କେନ୍ଦୁଝର: ଦୁଇ ମାସ ପରେ ସାଧାରଣ ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରି ରଖିବାକୁ ବିଜେଡ଼ି ସରକାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଯୋଜନା ପରେ ଯୋଜନା ଘୋଷଣା ଚାଲିଛି । ଏହିକ୍ରମରେ କେନ୍ଦୁଝର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । ‘କାଳିଆ’ ଯୋଜନାର ଅସମ୍ଭବ ଲୋକପ୍ରିୟତାରେ ଉତ୍ସାହିତ ମୁଖ୍ୟମନ୍ତ୍ରୀ ସେହି ‘କାଳିଆ’ ନାଁରେ ଚାଷୀପିଲାଙ୍କ ପାଇଁ ‘କାଳିଆ ଛାତ୍ରବୃତ୍ତି’ ଘୋଷଣା କରିଛନ୍ତି । ଇଂଜିନିୟରିଂ, ଡାକ୍ତରୀ, ଓକିଲାତି,ଆଇଟିଆଇ, ନର୍ସିଂ ଭଳି ସରକାରୀ ପ୍ରଫେସନାଲ୍(ବୃତ୍ତିଗତ) କଲେଜରେ ଯୋଗ୍ୟତା ଭିତ୍ତିରେ ନାମ ଲେଖାଇଥିବା ଚାଷୀ ପରିବାରର ଛାତ୍ରଛାତ୍ରୀମାନେ ମାଗଣାରେ ପାଠ ପଢ଼ିବେ । ସେମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ଆଜି କେନ୍ଦୁଝରଠାରେ ଆୟୋଜିତ ବିଶାଳ ‘କାଳିଆ’ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଥିଲେ । ଚାଷୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କ ‘କାଳିଆ’ ବହୁତ ଲୋକପ୍ରିୟ ଯୋଜନା । ଏହି ଯୋଜନା ସାରା ଭାରତରେ ମଧ୍ୟ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି । ମୁଁ ଚାହେଁ, ଚାଷୀଙ୍କ ଭବିଷ୍ୟତ ଏବଂ ସେମାନଙ୍କ ପିଲାମାନଙ୍କ ଉନ୍ନତି । ଆପଣମାନଙ୍କ ପିଲା ଡାକ୍ତର,ଇଂଜିନିୟର, ମ୍ୟାନେଜ. ଆଇନଜ୍ଞ ଆଦି ବୃତ୍ତିଧାରୀ ହୁଅନ୍ତୁ । ସେଥିପାଇଁ ମୁଁ ‘କାଳିଆ ଛାତ୍ରବୃତ୍ତି’ କାର୍ଯ୍ୟକ୍ରମ ଆପଣମାନଙ୍କ ପିଲାମାନଙ୍କ ପାଇଁ ଆରମ୍ଭ କରିଛି । ଏଥିରେ ମେରିଟ୍ ବେସିସ୍ ରେ ସରକାରୀ ପ୍ରଫେସନାଲ୍ କଲେଜରେ ନାମ ଲେଖାଇଥିବା ଚାଷୀ ପରିବାରର ପିଲାମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆପଣମାନଙ୍କ ପିଲାଙ୍କୁ ଭଲ ପାଠ ପଢ଼ାନ୍ତୁ । ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର ।
କେନ୍ଦୁଝରଠାରେ ମୁଖ୍ୟମନ୍ତ୍ରୀ ୬୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁରଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗଦେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ତିନୋଟି ଘୋଷଣା କରିଥିଲେ । (୧) ରାଇରଙ୍ଗପୁରଠାରେ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଉନ୍ନତିକରଣ କରାଯିବ ଏବଂ ପିପିପି ମୋଡ୍ ରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବ ।(୨) ରାଇରଙ୍ଗପୁରରେ କ୍ରୀଡ଼ାର ବିକାଶ ପାଇଁ ଆଧୁନିକ ସୁବିଧା ଥିବା ଷ୍ଟାଡ଼ିୟମ ନିର୍ମାଣ କରାଯିବ ।(୩) ରାଇରଙ୍ଗପୁରର ପିଏଆଇ ଟିଡିଏ ଦାୟିତ୍ୱରେ ଥିବା ଅଧିକାରୀ ରାଇରଙ୍ଗପୁରର ଏଡ଼ିଏମ୍ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇବେ ।
ରାଇରଙ୍ଗପୁର ମିଶନ ଶକ୍ତି ସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ୪୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ୯୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।