ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚମ ଥର ପାଇଁ ସରକାର ଗଢ଼ିବେ ନବୀନ ପଟ୍ଟନାୟକ । ବିଜେଡି ୧୮ ଟି ଲୋକସଭା ଆସନ ଅକ୍ତିଆର କରିବ । ନବୀନଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ଥିବାରୁ ବିଜେଡ଼ିକୁ ପୁଣିଥରେ ସହାୟକ ହେବ । ଏପରିକି ଗତଥର ଦଳର ଭୋଟ ହାର ୪୫ ପ୍ରତିଶତ ଥିଲା ବେଳେ ଏଥର ତାହା ୫୦ ପ୍ରତିଶତ ଛୁଇଁବ । ଯାହାକି ବିଜେପି ଭୋଟ ହାରଠାରୁ ୨୫ ପ୍ରତିଶତ ଅଧିକ । ସାରା ଦେଶରେ ଗତଥର ମୋଦି ଲହରକୁ ଓଡ଼ିଶାରେ ନବୀନ ଇମେଜ୍ ଯେଭଳି ଚାପିଦେଇଥିଲା, ଏଥର ସେହି ଅବସ୍ଥାରେ ପରିବର୍ତ୍ତନ ଦେଖାଯାଉନାହିଁ । ଦ କ୍ୱିଣ୍ଟ୍ ରେ ପ୍ରକାଶିତ ‘ପୋଲ୍ ଆଇଜ୍’ ସଂସ୍ଥାର ପ୍ରାକ୍ ନିର୍ବାଚନୀ ସର୍ଭେ ଏହି ଆକଳନ ଦେଇଛି । ଓଡ଼ିଶାରେ ବିଜେପି ଦୁଇଟି ଲୋକସଭା ଆସନ ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନ ପାଇବ ବୋଲି ସର୍ଭେରେ କୁହାଯାଇଛି ।
ସର୍ଭେ ଅନୁଯାୟୀ, ଜଗତସିଂହପୁର, ବ୍ରହ୍ମପୁର, କଟକ ଏବଂ କନ୍ଧମାଳରେ ବିଜେଡ଼ିର ସ୍ଥିତି ସୁଦୃଢ଼ ଥିବା ବେଳେ କେନ୍ଦୁଝର, ସମ୍ବଲପୁର ଏବଂ କୋରାପୁଟରେ ଦଳ ପଛରେ ଅଛି । କେନ୍ଦୁଝରରେ ବିଜେପି ଭଲ ସ୍ଥିତିରେ ଅଛି ଏବଂ କେନ୍ଦୁଝର ଭଳି ନ ହେଲେ ମଧ୍ୟ ସମ୍ବଲପୁରରେ ବିଜେପିର ସ୍ଥିତି ଭଲ ଅଛି । ତେବେ କୋରାପୁଟରେ କଂଗ୍ରେସର ସ୍ଥିତି ଭଲ ।
ଗତ ଫେବୃଆରୀ ମାସରେ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଇତିମଧ୍ୟରେ ରାଜ୍ୟ ରାଜନୀତିରେ ଅନେକ ପରିବର୍ତ୍ତନ ଘଟୁଥିବାରୁ ସ୍ଥିତି ବଦଳିପାରେ ବୋଲି ଦ କ୍ୱିଣ୍ଟ୍ ରେ ପ୍ରକାଶିତ ରିପୋର୍ଟ ରେ କୁହାଯାଇଛି । ବିଜେଡ଼ି ଦୃଢ଼ ସ୍ଥିତିରେ ରହିଥିବା ସର୍ଭେ ଦର୍ଶାଉଥିଲେ ମଧ୍ୟ ତିନୋଟି କାରଣ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ରହିଛି । ଦଳବଦଳ ଏବଂ ଦଳରେ ବିଦ୍ରୋହ ହେଲେ ବିଜେଡ଼ିକୁ ଅଡୁଆ ହୋଇପାରେ । ବିରୋଧୀ ଭୋଟ ସଂଗଠିତ ହେଲେ ବିଜେଡ଼ିକୁ ବିପଦ ହୋଇପାରେ ଏବଂ ଲୋକସଭା, ବିଧାନସଭା ଭୋଟିଂ ଭାଗ ଭାଗ ହେଲେ ବିଜେଡ଼ି ଅସୁବିଧାରେ ପଡ଼ିପାରେ ।
ସେହିଭଳି ବିଜେପି ପାଇଁ ବି ଅନେକ ସମସ୍ୟା ରହିଛି । ଉଦାହରଣସ୍ୱରୂପ କୋରାପୁଟରେ ବିଜୟ ସୁନିଶ୍ଚିତ ବୋଲି ଦଳ ଭାବୁଥିଲେ ମଧ୍ୟ ସେଠି ଗିରିଧାରୀ ଗମାଙ୍ଗଙ୍କ ସପକ୍ଷରେ ଥିବା କଂଗ୍ରେସ ଭୋଟ ବିଜେପି ପଟକୁ ଆସିବାର ଅଛି । କେବଳ କୋରାପୁଟରେ ନୁହେଁ, ସାରା ରାଜ୍ୟରେ ବିଜେପି ପାଇଁ ଏହି ସମସ୍ୟା ରହିଛି । ନିର୍ଦ୍ଦିଷ୍ଟ କିଛି ଆସନରେ ବିରୋଧୀ ଭୋଟକୁ ସଂଗଠିତ କରିପାରିଲେ ଯାଇ ଦଳକୁ ସଫଳତା ମିଳିବ । ବିଜେପି ଏହି ରଣନୀତିରେ ସଫଳ ହେଲେ ବିଜେଡ଼ିକୁ ୭ଟି ଆସନରେ ବିପଦରେ ପକାଇପାରିବ । ସେହି ଆସନଗୁଡ଼ିକ ହେଲା ବରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ା ।
ରିପୋର୍ଟରେ ଏହା ବି କୁହାଯାଇଛି ଯେ ଗତକାଲି ଘୋଷିତ ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକାରେ ନବୀନ ୩୩% ମହିଳାଙ୍କୁ ଟିକେଟ ଦେବାର ପ୍ରତିଶ୍ରୁତି ରଖିଛନ୍ତି । ନବୀନ ଅନେକ ସିଟିଂ ଏମଏଲଏ ଓ ଏମପିଙ୍କୁ ଟିକେଟ ଦେଇନାହାନ୍ତି । ଏହା ତାଙ୍କର ଆତ୍ମବିଶ୍ୱାସକୁ ସୂଚାଉଛି ।