ପୁରୀ: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ପୁରୀ ଆସି ଦଳର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଭାଷଣ ଦେଇଛନ୍ତି । ତାଙ୍କ ଭାଷଣରେ ନବୀନ ପଟ୍ଟନାୟକଙ୍କ ସରକାରକୁ ସେ ଜୋରଦାର ଆକ୍ରମଣ କରି ଓଡ଼ିଶାର ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । କଂଗ୍ରେସ ଓ ବିପକ୍ଷ ଦଳକୁ ବି ଛାଡ଼ି ନାହାନ୍ତି ଶାହା । ମୋଦି ମେକ୍ ଇନ ଇଣ୍ଡିଆର ସ୍ୱପ୍ନ ଦେଖୁଥିବା ବେଳେ ବିପକ୍ଷ ଦଳ ବ୍ରେକ୍ ଇନ୍ ଇଣ୍ଡିଆରେ ଲାଗିଛନ୍ତି ବୋଲି ଶାହା ମନ୍ତବ୍ୟ ଦେଇଛନ୍ତି ।
ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ଓ ଝାରସୁଗୁଡ଼ା ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ି ସରକାରକୁ ଟାର୍ଗେଟ୍ କରିଥିଲେ । ଅମିତ ଶାହା ଆଜି ଓଡ଼ିଶା ଆସି ବିଜେଡ଼ି ସରକାର ଉପରେ ଅଧିକ ଆକ୍ରମଣାତ୍ମକ ହୋଇଥିଲେ । ପୁରୀରେ ଦଳର ମହିଳା ସମାବେଶକୁ ନବୀନ ସରକାରର ମୃତ୍ୟୁ ଘଣ୍ଟି ବୋଲି ଶାହା କହିଥିଲେ । ସେ କହିଥିଲେ, ଓଡ଼ିଶାରେ ଅଫିସର ରାଜ୍ ଚାଲିଛି । କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଟଙ୍କାକୁ ଅଫିସରମାନେ ହରିଲୁଟ୍ କରୁଛନ୍ତି । ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ ରହିଛନ୍ତି । ମହିଳା ଅତ୍ୟାଚାରରେ ଓଡ଼ିଶା ଅନ୍ୟମାନଙ୍କଠାରୁ ଆଗରେ । ରାଜ୍ୟ ସରକାର ଅସାଧୁ ମିଲରଙ୍କ ସହ ମେଣ୍ଟ କରିଛନ୍ତି । ମିଲରଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନି । ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବା ଡରରେ ନବୀନ ସରକାର ଆୟୁଷ୍ମାନ ଯୋଜନାକୁ ଜାଣିଶୁଣି ଲାଗୁ କରିନାହାନ୍ତି । ବିଜୁ ଜନତା ଦଳରେ ବିଜୁ ପଟ୍ଟନାୟକଙ୍କ ସିଦ୍ଧାନ୍ତ ନାହିଁ କହି ବର୍ଷିଥିଲେ ଶାହା ।
ସେ ପୁଣି କହିଥିଲେ, ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ୧୮ ବର୍ଷ ସୁଯୋଗ ଦେଲେ । ମାତ୍ର ରାଜ୍ୟର ବିକାଶ ହୋଇପାରିଲାନି । ଆଉ ଗୋଟିଏ ମିନିଟ୍ ବି ଏ ସରକାରର ରହିବା ଅଧିକାର ନାହିଁ । ଶାହା ତାଙ୍କର ପୁରୁଣା ଡାଇଲଗ୍ ମାରି କହିଥିଲେ କି ଏ ସରକାରକୁ ଓପାଡ଼ି ଫିଙ୍ଗିଦିଅ । ଏ ସରକାର ନିଶ୍ଚିତ ବଦଳିବ, ବିଜେପି ସରକାର ଆସିବ ବୋଲି ଶାହା ତାଙ୍କ ମହିଳା କର୍ମୀମାନଙ୍କୁ ପାଳି ଧରାଇଥିଲେ ।