୍ ଶୁଣାଇଥିଲେ । ଶାହା ତାଙ୍କ ଭାଷଣରେ ରାଜ୍ୟର ବିଜେପି ସଂଗଠନ, ସ୍ଥିତି ଓ ମିଶନ୍ ୧୨୦ ବାବଦରେ ପଦୁଟିଏ ବି କହି ନ ଥିଲେ । ଆଜିକାଲି ଏ ପ୍ରସଙ୍ଗରେ ଶାହା ସମ୍ପୂର୍ଣ୍ଣ ନିରବ ହୋଇଗଲେଣି ।