ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ବିକଶିତ କରିବାକୁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର ସେଠାରେ ୫୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୁରୀର ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ପାଇଁ ବିଭିନ୍ନ ପ୍ରକଳ୍ପରେ ଏହି ଅର୍ଥ ଖର୍ଚ୍ଚ ହେବ । ଏହିସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୫ ଜଣ ପ୍ରୋବେସନର ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରଖାଯିବ ।
ଏହି ପ୍ରୋବେସନର ଆଇଏଏସ ଅଫିସରମାନେ ହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଡ. ଶୁଭଙ୍କର ମହାପାତ୍ର, ଜେ.ସୋନାଲ ଏବଂ ଭୁବନେଶ ଦେବଦାସ ପାଟିଲ । ସମସ୍ତେ ୨୦୧୮ ବ୍ୟାଚର ଆଇଏଏସ ଅଫିସର ।
ଆଜି ପୁରୀ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସେମାନଙ୍କୁ ଟିପସ୍ ଦିଆଯାଇଥିଲା । ସିଏମଓ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇବା ସହ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।