ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣ ଆଉ ନାହାନ୍ତି । ଆଜି ବଡ଼ି ଭୋରରେ ଆମ୍ରି ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେଫ୍ଟି ସେମିଆ ରୋଗରେ ସେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ଶ୍ରୀ କରଣ ଦଶପଲ୍ଲା ନିର୍ବାଚନମଣ୍ଡଳୀରୁ ସମୁଦାୟ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୫ ଥର କଂଗ୍ରେସ ଟିକେଟରେ ଜିତିଥିବା ବେଳେ ଶେଷଥର ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ଆସିଥିଲେ । ଗତଥର କନ୍ଧମାଳ ଲୋକସଭା ଆସନରୁ କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ବହୁବାର ମନ୍ତ୍ରୀ ହୋଇଥିଲେ । ଖାଦ୍ୟ ଓ ସାଧାରଣ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦରେ ଥିଲେ ଶ୍ରୀ କରଣ ।
ଶ୍ରୀ କରଣ ପିସିସିର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ବେଳେ ସେ ଦଳର ଶୃଙ୍ଖଳା କମିଟି ଅଧ୍ୟକ୍ଷ ପଦରେ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଆମ୍ରି ହସ୍ପିଟାଲ୍ ରୁ ତାଙ୍କର ମରଶରୀର ନୟାପଲ୍ଲୀସ୍ଥିତ ବାସଭବନ ଅଣାଯାଇଛି ।